ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଭୁବନେଶ୍ଵରରୁ ଆସି କେନ୍ଦ୍ରାପଡ଼ାରେ ଧରାହେଲେ ୪ ଅପହରଣକାରୀ। ସେ ବି ବଡ଼ ନାଟକୀୟ ଢଙ୍ଗରେ। ଯେଉଁ ଗାଡ଼ିରେ ଆସିଥିଲେ, ସେ ଗାଡ଼ିର ଡ୍ରାଇଭରକୁ ଅପହରଣ କରି ପୁରା କେନ୍ଦ୍ରାପଡ଼ା ବୁଲାଇଲେ। ଶେଷରେ ପଟ୍ଟାମୁଣ୍ଡାଇ ବଜାରରେ ଦୁର୍ଘଟଣା ଘଟିବାରୁ ଧରାପଡ଼ିଥିଲେ ଅଭିଯୁକ୍ତମାନେ।

ପୁରା ଘଟଣା ଟା ହେଉଛି କିଛି ଏମିତି – ବୁଧବାର ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ୍ ଓଲା ଷ୍ଟାଣ୍ଡରୁ କାରଟିଏ ବୁକ୍ କରି ୪ ଜଣ ଯୁବକ କେନ୍ଦ୍ରପଡ଼ା ଆସିଥିଲେ। ଅଧା ରାସ୍ତାରେ କାର୍‌ର ଡ୍ରାଇଭରକୁ ବନ୍ଧୁକ ଦେଖାଇ କାର୍‌କୁ ନିଜ ଅକ୍ତିଆରକୁ ନେଇଯାଇଥିଲେ ଯୁବକମାନେ। ଡ୍ରାଇଭରଟି କିଛି ବୁଝିବା ଆଗରୁ ତାକୁ ନିଶା ଇଞ୍ଜେକସନ୍ ଦେଇ ହାତଗୋଡ଼ ବାନ୍ଧି ଗାଡ଼ି ଡିକିରେ ପକାଇଦେଲେ। ଏହାପରେ ପୁରା କେନ୍ଦ୍ରାପଡ଼ାରେ ବୁଲାବୁଲି କରିବା ପରେ, ପଟ୍ଟାମୁଣ୍ଡାଇ ବଜାରରେ ଗୋଟେ ଅଟୋକୁ ଧକ୍କା ଦେଲା ସେମାନଙ୍କ କାର୍। ଡିକିରୁ ଛିଟିକି ପଡ଼ିଲେ ଅପହୃତ ଡ୍ରାଇଭର।ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୪ ଯୁବକମାନଙ୍କ ମଧ୍ୟରୁ ୩ ଜଣକୁ କାବୁ କରିବାରେ ସଫଳ ହୋଇଥିଲା। ଏଥିସହ ଅପହୃତ ଡ୍ରାଇଭରକୁ ପୋଲିସ ଉଦ୍ଧାର କରିଥିଲା। ଘଟଣା ବିଷୟରେ ଖବର ପାଇ ଗାଡ଼ି ମାଲିକ ପଟ୍ଟାମୁଣ୍ଡାଇ ଥାନାରେ ସେହି ଯୁବକମାନଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ଦଫାରେ ମାମଲାରୁଜୁ କରି ସେମାନଙ୍କୁ ଗିରଫ କରିଛି। ଏମାନଙ୍କୁ ଥାନାରେ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଛନ୍ତି।

ତେବେ ଏହି ଲୁଟେରା ମାନେ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନଙ୍କଠାରୁ ପିସ୍ତଲ ଓ ଇଞ୍ଜେକସନ ସିରିଞ୍ଜ ଆଦି ଅନେକ ଆପତ୍ତି ଜନକ ଜିନିଷ ଜବତ କରିଛି ପୋଲିସ। ତେବେ ମୁଖ୍ୟ ଅଭିଯୁକ୍ତ ଧରା ପଡିନଥିବା ହେତୁ ପୋଲିସ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିନି।

Comment