ଓଡ଼ିଶାଲାଇଭ୍ ଏଣ୍ଟରନଟେନ୍ମେଣ୍ଟ ବ୍ୟୁରୋ
ଅଶୀ ଓ ନବେ ଦଶକରେ ବାଲାସୁବ୍ରମଣ୍ୟମଙ୍କ ଗୀତର ଲକ୍ଷାଧିକ ଶ୍ରୋତା ଓ ପ୍ରଶଂସକ ଥିଲେ। ୫୫ ବର୍ଷର ସଙ୍ଗୀତ କ୍ୟାରିୟରରେ ୪୦ ହଜାର ଗୀତରେ ଚମକିଥିବା ବାଲାଙ୍କ ସ୍ୱର ଆଜି ନିରବ। ୭୪ ବର୍ଷ ବୟସରେ ଆଖି ବୁଜିଛନ୍ତି ବାଲା। ତା’ ସହ ଭାରତୀୟ ସଙ୍ଗୀତରେ ଗୋଟିଏ ଯୁଗର ଅବସାନ ଘଟିଛି।
ନବେ ଦଶକର ଦୁଇଟି ବ୍ଲକବଷ୍ଟର ସିନେମାର ଗୀତ ମନେ ପକାନ୍ତୁ। ଗୋଟିଏ ସଲମାନଙ୍କ ଅଭିନୀତ ‘ମୈନେ ପ୍ୟାର କିୟା’ର ‘ଆଜା ଶାମ୍ ହୋନେ ଆଇ… ମୌସମ୍ ନେ ଲି ଅଙ୍ଗଡାଇ… ତୋ କିସ୍ ବାତ୍ କି ହୈ ଲଡାଇ… ତୁ ଚଲ୍ ମେଁ ଆଇ’। ଅନ୍ୟଟି କମଲ ହାସନଙ୍କ ଅଭିନୀତ ‘ଏକ ଦୁଜେ କେଲିୟେ ସିନେମାର’ର ‘ତେରେ ମେରେ ବିଚ୍ ମେଁ କୈସା ହେ ୟେ ବନ୍ଧନ ଅନ୍ଜାନା’। ଉପରୋକ୍ତ ଦୁଇଟି ଲୋକପ୍ରିୟ ଗୀତ ସେତେବେଳେ ଯୁବପିଢ଼ିଙ୍କ ମୁହଁରେ ଥିଲା ଆଉ ଏହି ଚିର ସବୁଜ ଗୀତରେ ଏସ୍.ପି. ବାଲାସୁବ୍ରମଣ୍ୟମଙ୍କର ହିଁ ସ୍ୱର ପ୍ରତିଧ୍ୱନିତ ହେଉଥିଲା। ସଲମାନ ଓ କମଲ ହାସନଙ୍କ ଅଭିନୀତ ପ୍ରାୟ ସିନେମାର ଗୀତଗୁଡ଼ିକରେ ଥିଲା ବାଲାଙ୍କ କଣ୍ଟସ୍ୱରର ମ୍ୟାଜିକ୍।
୪୦ ହଜାର ଗୀତରେ ଥିଲା ଏସ୍ପିବିଙ୍କ ଚିର ସବୁଜ କଣ୍ଠସ୍ୱର
ସେ ଏକାଧାରରେ ଗାୟକ, ଅଭିନେତା, ନିର୍ଦ୍ଦେଶକ ଏବଂ ଜଣେ ଚମତ୍କାର ଡବିଂ ଆର୍ଟିଷ୍ଟ। ନିଜ ପ୍ରିୟ ଶ୍ରୋତାଙ୍କ ହୃଦୟକୁ ଛୁଇଁବା ପାଇଁ ବାଲାସୁବ୍ରଣ୍ୟମଙ୍କ ସ୍ୱରକୁ କୌଣସି ଭାଷା ବାନ୍ଧି ରଖିପାରି ନ ଥିଲା କି ପ୍ରତିବନ୍ଧକ ହୋଇ ନ ଥିଲା। ୫୫ ବର୍ଷର ସଙ୍ଗୀତ କ୍ୟାରିୟର। ତା’ ଭିତରେ ସେ ତେଲୁଗୁ, ତାମିଲ, କନ୍ନଡ଼, ହିନ୍ଦୀ, ମାଲାୟାଲମ ପରି ଭାରତର ୧୬ଟି