ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ ସହରରେ ଲାଗୁ ହେଲା ଧାରା ୧୪୪। କରୋନାର କାୟା ବିସ୍ତାର ରୋକିବାକୁ ଯାଇ ମୁମ୍ବାଇ ପୋଲିସ୍ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଜନସାଧାରଣଙ୍କ ମୁକ୍ତ ଚଳପ୍ରଚଳକୁ ବନ୍ଦ କରିଦିଆଯାଇଛି।

ପୋଲିସ୍ ପକ୍ଷରୁ କୁହାଯାଇଛି ଯେ, କେବଳ ଅତ୍ୟାବଶ୍ୟକ କାମ ପାଇଁ ଲୋକମାନେ ବାହାରକୁ ବାହାରିପାରିବେ। ଏହାବାଦ୍ ଅନ୍ୟ କୌଣସି ଲୋକଙ୍କୁ ବାହାରେ ବୁଲିବାର ସୁଯୋଗ ଦିଆଯିବ ନାହିଁ। ଯଦି କୌଣସି ଲୋକ ଆଇନର ଉଲ୍ଲଘଂନ କରେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ କିଛି ଦିନ ତଳେ ଏହି ସଂକ୍ରମଣରେ ରୋକ୍ ଲାଗିଥିଲା। ହେଲେ ଅନଲକ୍ ପକ୍ରିୟାରେ ଦୋକାନ ବଜାର ଖୋଲିଯିବା ପରେ ଏବେ ପୁଣିଥରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ବୁଧବାର କେବଳ ମୁମ୍ବାଇ ସହରରୁ ୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ସଂକ୍ରମଣ ରୋକିବାକୁ ସହରରେ ୧୪୪ ଧାରା ଲାଗୁ କରାଯାଇଛି।

ମୁମ୍ବାଇ ସହ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ମହାରାଷ୍ଟ୍ରରୁ ୧୧ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ପାଖାପାଖ ୮ ଲକ୍ଷ ସୁସ୍ଥ ହୋଇଥିବାବେଳେ ୩ ଲକ୍ଷ ଏବେ ବି ସକ୍ରିୟ ଅଛନ୍ତି। ମହାରାଷ୍ଟ୍ରରେ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୦ ହଜାର ଟପିସାରିଛି।

Comment