ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ସେବାୟତମାନଙ୍କୁ ରାଜ୍ୟ ସରକାର ଆଇନଗତ ଭାବେ କୌଣସି ସହାୟତା ପ୍ରଦାନ କରିପାରିବେ ନାହିଁ। ଯଦି ଏଭଳି କିଛି ସହାୟତା ପ୍ରଦାନ କରାଯାଏ ତାହେଲେ ଏହା ସମ୍ବିଧାନର ଧର୍ମନିରପେକ୍ଷତାର ବିରୋଧାଚରଣ କରିବ। ଆହୁରିମଧ୍ୟ ସେବାୟତମାନେ ଏହି ମାମଲା ଜରିଆରେ କୌଣସି ସହାୟତା ପାଇଁ ଦାବି କରିପାରିବେ ନାହିଁ କିମ୍ବା ତାଙ୍କର ଆର୍ଥିକ ସହାୟତା ପାଇବାର କୌଣସି ଅଧିକାର ନାହିଁ ବୋଲି ସୋମବାର ରାଜ୍ୟ ସରକାର ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ ମାମଲାରେ ଦାଖଲ କରିଥିବା ସତ୍ୟପାଠରେ ସ୍ପଷ୍ଟ କରି ଦେଇଛନ୍ତି।

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରର ସେବାୟତ ରବୀନ୍ଦ୍ର ସୁଆର, ସୁରେଶ ଚନ୍ଦ୍ର ପତି, ବଳଭଦ୍ର ସୁଆର ଏବଂ ଭଗବାନ ସୁଆର  ଏବଂ ପୁରୀ ଜିଲ୍ଲା କାକଟପୁର ମା’ ମଙ୍ଗଳା ମନ୍ଦିରର ପୂଜକ ପ୍ରକାଶ କୁମାର ପଣ୍ଡା ଏବଂ ଅନ୍ୟ ୧୪ ଜଣ ପୂଜକ କରୋନା ସମୟରେ ମନ୍ଦିର ବନ୍ଦ ଥିବାରୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରାର୍ଥନା କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।BGUହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାର, ଦେବୋତ୍ତର କମିସନର, ଉଭୟ ମନ୍ଦିରର ଟ୍ରଷ୍ଟ ବୋର୍ଡକୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ ବିଭାଗ ଜବାବ ଦାଖଲ କରିଥିଲା ବେଳେ ଦେବୋତ୍ତର କମିସନର ଏବଂ ଉଭୟ ମନ୍ଦିରର ଟ୍ରଷ୍ଟ ବୋର୍ଡ ଜବାବ ଦାଖଲ କରିପାରି ନଥିଲେ।

ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍  ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆସନ୍ତା ଅକ୍ଟୋବର ୫ ତାରିଖକୁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ଦେବୋତ୍ତର କମିସନର ଏବଂ ଉଭୟ ଟ୍ରଷ୍ଟ ବୋର୍ଡ ଜବାବ ରଖିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି।

ରାଜ୍ୟ ଆଇନ ବିଭାଗ ଅନୁସଚିବ ଦସମତ ମାରାଣ୍ଡି ଏହି ସତ୍ୟପାଠ ଦାଖଲ କରି ଜଣାଇଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତଙ୍କୁ ରାଜ୍ୟ ସରକାର କେବେ ବି ଆର୍ଥିକ ସହାୟତା ପ୍ରଦାନ କରିନାହାନ୍ତି। ପରନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇନସ୍ୟୁରାନ୍ସ ସ୍କିମ୍‌ରେ ଆସୁଥିବା ପ୍ରତ୍ୟେକ ସେବାୟତ ପରିବାରର ମୁଖିଆଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ମେ’, ଜୁନ୍‌, ଜୁଲାଇ, ଏବଂ ଅଗଷ୍ଟ ଚାରିମାସ ପାଇଁ ତିନୋଟି ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯାଇଛି। ଅପରପକ୍ଷରେ ସମ୍ବିଧାନର ଧାରା ୨୭ ଅନୁଯାୟୀ, କୌଣସି ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ କୌଣସି କାର୍ଯ୍ୟର ପରିଚାଳନା ପାଇଁ କାହାରିକିୁ କିଛି ବି ଆର୍ଥିକ ସହାୟତା ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ତେଣୁ ଏହି ଆଧାରରେ ଏହି ପିଟିସନ୍ ଗ୍ରହଣୀୟ ନୁହେଁ। ସେଥିପାଇଁ ଏହାକୁ ଖାରଜ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ପରିଚାଳନା କରୁଛନ୍ତି।

Comment