ଓଡ଼ିଶାଲାଇଭ୍ ବ୍ୟୁରୋ

  • କରୋନା ଖାଇଦେଇଛି ରୋଜଗାର
  • ଏଯାଏଁ ଖୋଲିପାରିନି ବରାଦି ଖାତା
  • ହାତରେ ନାହିଁ ଗୋଟିଏ ବି ମେଲୋଡି ଅର୍ଡର
  • ୧୯୯୯ ମହାବାତ୍ୟା ପରେ ୨୦୨୦ରେ ପ୍ରଥମଥର ଏଭଳି ସ୍ଥିତି
  • ନିରବ ହୋଇ ବସିଛନ୍ତି ସରକାର

ଏତେ ବେଳକୁ ଜମି ଆସନ୍ତାଣି ରିହରସଲ୍। ତାଳକୁ ତାଳ ଦେଇ ଉଛୁଳି ପଡ଼ନ୍ତା ପାର୍ଟି ଆଖଡ଼ା। ଗୀତ ଉଠା ସରନ୍ତାଣି। ଅର୍ଡର ବି ଆସନ୍ତାଣି। ଯେଉଁଠି ଦୁର୍ଗାପୂଜାର ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ ଗ୍ରୁପ୍‌କୁ ବରାଦ ମିଳିଥାଏ ସେଠି ଏଥର ଗୋଟିଏ ବି ବରାଦ ମିଳିନାହିଁ। ଏମିତିକି ବରାଦି ଖାତା ବି ଖୋଲିନାହାନ୍ତି ମେଲୋଡି ଗ୍ରୁପ୍। ୧୯୯୯ ମହାବାତ୍ୟା ପରେ ଚଳିତବର୍ଷ ଏଭଳି ସମସ୍ୟାର ସମ୍ମୁଖିନ ହୋଇଛନ୍ତି ମେଲୋଡି କଳାକାର।

କଟକ ଦଶହରାରେ ମେଲୋଡିର ଚାହିଦା ସ୍ୱତନ୍ତ୍ର। ସାଂସ୍କୃତିକ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ପୂଜା କମିଟି ମେଲୋଡି ଆୟୋଜନ କରିବାକୁ ପସନ୍ଦ କରିଥାନ୍ତି। ଚାହିଦାକୁ ଦେଖି ମେଲୋଡି ଗ୍ରୁପ୍ ମାନେ ଢେର ଦିନ ଆଗରୁ ପ୍ରସ୍ତୁତି ଚଳାଇଥାନ୍ତି। ଗଣେଶ ପୂଜାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ପ୍ରାୟ ୪ମାସ ଧରି ସବୁ ମେଲୋଡି ଗ୍ରୁପ୍ ଅଳ୍ପ ବହୁତ ବରାଦ ପାଇଥାନ୍ତି। ଯାହାଫଳରେ ଗଣେଶ ପୂଜାର ୧୫ଦିନ ଆଗରୁ କଳାକାର ଏକାଠି ହୋଇ ଅଭ୍ୟାସ କରିଥାନ୍ତି।ଯଦି କେବଳ କଟକ ଓ ଭୁବନେଶ୍ୱର ଦେଖାଯାଏ ଟୁଇନ୍ ସିଟିରେ ପ୍ରାୟ ୪୦ଟି ମେଲୋଡି ଗ୍ରୁପ୍ ଅଛନ୍ତି ଯେଉଁମାନେ ପାର୍ବଣରେ ସକ୍ରିୟ ଥାଆନ୍ତି। ଆକର୍ଷଣ ବଢାଇବାକୁ କିଛି ପ୍ରମୁଖ ଗ୍ରୁପ୍ ଓଲିଉଡ୍‌ର କଣ୍ଠଶିଳ୍ପୀଙ୍କୁ ମଧ୍ୟ ଗ୍ରୁପ୍‌ରେ ନିମନ୍ତ୍ରିତ କଣ୍ଠଶିଳ୍ପୀ ଭାବେ ସାମିଲ୍ କରିଥାନ୍ତି।

