ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଳୁ ପିଆଜ ଦର ହଠାତ ବଢ଼ିଯାଇଛି। ଏନେଇ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କଟକ ଛତ୍ର ବଜାରରେ ଆଳୁ ଖୁଚୁରା ଦରରେ ୩୩ ଟଙ୍କାରେ ବିକ୍ରି ହେଉଥିବା ବେଳେ ହୋଲସେଲ ଦାମ ୨୮ ଟଙ୍କା ରହିଛି। ସେହିଭଳି ପିଆଜ ମଧ୍ୟ ଯଥାକ୍ରମେ ୫୦ ଓ ୪୦ ଟଙ୍କା ହୋଇଛି।
ଛତ୍ରବଜାର ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁଙ୍କ କହିବା ଅନୁଯାୟୀ, ଓଡ଼ିଶା ସମେତ ପ୍ରାୟତଃ ସବୁ ରାଜ୍ୟ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାନ୍ତି। ତେବେ ଭୀଷଣ ବର୍ଷା ଯୋଗୁଁ ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ ଏବର୍ଷ ମାଡ଼ ଖାଇଛି।
ପିଆଜ ଦର ବୃଦ୍ଧି ନେଇ ସେ କହିଛନ୍ତି ଯେ, ନାସିକ ବ୍ୟତୀତ ଓଡ଼ିଶାର ବ୍ୟବସାୟୀମାନେ ବେଙ୍ଗାଲୁରୁ ଓ କର୍ନୁଲ ପିଆଜ ଉପରେ ନିର୍ଭରଶୀଳ। ଏହି ସବୁ ଜାଗାରେ ମଧ୍ୟ ବର୍ଷା ପାଇଁ ଫସଲ ହାନି ହୋଇଛି। କିଛି ଦିନ ତଳେ ମହାରାଷ୍ଟ୍ରରେ ଭୀଷଣ ବର୍ଷା ଲାଗି ରହିବା ଯୋଗୁଁ ଫସଲ ନଷ୍ଟ ହେବା ପରେ ନାସିକରୁ ପିଆଜ ଆସିବା ବନ୍ଦ ହୋଇଯାଇଛି।
ଛତ୍ର ବଜାରକୁ ଦୈନିକ ଆଠ ଦଶ ଟ୍ରକ ଆଳୁ ଓ ପାଞ୍ଚ ସାତ ଟ୍ରକ ପିଆଜ ଆସିଥାଏ। ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ କିନ୍ତୁ ଗତ ତିନି ଦିନ ଧରି ଗୋଟିଏ ବି ଟ୍ରକ ଆସିନାହିଁ। ଏହି କାରଣରୁ ପିଆଜ ଚଢ଼ା ଦରରେ ବିକ୍ରି ହେଉଛି ବୋଲି ଶ୍ରୀ ସାହୁ କହିଛନ୍ତି।
ଆଗକୁ ଦର ଆହୁରି ବଢ଼ିବକି ବୋଲି ପଚାରିବାରୁ ସେ କହିଛନ୍ତି ଯେ, ଯଦି ମାଲ ନଆସିଲା ଦରବୃଦ୍ଧି ସୁନିଶ୍ଚିତ।
ଭୁବନେଶ୍ୱରରେ ବୁଧବାର ଦିନ ଆଳୁ କିଲୋ ୩୫ ଟଙ୍କା ହୋଇଥିବା ବେଳେ ପିଆଜ ୫୦ ଟଙ୍କାରେ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଇଛି।


















