ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼: ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକରେ ବ୍ୟାପକ ଭାବରେ ମାଣ୍ଡିଆ ଚାଷ ଆରମ୍ଭ କରାଯାଇଛି। ବ୍ଲକର ୧୦୦ ଏକରରୁ ଅଧିକ ଜମିରେ ୩୦୨ ଜଣ ଚାଷୀ ମାଣ୍ଡିଆ ଚାଷ କରୁଛନ୍ତି।

“ଏ ବର୍ଷ ମୁଁ ନୂଆ କରି ୧୦ ଏକର ଜମିରେ ମାଣ୍ଡିଆ ଚାଷ କରିଛି। ଆମର ପୂର୍ବପୁରୁଷମାନେ ଏହି ଚାଷ କରୁଥିଲେ। ହେଲେ ଗତ କିଛି ବର୍ଷ ହେବ ଆମର ତାହା ବନ୍ଦ ହୋଇଯାଇଥିଲା। ଆଗରୁ ଆମେ ବୁଣା ପ୍ରଣାଳୀରେ ମାଣ୍ଡିଆ ଚାଷ କରୁଥିଲୁ। ହେଲେ ଧାଡ଼ି ପ୍ରଣାଳୀରେ କିଭଳି ଚାଷ କରାଯାଏ ଏ ବର୍ଷ ଆମକୁ ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ସେବକ ସଂସ୍ଥା ଶିଖାଇଲା। ଆମକୁ ମାଗଣାରେ ମାଣ୍ଡିଆ ବିହନ ମଧ୍ୟ ମିଳିଥିଲା”, କହିଛନ୍ତି ବାଲିଶଙ୍କରା ବ୍ଲକର ମହିଳା ଚାଷୀ ଜୟମତୀ ଏକ୍କା।

ସୁନ୍ଦରଗଡ଼ ଜିଲ୍ଲାର ମୋଟ ଆଠଟି ବ୍ଲକ୍‌ରେ ମାଣ୍ଡିଆ ଚାଷ କରାଯାଉଛି। ଆଗରୁ ଚାରିଟି ବ୍ଲକ୍‌ରେ ହେଉଥିବା ବେଳେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ କରି ହେମଗିରି, ଲେଫ୍ରିପଡ଼ା, ଟାଙ୍ଗରପାଲି ଏବଂ ବାଲିଶଙ୍କରା ବ୍ଲକରେ ଏହି ଚାଷ ଆରମ୍ଭ କରାଯାଇଛି। ଏଥିପାଇଁ ଚାଷୀମାନଙ୍କୁ ପ୍ରେତ୍ସାହନ ଦେବା ସହିତ ମାଗଣାରେ ବିହନ, ତାଲିମ ଏବଂ ବିଭିନ୍ନ ବୈଷୟିକ ସେବା ଯୋଗାଇ ଦିଆଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଏଥିପାଇଁ ଆର୍ଥିକ ସହାୟତା ଦେଉଛି।

“ମୋର ପୂର୍ବପୁରୁଷମାନେ ମାଣ୍ଡିଆ ଚାଷ କରୁଥିଲେ। ତେବେ ଗତ ୨୫ ବର୍ଷ ହେବ ଆମେ ମାଣ୍ଡିଆ ଚାଷ ବନ୍ଦ କରି ଦେଇଥିଲୁ। ପୂର୍ବରୁ ଆମେ ବୁଣି କରି ଚାଷ କରୁଥିଲୁ। ଏ ବର୍ଷ ଆମେ ଧାଡ଼ି ପ୍ରଣାଳୀରେ ଚାଷ କରିଛୁ। ମୋର ଫସଲ ବେଶ୍‌ ଭଲ ହୋଇଛି”, କହିଛନ୍ତି ବ୍ଲକ୍‌ର ଆଉ ଜଣେ ଚାଷୀ ମନା କୁଜ୍ଜୁର।

ଜିଲ୍ଲା କୃଷି ବିଭାଗ ଅଧୀନରେ ତଥା ୱାସନ୍‌ର ପକ୍ଷରୁ ବିଭିନ୍ନ ବ୍ଲକରେ ମାଣ୍ଡିଆ ଚାଷୀମାନଙ୍କୁ ସବୁ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ବ୍ଳକ୍‌ରେ ସହଯୋଗୀ ସଂସ୍ଥାକୁ ନିୟୋଜିତ କରାଯାଇଛି। ମାଣ୍ଡିଆ ଜମିରୁ ଘାଷ ବାଛିବା ପାଇଁ ଚାଷୀମାନଙ୍କୁ ସାଇକେଲ ୱିଡର ମେସିନ୍‌ ମଧ୍ୟ ଯୋଗାଇ ଦିଆଯାଉଛି।

“ଆମେ ପ୍ରଥମେ ମାଣ୍ଡିଆ ଚାଷ ବିଷୟରେ ଚାଷୀମାନଙ୍କୁ ସଚେତନ କରାଇଲୁ। ଏହା ପରେ ଆମେ ଆମର ସହଯୋଗୀ ସଂସ୍ଥା ଓ ଗ୍ରାମ୍ୟ କୃଷି କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ଚାଷୀମାନଙ୍କୁ ଧାଡ଼ି ଚାଷ ପ୍ରଣାଳୀ ବିଷୟରେ ଅବଗତ କଲୁ। ଏହା ସହ ବିହନ ମଧ୍ୟ ଯୋଗାଇ ଦେଇଥିଲୁ। ମାଣ୍ଡିଆ ଚାଷ କରି ଚାଷୀମାନେ ଅଧିକ ଉପକୃତ ହେବେ ବୋଲି ଆମେ ଆଶା ରଖିଛୁ”, କହିଛନ୍ତି ବାଲିଶଙ୍କରା ବ୍ଲକ୍‌ର ସହକାରୀ କୃଷି ଅଧିକାରୀ ବିଶ୍ଵଜିତ କାଲୋ।

Comment