ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଭାରତୀୟ ଜାତୀୟ କଂଗ୍ରେସରେ ଗତ କିଛିଦିନ ଧରି ଚିଠିକୁ ନେଇ ଅନେକ ବିଦ୍ରୋହ ଓ ବିବାଦର ସୂତ୍ରପାତ ହୋଇଥିଲା। ଏହି ଚିଠି ପଛରେ ଥିଲା ନେତୃତ୍ୱ ପରିବର୍ତ୍ତନ ପାଇଁ ସ୍ୱର। ତେବେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ହେବା ପରେ ଦଳରେ ଏବେ ଯେଉଁ ବଡ଼ ଧରଣର ଅଦଳବଦଳ କରିଛନ୍ତି, ତାହା ଅନେକ କିଛି ପରିବର୍ତ୍ତନର ଆଭାସ ଦେଇଛି। ଦଳରେ ବିଦ୍ରୋହୀ ନେତାଙ୍କ ନେତୃତ୍ୱ ଦେଉଥିବା ଗୁଲାମ ନବୀ ଆଜାଦଙ୍କୁ ତାଙ୍କ ପଦବୀରୁ ଗାଦିଚ୍ୟୁତ ହେବାକୁ ପଡ଼ିଥିବା ବେଳେ ଗାନ୍ଧୀ ପରିବାର ସହ ରହିଆସିଥିବା ନେତାଙ୍କୁ ସେମାନଙ୍କ ବିଶ୍ୱସ୍ତତା ପାଇଁ ପଦୋନ୍ନତି ମିଳିଛି। ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଥିବା ନେତାଙ୍କ ସହ ଅନ୍ୟ ବରିଷ୍ଠ ନେତାଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଛି। କଂଗ୍ରେସ କାର୍ଯ୍ୟକାରୀ କମିଟି ସହ ରାଜ୍ୟ ପ୍ରଭାରୀ ସ୍ତରରେ ମଧ୍ୟ ପରିବର୍ତ୍ତନ ହୋଇଛି।ରାହୁଲଙ୍କ ଟିମ୍କୁ ପ୍ରାଥମିକତା, ଯୁବପିଢ଼ିଙ୍କ ହାତରେ ମହାସଚିବ ପଦ

ସଦ୍ୟ ପରିବର୍ତ୍ତିତ ଟିମ୍‌ରେ ରାହୁଲ ଗାନ୍ଧୀଙ୍କ ନିକଟତର ଥିବା ବ୍ୟକ୍ତି ତଥା ସମର୍ଥକଙ୍କୁ ସାମିଲ କରାଯାଇଛି। ରାହୁଲ ତାରିକ ଅନଓ୍ୱରଙ୍କ ଭଳି ନେତାଙ୍କୁ ଏନ୍‌ସିପିରୁ କଂଗ୍ରେସକୁ ଆଣିଥିବା ବେଳେ ତାଙ୍କୁ ଏବେ ମହାସଚିବ ପଦ ସହ ନିଜ ରାଜ୍ୟ କେରଳର ଦାୟିତ୍ୱ ଦିଆଯାଇଛି। ସେହିପରି ରାହୁଲଙ୍କ ବିଶ୍ୱସ୍ତ ଥିବା ରାଜୀବ ଶୁକ୍ଳାଙ୍କୁ ହିମାଚଳପ୍ରଦେଶ, ବିବେକ ବଂଶଲଙ୍କୁ ହରିୟାଣା, ମନୀଷ ଚତରଥଙ୍କୁ ଅରୁଣାଚଳପ୍ରଦେଶ, ଦେବେନ୍ଦ୍ର ଯାଦବଙ୍କୁ ଉତ୍ତରାଖଣ୍ଡ, ରାଜୀବ ସାତବଙ୍କୁ ଗୁଜରାଟ, ଜିତେନ୍ଦ୍ର ସିଂଙ୍କୁ ଆସାମ, ଜିତୀନ ପ୍ରସାଦଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ମିଳିଛି। ରାହୁଲଙ୍କ ବିଶ୍ୱସ୍ତ ଥିବା ରଣଦୀପ ସିଂ ସୁରଜେଓ୍ୱାଲାଙ୍କୁ ମହାସଚିବ ପଦବୀ ସହ କର୍ଣ୍ଣାଟକ ଦାୟିତ୍ୱ ପ୍ରଦାନ କରାଯାଇଛି।

ରାହୁଲଙ୍କ ପାଖକୁ ଯିବ ନେତୃତ୍ୱ, ନୂଆ ଟିମ୍ଦେଲା ଆଭାସ

ରାହୁଲଙ୍କ ଅନ୍ତରଙ୍ଗମାନଙ୍କୁ ମହାସଚିବ, ପ୍ରଭାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯିବା କଥା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଭବିଷ୍ୟତରେ ଜାତୀୟ କଂଗ୍ରେସ ନେତୃତ୍ୱ ତାଙ୍କରି ହାତକୁ ଯିବ। ନୂଆ ଟିମ୍‌ ରାହୁଲ ଗାନ୍ଧୀଙ୍କୁ ଦୃଷ୍ଟିରେ ରଖି କରାଯାଇବାରୁ ସେ ପୁଣିଥରେ ଦଳର କମାଣ ସମ୍ଭାଳିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସର ଆଗାମୀ ଅଧିବେଶନରେ ରାହୁଲଙ୍କୁ ପୁନର୍ବାର ଦଳୀୟ ଅଧ୍ୟକ୍ଷ ପଦରେ ଅଭିଷିକ୍ତ କରାଯିବା ନେଇ ଏବେଠାରୁ ଭିତ୍ତି ପଡ଼ିଲା ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହେଲାଣି।ବାଦ୍ ପଡ଼ିଲେ ବିଦ୍ରୋହୀ, ପଦରୁ ଗଲେ ଅନେକ ବରିଷ୍ଠ ନେତା

ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖି ବିଦ୍ରୋହୀ ପାଲଟିଥିବା ନେତାଙ୍କୁ ଶକ୍ତିହୀନ କରିବା ପାଇଁ ନୂଆ ଟିମ୍‌ରୁ ସେମାନଙ୍କୁ ବାଦ୍‌ ଦିଆଯାଇଛି। ଚିଠି ବିବାଦରେ ସାମିଲ ଥିବା ମନିଷ ତିଓ୍ୱାରୀ, ରାଜ ବବ୍ବର, ପୃଥ୍ବୀରାଜ ଚହ୍ୱାନ, କପିଲ ଶିବଲ, ଶଶି ଥରୁରଙ୍କ ଭଳି ନେତାଙ୍କୁ ଦଳୀୟ ସଙ୍ଗଠନ କିମ୍ବା କାର୍ଯ୍ୟକାରୀ କମିଟି କୌଣସିଥିରେ ମଧ୍ୟ ଜାଗା ମିଳିନାହିଁ। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ କରି ପରେ ଦଳକୁ ବାହୁଡ଼ିଥିବା ସଚିନ ପାଇଲଟ କଂଗ୍ରେସର କେନ୍ଦ୍ରୀୟ ସଙ୍ଗଠନରୁ ବାଦ୍‌ ପଡ଼ିଛନ୍ତି। ସେହିପରି ମଲ୍ଲିକାର୍ଜୁନ ଖାଡ୍‌ଗେ, ଅମ୍ବିକା ସୋନି, ମୋତିଲାଲ ବୋରାଙ୍କୁ ମହାସଚିବ ପଦରୁ ହଟାଯାଇଛି। ଏଭଳି ନିଷ୍ପତ୍ତି ନେଇ ସୋନିଆ ସୂଚାଇ ଦେଇଛନ୍ତି ଯେ ଯେତେ ବରିଷ୍ଠ ହୁଅନ୍ତୁ ନା କାହିଁକି, ଦଳରେ ବିଶୃଙ୍ଖଳା ସୃଷ୍ଟ କରୁଥିବା ଓ ବିଦ୍ରୋହ କରୁଥିବା ନେତାଙ୍କୁ କେବେହେଲେ ସହ୍ୟ କରାଯିବ ନାହିଁ।

ଯୁବପିଢ଼ିବରିଷ୍ଠଙ୍କ ଭିତରେ ସନ୍ତୁଳନ

ରାହୁଲଙ୍କ ସମର୍ଥନରେ ଥିବା ଯୁବ ଟିମ୍‌ ଓ ସୋନିଆଙ୍କ ପ୍ରତି ବିଶ୍ୱସ୍ତ ଥିବା ଦଳର ବରିଷ୍ଠ ନେତାଙ୍କୁ ନୂଆ ଟିମ୍‌ରେ ରଖାଯାଇ ବରିଷ୍ଠ-ଯୁବ ସନ୍ତୁଳନ ରଖିବା ପାଇଁ ଉଦ୍ୟମ ହୋଇଛି। ତାରିକ ଅନଓ୍ୱର ଓ ରଣଦୀପ ସୁରଜେଓ୍ବାଲାଙ୍କ ଭଳି ଯୁବନେତାଙ୍କୁ ମହାସଚିବ ପଦ ମିଳିଛି। ଦିଗ୍‌ବିଜୟ ସିଂ ଓ ସଲମାନ୍‌ ଖୁର୍ସିଦଙ୍କ ଭଳି ନେତା, ପ୍ରମୋଦ ତିଓ୍ୱାରୀଙ୍କୁ ପୁଣି ଟିମ୍‌କୁ ଫେରାଇ ଅଣାଯାଇଛି। ମହାସଚିବ ଓ ରାଜ୍ୟ ପ୍ରଭାରୀ ପଦରେ ବରିଷ୍ଠ, ଯୁବନେତାଙ୍କୁ ନିଯୁକ୍ତି ଦେଇ ସନ୍ତୁଳିତ ଟିମ୍ ଗଢ଼ିବାକୁ ଚେଷ୍ଟା କରିଛି କଂଗ୍ରେସ।

