ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାଲେଶ୍ୱର ହେବାକୁ ଅଛି ଉପ-ନିର୍ବାଚନ
  • ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ରେସରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜେନା
  • ତଥାପି ଜୀବନ ପ୍ରଦୀପ ଦାଶଙ୍କୁ ଟିକେଟ୍ ମିଳିବା ପକ୍କା ନୁହେଁ

ବାଲେଶ୍ୱର ଉପ- ନିର୍ବାଚନ ଟିକଟ ରେସରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଆଉଟ୍। ଗତକାଲିର ହାଇଡ୍ରାମା ପରେ ନିଜେ ରବୀନ୍ଦ୍ର ଉପ-ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ତେବେ ଏତେ ପର୍ଯ୍ୟନ୍ତ କଥା କାହିଁକି ଗଲା। ଗୁରୁବାର ଏକ ମୁଦ୍ରିତ ଗଣମାଧ୍ୟମରେ ସେ ଦଳ ଛାଡୁଥିବା ନେଇ ଖବର ପ୍ରକାଶ ପାଇବା ପରେ ସେପ୍ଟେମ୍ବରରେ ବି ପ୍ରବଳ ଗରମ ହୋଇଥିଲା ବାଲେଶ୍ୱରରେ। ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛାଡ଼ି କିଛି କର୍ମୀ ରବୀନ୍ଦ୍ର ଜେନାଙ୍କ ଘରେ ଭିଡ଼ ଲଗାଇଥିଲେ। ପ୍ରଥମେ ଟିକଟ ପାଇବା ନେଇ ତାଙ୍କୁ ଭରସା ମିଳିନଥିଲା। ଏହା ପରେ ନିର୍ବାଚନ ପାଇଁ ଦାୟିତ୍ୱ ବଣ୍ଟନ ବେଳେ ତାଙ୍କୁ କୌଣସି ନିର୍ଦ୍ଦିଷ୍ଟ ଦାୟିତ୍ୱ ମିଳିନଥିଲା ବୋଲି ତାଙ୍କ ସମର୍ଥକ କହୁଛନ୍ତି।

ଅନ୍ୟ ଏକ ଗୋଷ୍ଠୀର କହିବା କଥା ରବୀନ୍ଦ୍ର ଜିଲ୍ଲା ସଭାପତି, ତେଣୁ ତାଙ୍କୁ କିଛି ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯିବ କେମିତି। ବରଂ ସାମଗ୍ରିକ ଦାୟିତ୍ୱ ତାଙ୍କ ଉପରେ। ତେଣୁ ଏହାର ଭୁଲ୍ ଅର୍ଥ ବାହାର କଲେ ରବୀନ୍ଦ୍ର। କିନ୍ତୁ ରବୀନ୍ଦ୍ରଙ୍କ ଗୋଷ୍ଠୀର ଲୋକଙ୍କ କହିବା କଥା, ରବୀନ୍ଦ୍ର ଲୋକସଭା ନିର୍ବାଚନ ହାରିବା ପରେ ରାଜ୍ୟସଭାକୁ ଯିବା ପାଇଁ ଚାହୁଁଥିଲେ। ହେଲେ ନବୀନ କୌଣସି ହାରିଥିବା ଲୋକଙ୍କୁ ରାଜ୍ୟସଭା ପଠାଇବାକୁ ଚାହୁଁ ନ ଥିଲେ। ତେଣୁ ତାଙ୍କୁ ସୁଯୋଗ ମିଳିନଥିଲା। ଏହା ପୂର୍ବରୁ ସେ ବିଧାନସଭା ନିର୍ବାଚନ ବେଳେ ପତ୍ନୀ ସୁବାସିନୀ ଜେନାଙ୍କ ପାଇଁ ଟିକଟ ଆଶା କରୁଥିଲେ, ହେଲେ ତାହା ମଧ୍ୟ ଆଶାରେ ରହିଯାଇଥିଲା।

ଏବେ ଉପ ନିର୍ବାଚନ ପାଇଁ ଟିକେଟ ରେସରେ ତାଙ୍କ ନାଁ ବହୁତ ଦିନ ଧରି ଚର୍ଚ୍ଚାରେ ରହିବା ପରେ ନିଜେ ସେ ଏହା ଉପରେ ଯବନୀକା ପକାଇଛନ୍ତି। ତେବେ ଏ ଯବନୀକାରୁ ଜୀବନଙ୍କୁ କେତେ ଫାଇଦା ମିଳିବ, ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଜୀବନଙ୍କୁ ଟିକଟ ମିଳିବ କି ନାହିଁ ତାହା ଏବେଠାରୁ ସ୍ପଷ୍ଟ କହିହେବ ନାହିଁ। ସାଧାରଣ ନିର୍ବାଚନରେ ହାରିଥିବା ପ୍ରାର୍ଥୀଙ୍କୁ ଦଳ ଆଉଥରେ ପ୍ରାର୍ଥୀ କରିବ କି ନାହିଁ। ବିଜେପି ପକ୍ଷରେ ଥିବା ଅନୁକମ୍ପା ଭୋଟ ସହ ମୁକାବିଲା କରିବା ପାଇଁ ଜୀବନ ସମର୍ଥ ହେବେ କି ନାହିଁ ତାକୁ ନେଇ ବିଜେଡି ସୁପ୍ରିମୋ ଅବଶ୍ୟ ଚିନ୍ତା କରିବେ।ଗତଥର ରବୀନ୍ଦ୍ର ଓ ଜୀବନ ଉଭୟ ହାରିଥିଲେ। ଗୋଟିଏ ପଟେ ନବୀନଙ୍କ ହାୱାରେ ସଦରକୁ ଲାଗିଥିବା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସୁଧାଂଶୁ ପରିଡ଼ା ଜିତିଯାଇଥିଲେ। କିନ୍ତୁ ବାଲେଶ୍ୱର ସହାରଞ୍ଚଳ ଭୋଟ ଉପରେ  ନିର୍ଭର କରୁଥିବା ସଦର ନିର୍ବାଚନ ମଣ୍ଡଳୀରେ ଜୀବନଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ପ୍ରାୟ ୧୩ ହଜାର ଭୋଟରେ ଜିତିଥିଲେ ବିଜେପି ପ୍ରାର୍ଥୀ ମଦନମୋହନ  ଦତ୍ତ। ଏବେ ବିଜେପି ସପକ୍ଷରେ ଅନୁକମ୍ପା ଥିବାରୁ, ବିଜେଡି କୌଣସି ପରିସ୍ଥିତିରେ କୌଣସି ଭୁଲ କରିବାକୁ ଚାହିଁବ ନାହିଁ। ଏ ପରିସ୍ଥିତିରେ ଯଦି ରବୀନ୍ଦ୍ର-ଜୀବନଙ୍କ ମଧ୍ୟରେ କୌଣସି କନ୍ଦଳ ରହିଲା ତେବେ ବିଜେଡି ପାଇଁ ମହଙ୍ଗା ପଡ଼ିବ। ତେଣୁ ଯଦି ନବୀନ ଏ ଦୁଇଜଣଙ୍କୁ ବାଦ୍ ଦେଇ ତୃତୀୟ ପ୍ରାର୍ଥୀଙ୍କୁ ଟିକଟ ଦିଅନ୍ତି, ତେବେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ବାଲେଶ୍ୱର ରାଜନୀତି ଉପରେ ଦୀର୍ଘ ଦିନ ଧରି ନଜର ରଖିଥିବା ସମୀକ୍ଷକଙ୍କ ମତ।

Comment