ଓଡ଼ିଶାଲାଇଭ୍ ବ୍ୟୁରୋ

  • ଡିସିପିଙ୍କୁ ଆବେଦନ କରିବେ ପୂଜା କମିଟି
  • ଯାଞ୍ଚ କରିବ ପୋଲିସ ପ୍ରଶାସନ
  • ତିନି ପଟୁ ଆବଦ୍ଧ ମଣ୍ଡପ ଭିତରେ ପୂଜା ପାଇବେ ମା’

କଟକ: ଯେଉଁ ପୂଜା ମଣ୍ଡପ ପକ୍ଷରୁ ୭ ଫୁଟ୍‌ର ମୂର୍ତ୍ତି ନିର୍ମାଣ କରାଯାଇଛି ସେମାନଙ୍କୁ ୭ ଫୁଟ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ମିଳିବ। ତେବେ ଏଥିପାଇଁ ସମ୍ପୃକ୍ତ ପୂଜା କମିଟିକୁ ଡିସିପିଙ୍କ ନିକଟରେ ସେପ୍ଟେମ୍ବର ୧୭ ସଂଧ୍ୟା ସୁଦ୍ଧା ଆବେଦନ କରିବାକୁ ପଡ଼ିବ। ପୂଜା କମିଟିଗୁଡ଼ିକର ଆବେଦନ କ୍ରମେ ପୋଲିସ ପ୍ରଶାସନ ପକ୍ଷରୁ ପୂଜା ମଣ୍ଡପକୁ ଯାଞ୍ଚ କରାଯାଇ ମୂର୍ତ୍ତି ଗଢା କାର୍ଯ୍ୟ ଆଗକୁ ନେବା ଲାଗି ଅନୁମତି ମିଳିବ। ଗତକାଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା କହିଛନ୍ତି।

ହାଇକୋର୍ଟଙ୍କ ଏହି ରାୟ ଫଳରେ ଦଶହରାରେ ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ହେବ କି’ ୭ ଫୁଟ୍ ହେବ ତାହାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଅପରପକ୍ଷରେ ତିନି ପଟୁ ଆବଦ୍ଧ ମଣ୍ଡପ ଭିତରେ ମା’ଙ୍କର ଯେଉଁ ପୂଜା ହେବ ବୋଲି ରାଜ୍ୟ ସରକାର ଗାଇଡ୍‌ଲାଇନ୍ ଜାରି କରିଥିଲେ ସେଥିରେ ହାଇକୋର୍ଟ କୌଣସି ହସ୍ତକ୍ଷେପ କରିନାହାନ୍ତି। ଫଳରେ ତିନି ପଟୁ ଆବଦ୍ଧ ମଣ୍ଡପରେ ମା’ଙ୍କର ପୂଜା ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ ହୋଇଯାଇଛି।ଦଶହରା, କାଳୀ ପୂଜା, ଲକ୍ଷ୍ମୀ ପୂଜା, କାର୍ତ୍ତିକେଶ୍ୱର ପୂଜା ଆଦି କିପରି ଅନୁଷ୍ଠିତ ହେବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା। ଏଥିରେ ଅନ୍ୟାନ୍ୟ କଟକଣା ସହ ମୂର୍ତ୍ତି ନିର୍ମାଣ ୪ ଫୁଟ୍ ଭିତରେ ହେବ ଏବଂ ଚାରିପଟୁ ମଣ୍ଡପକୁ ଆବଦ୍ଧ କରାଯାଇ ପୂଜା କରାଯିବ ବୋଲି କୁହାଯାଇଥିଲା। ଏହାକୁ ଚାଲେଞ୍ଜ କରି ବାଲୁବଜାର ପୂଜା କମିଟି ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲା। ଏଥିରେ ଆହୁରି କେତେକ ପୂଜା କମିଟି ପକ୍ଷଭୁକ୍ତ ହୋଇଥିଲେ।

ହାଇକୋର୍ଟ ଗତକାଲି ଏହି ମାମଲାର ଶୁଣାଣି କରି ଡିସିପିଙ୍କ ସହ ବିଭିନ୍ନ ପୂଜା କମିଟି ଆଲୋଚନା କରି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେଠାରେ କୌଣସି ନିଷ୍ପତ୍ତି ହୋଇ ନପାରିବାରୁ  ଗତକାଲି ଏହି ମାମଲାରେ ହାଇକୋର୍ଟରେ ବିସ୍ତୃତ ଶୁଣାଣି ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ଶୁଣାଣି ଆରମ୍ଭ ହୋଇ ପ୍ରାୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ଶେଷରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଗତକାଲି ସଂଧ୍ୟା ସୁଦ୍ଧା ଯେଉଁ ପୂଜା କମିଟି ଯେତିକି ଉଚ୍ଚତାର ମୂର୍ତ୍ତି ତିଆରି କରିଥିବେ ସେମାନଙ୍କୁ ସେତିକି ଉଚ୍ଚତାର ମୂର୍ତ୍ତି ତିଆରି ପାଇଁ ଅନୁମତି ମିଳିବ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।

ଗତକାଲି ଏହି ମାମଲାର ଶୁଣାଣି ଆରମ୍ଭ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ୭ ଫୁଟ୍ ମୂର୍ତ୍ତି ନିର୍ମାଣକୁ ପୁଣି ବିରୋଧ କରାଯାଇଥିଲା। ଏହାକୁ ଆବେଦନକାରୀ ତଥା ବିଭିନ୍ନ ପକ୍ଷଙ୍କ ପକ୍ଷରୁ ବିରୋଧ କରାଯିବା ସହ କେବଳ ଆବେଦନକାରୀମାନଙ୍କୁ ୭ ଫୁଟ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇ ଯେଉଁସବୁ ପୂଜା ମଣ୍ଡପ ୭ ଫୁଟ୍‌ର ମୂର୍ତ୍ତି ନିର୍ମାଣ କରିଥିବେ ସେ ସମସ୍ତ ପୂଜା କମିଟି ଡିସିପିଙ୍କ ନିକଟରେ ସଂଧ୍ୟା ୭ଟା ଭିତରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହିସବୁ ପୂଜା ମଣ୍ଡପର ଆବେଦନ କ୍ରମେ ପୋଲିସ ପ୍ରଶାସନ ସେହିସବୁ ପୂଜା ମଣ୍ଡପକୁ ଯାଞ୍ଚ କରାଯାଇ ସେଠାରେ ଯଦି ୭ ଫୁଟ୍ ମୂର୍ତ୍ତି ନିର୍ମାଣ ହୋଇଥାଏ ସେମାନଙ୍କୁ ଅନୁମତି ଦେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ବାଲୁବଜାର ପୂଜା କମିଟି ପକ୍ଷରୁ ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ, ଅନ୍ୟ କେତୋଟି ପୂଜା କମିଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ବୁଦ୍ଧଦେବ ରାଉତରାୟ, ମନୋଜ ମିଶ୍ର, ଆଇନଜୀବୀ ବିଜୟ ଦାସ ପ୍ରମୁଖ ମାମଲା ପରିଚାଳନା କରୁଥିଲେ।

Comment