ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ। ଆସନ୍ତା ସେପ୍ଟେମ୍ବର ୨୭ ଓ ୨୮ ତାରିଖରେ ସ୍ଵତନ୍ତ୍ର କ୍ୟାମ୍ପରେ ବିଧାୟକମାନଙ୍କର କରୋନା ଟେଷ୍ଟ କରାଯିବ। ଏନେଇ ବିଏମ୍‌ସି କମିସନର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।

ବିଧାୟକଙ୍କ ସମେତ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ ଆର୍‌ଟି-ପିସିଆର୍ ଟେଷ୍ଟ କରାଯିବ। ଏହି ଟେଷ୍ଟ ପରେ ପୁଣି ଅକ୍ଟୋବର ୪ ତାରିଖରେ ସବୁ ବିଧାୟକଙ୍କର ଟେଷ୍ଟ ହେବ ବୋଲି ସୂଚନା ମିଳିଛି।

ସେହିପରି ଅଧିବେଶନ ସମୟରେ ଯଦି କାହାକୁ ଅସ୍ଵାଭାବିକ ଅନୁଭବ ହୁଏ ତେବେ ସେ ଆଣ୍ଟିଜେନ୍ ଟେଷ୍ଟ କରାଇପାରିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିରୋଧୀ ଦଳ ନେତା, ବିଧାନସଭା ଓ ଲୋକସେବା ଭବନର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି। ଟେଷ୍ଟ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇବାକୁ ବିଏମ୍‌ସିକୁ ନିର୍ଦ୍ଦେଶ ଦିଆଯାଇଛି।BGUରାଜ୍ୟରେ ଗତ ଜୁଲାଇ ଶେଷ ସପ୍ତାହରୁ ବର୍ତ୍ତମାନ ସୁଦ୍ଧା ୭ ଜଣ ମନ୍ତ୍ରୀଙ୍କ ସମେତ ପାଖାପାଖି ୨୯ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ଏହାକୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଭାବେ ସବୁ ବିଧାୟକଙ୍କର କରୋନା ଟେଷ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି।

ଗତ ୧୪ ତାରିଖରେ ବଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକମାନଙ୍କ କରୋନା ଟେଷ୍ଟ ହେବା ନେଇ ସୂଚନା ଦେଇଥିଲେ। କରୋନା ଟେଷ୍ଟ ପରେ ଯେଉଁ ବିଧାୟକଙ୍କ ରିପୋର୍ଟ ନେଗେଟିଭ୍ ଆସିବ କେବଳ ସେହିମାନେ ହିଁ ବିଧାନସଭାକୁ ପ୍ରବେଶ କରିପାରିବେ ଏବଂ ମୌସୁମୀ ଅଧିବେଶନରେ ଭାଗ ନେଇପାରିବେ ବୋଲି ବାଚସ୍ପତି କହିଥିଲେ।ଏଥିସହ ବୟସ୍କ ବିଧାୟକମାନେ ନିଜ ନିଜ ଜିଲ୍ଲା ମୁଖ୍ୟାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଅଧିବେଶନରେ ଭାଗ ନେଇପାରିବେ ବୋଲି ଶ୍ରୀ ପାତ୍ର କହିଥିଲେ।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଧାନସଭା ଅଧିବେଶନ ପାଇଁ କୋଭିଡ୍ ନିୟମ କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି। ମାସ୍କ, ସାନିଟାଇଜର୍ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି।

Comment