ସାଗରସଙ୍ଗମ, ଗୀତସାଗର, କିଙ୍ଗ୍‌ସ ଆଣ୍ଡ୍ କୁଇନ୍ସ, ସଙ୍ଗମ ଅର୍କେଷ୍ଟ୍ରା, ସରଗମ ଅର୍କେଷ୍ଟ୍ରା, ସୂର ମିଲନ୍ ଭଳି ମେଲୋଡି ଗ୍ରୁପ୍‌ର ବେଶ୍ ଚାହିଦା ରହିଥାଏ। ମେଲୋଡି କାର୍ଯ୍ୟକ୍ରମ ପାଇଁ ଗୋଟିଏ ସନ୍ଧ୍ୟାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି ପୂଜା କମିଟି। ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ପୂଜା ମଣ୍ଡପ ପାଖ ମଞ୍ଚ ଦୁଲୁକିଥାଏ। ମେଲୋଡି ଆୟୋଜନରେ ଛତ୍ରବଜାର, ମାଲଗୋଦାମ, ବାଦାମବାଡ଼ି-ଶଙ୍କରପୁର, ଖାନ୍‌ନଗର, ଶିଖରପୁର-ଗଣ୍ଡରପୁର-ମହାନଦୀବିହାର, ଚାନ୍ଦିନୀଚୌକ, ଶେଖ୍‌ବଜାର, ଯୋବ୍ରା, କଲେଜଛକ ଭଳି ପୂଜା କମିଟିର ମଣ୍ଡପ ପାଖରେ ଜମାଣିଆ ମେଲୋଡ଼ି କାର୍ଯ୍ୟକ୍ରମ ଦେଖିବାକୁ ମିଳେ। କିନ୍ତୁ ଏଥର ଏ ପରିବେଶ ଦେଖିବାକୁ ନ ମିଳିବାର ଆଶଙ୍କା ରହିଛି।କରୋନା ମହାମାରୀ ଯୋଗୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ନାହିଁ। ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲେ ଜନସମୂହ ଏକଜୁଟ୍ ହେବାର ସମ୍ଭାବନା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହାକୁ ନେଇ ମେଲୋଡି ଉପରେ ନିର୍ଭର କରି ଚଳୁଥିବା କଳାକାର ମାନେ ସମସ୍ୟାର ସମ୍ମୁଖିନ ହୋଇଛନ୍ତି।

“କରୋନା ଯୋଗୁଁ କଳାକାର ମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଖାଇବାକୁ ବି ସେମାନଙ୍କ ପାଖରେ ପଇସା ନାହିଁ। ମେଲୋଡି, ଭଜନ ଆଦି କାର୍ଯ୍ୟକ୍ରମ କରି ଆମେ ଚଳି ଯାଉଥିଲୁ। କିନ୍ତୁ ଏବେ ସେତକ ବି ବନ୍ଦ। ରାଜ୍ୟ ସରକାରଙ୍କୁ ବାରମ୍ବାର ଆମ ଦୁଃଖ ଜଣାଇଥିଲେ ମଧ୍ୟ ତାର କିଛି ପ୍ରଭାବ ପଡିନାହିଁ”, କହିଛନ୍ତି ଓଡ଼ିଶା ମ୍ୟୁଜିକ୍ ଆର୍ଟିଷ୍ଟ୍ ୱେଲଫେୟାର୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଜିତୁ ମଙ୍ଗରାଜ।ଗତ ୭ ମାସ ହେଲାଣି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଚଳିବା ସେମାନଙ୍କ ପାଇଁ ମୁସ୍କିଲ୍ ହୋଇପଡିଛି। ପାର୍ବଣର ୪ମାସ ବ୍ୟତୀତ ବର୍ଷର ଅନ୍ୟ ସମୟରେ କଳାକାର ମାନେ କଲେଜ ବାର୍ଷିକ ଉତ୍ସବ, ବାହାଘର ଉତ୍ସବ ଏବଂ ବିଭିନ୍ନ କମ୍ପାନିର ସାଂସ୍କୃତିକ କାର୍ଯ୍ୟକ୍ରମ କରି ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ଏଥର କରୋନା ମହାମାରୀ ଯୋଗୁଁ ଏ ସବୁ ବନ୍ଦ ରହିଛି।

ଏହା ସହିତ ପାର୍ବଣରେ ବି କାର୍ଯ୍ୟକ୍ରମ ପାଇଁ ଅନୁମତି ନାହିଁ। ଯାହାଫଳରେ କଳାକାର ମାନେ ଦୈନନ୍ଦିନ ଜୀବନରେ ଚଳିବା ପାଇଁ ସଂଘର୍ଷର ସମ୍ମୁଖିନ ହେଉଛନ୍ତି। କଳାକାର ନିଜର ଦୁଃସ୍ଥିତିକୁ ବୟାନ୍ କରିବାକୁ ଯାଇ ଗତ କିଛି ଦିନ ପୂର୍ବରୁ ଗୋଟିଏ ଗୀତ ରିଲିଜ୍ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ଡାକି ଆଲୋଚନା ମଧ୍ୟ କରାଯାଇଥିଲା। କିନ୍ତୁ ପରେ କୌଣସି ସୁବିଧା ସୁଯୋଗ ପ୍ରଦାନ କରାଗଲାନାହିଁ।

LEAVE A REPLY

Please enter your comment!
Please enter your name here