ହିନ୍ଦୀଭାଷୀ ରାଜ୍ୟର ନେତାଙ୍କୁ ଟିମ୍ରେ ପ୍ରାଧାନ୍ୟ

କଂଗ୍ରେସର କାର୍ଯ୍ୟକାରୀ କମିଟିରୁ ଆରମ୍ଭ କରି ସଙ୍ଗଠନ ପର୍ଯ୍ୟନ୍ତ, ସବୁଥିରେ ହିନ୍ଦୀଭାଷୀ ରାଜ୍ୟରୁ ଆସିଥିବା ନେତାଙ୍କୁ ପ୍ରାଧାନ୍ୟ ମିଳିଛି। କଂଗ୍ରେସ ମହାସଚିବ ଓ ପ୍ରଭାରୀ ତାଲିକାରେ ରାଜୀବ ଶୁକ୍ଳା, ପି.ଏଲ୍. ପୁନିଆ, ଅଜୟ ମାକେନ, ଦେବେନ୍ଦ୍ର ଯାଦବ, ଜିତୀନ ପ୍ରସାଦ, ହରିଶ ରାଓ୍ୱତ, ଆର୍.ପି.ଏନ୍‌. ସିଂ, ତାରିକ ଅନଓ୍ୱର, ଜିତେନ୍ଦ୍ର ସିଂ, ରଣଦୀପ ସୁରଜେଓ୍ୱାଲାଙ୍କ ଭଳି ନେତା ରହିଛନ୍ତି। ଏମାନେ ଉତ୍ତରପ୍ରଦେଶ, ବିହାର, ହରିୟାଣା ଭଳି ହିନ୍ଦୀଭାଷୀ ରାଜ୍ୟରୁ ଆସିଛନ୍ତି। କଂଗ୍ରେସ କାର୍ଯ୍ୟକାରୀ କମିଟିରେ ସାମିଲ ଥିବା ଦିଗ୍‌ବିଜୟ ସିଂ, ପ୍ରମୋଦ ତିଓ୍ୱାରୀ, ସଲମାନ ଖୁର୍ସିଦ, ଦିପେନ୍ଦ୍ର ହୁଦା, କୁଲଦୀପ ବିଷ୍ନୋଇ ମଧ୍ୟ ହିନ୍ଦୀଭାଷୀ ଅଞ୍ଚଳରୁ ପ୍ରତିନିଧିତ୍ବ କରୁଛନ୍ତି।BGUଜଣେ ନେତା ଗୋଟିଏ ପଦଫର୍ମୁଲା

ନବଗଠିତ ଟିମ୍‌କୁ ଅନୁଶୀଳନ କଲେ ଜାଣିହେବ ଯେ କଂଗ୍ରେସ ନିଜ ଦଳରେ ଜଣେ ନେତାଙ୍କୁ ଗୋଟିଏ ପଦରେ ରଖିବା ଫର୍ମୁଲା ଆପଣାଇଛି। ଗୁଲାମ୍ ନଦୀ ଆଜାଦ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବାରୁ ତାଙ୍କୁ ମହାସଚିବ ପଦରୁ ବାଦ୍ ଦିଆଯାଇଛି। ସେହିପରି ଆସନ୍ତା ଫେବୃୟାରୀରେ ଆଜାଦଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରୁଥିବାରୁ ସେହି ଜାଗାରେ ମଲ୍ଲିକାର୍ଜୁନ ଖାଡ୍‌ଗେଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଯୋଜନା ରହିଛି। ତେଣୁ ଖାଡ୍‌ଗେଙ୍କୁ ମଧ୍ୟ ମହାସଚିବ ପଦରୁ ଅନ୍ତର କରାଯାଇଛି। ଅମ୍ବିକା ସୋନି, ମୋତିଲାଲ ବୋରା ନିଜ ଆଡୁ ଦାୟିତ୍ୱମୁକ୍ତ ହେବା ପାଇଁ ପ୍ରସ୍ତାବ ରଖିବା ପରେ ସେମାନଙ୍କୁ ପଦରୁ ହଟାଯାଇଥିବା କୁହାଯାଉଛି।୨୦୨୨ ନିର୍ବାଚନ ପାଇଁ ପ୍ରିୟଙ୍କାଙ୍କ କାନ୍ଧରେ ଉତ୍ତରପ୍ରଦେଶ ଭାର

ଗତ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କୁ ମହାସଚିବ ପଦରେ ଅବସ୍ଥାପିତ କରାଯିବା ସହ ପୂର୍ବାଞ୍ଚଳ ପ୍ରଭାରୀ ନିଯୁକ୍ତ କରାଯାଇଥିଲା। ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ଏହାକୁ ଆଖି ଆଗରେ ରଖି ଉତ୍ତରପ୍ରଦେଶର ସମ୍ପୂର୍ଣ୍ଣ ଦାୟିତ୍ୱ ପ୍ରିୟଙ୍କାଙ୍କ ହାତରେ ନ୍ୟସ୍ତ କରାଯାଇଛି। ପ୍ରିୟଙ୍କା ଉତ୍ତରପ୍ରଦେଶରେ ବେଶ୍ ସକ୍ରିୟ ଅଛନ୍ତି ଓ ଯୋଗୀ ସରକାରଙ୍କ ବିରୋଧରେ ଲଗାତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସ୍ୱର ଉଠାଇ ଆସୁଛନ୍ତି।

Comment