ଭାଷାରେ ୪୦ ହଜାର ଗୀତ ଗାଇଛନ୍ତି। ପୃଥିବୀର ଯେକୌଣସି କଣ୍ଠଶିଳ୍ପୀ ଭାବେ ସେ ସର୍ବାଧିକ ଗୀତ ଗାଇବାର ରେକର୍ଡ଼ କରିଛନ୍ତି। ଏଥିପାଇଁ ତାଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ରେ ସାମିଲ ହୋଇଛି। ଏହା ବ୍ୟତୀତ ସେ ତେଲୁଗୁ, କନ୍ନଡ଼, ତାମିଲ ଓ ହିନ୍ଦୀ ଭାଷାରେ ୪୫ଟି ସିନେମାର ଗୀତ କମ୍ପୋଜ କରିଥିଲେ। ୪୦ଟି ସିନେମାରେ ଥିଲା ତାଙ୍କର ଚମତ୍କାର ଅଭିନୟର ଝଲକ।
ଅଶୀ ଓ ନବେ ଦଶକରେ ତାଙ୍କର ଗୀତର ଲକ୍ଷାଧିକ ଦିୱାନା ଥିଲେ। ଦକ୍ଷିଣ ଭାରତୀୟ ସିନେମାରେ ଯେତେବେଳେ ରଜନୀକାନ୍ତ ଜଣେ ସୁପରଷ୍ଟାର ଭାବେ ଉଭା ହେବା ଆରମ୍ଭ କଲେ, ସେତେବେଳେ ଏସ୍ପିବିଙ୍କ ଗୀତରୁ ହିଁ ତାଙ୍କ ଅଭିନୀତ ଫିଲ୍ମର ଚମତ୍କାର ଶୁଭାରମ୍ଭ ହେଉଥିଲା। ଏସ୍ପିବିଙ୍କ ଗୀତ ବିନା ରଜନୀକାନ୍ତଙ୍କ ସିନେମାକୁ ଦର୍ଶକ ଗ୍ରହଣ କରିପାରୁ ନ ଥିଲେ।
ବାପା ଚାହୁଁଥିଲେ ସେ ଇଞ୍ଜିନିୟର ହେବେ, ପାଲଟିଗଲେ କିମ୍ବଦନ୍ତୀ କଣ୍ଠଶିଳ୍ପୀ
୪ ଜୁନ୍ ୧୯୪୬। ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ। ପୂରା ନାମ ଶ୍ରୀପଥୀ ପଣ୍ଡିତାରାଧ୍ୟୁଲ ବାଲାସୁବ୍ରମଣ୍ୟମ। ବାପା ଚାହୁଁଥିଲେ ସେ ଇଞ୍ଜିନିୟର ହୁଅନ୍ତୁ। ସେଥିଲାଗି ସେ ଇଞ୍ଜିନିୟରିଂ ଶିକ୍ଷାକ୍ରମରେ ଦାଖଲା ହୋଇଥିଲେ। କିନ୍ତୁ ନିୟତି ତାଙ୍କ ପାଇଁ କିଛି ଅଲଗା ଲେଖିଥିଲା। ଟାଇଫଏଡ୍ରେ ପୀଡ଼ିତ ହୋଇ ସେ ଇଞ୍ଜିନିୟରିଂ ପାଠପଢ଼ା ଅଧାରୁ ଛାଡ଼ିଲେ। ସଙ୍ଗୀତର ନିଶା ପିଲାବେଳୁ ଥିଲା। ସେ ହାରମୋନିୟମ ଓ ବଂଶୀ ଚମତ୍କାର ବଜାଇ ପାରୁଥିଲେ। ୧୯୬୪ରେ ସେତେବେଳର ମାଡ୍ରାସର ତେଲୁଗୁ ସାଂସ୍କୃତିକ ଅନୁଷ୍ଠାନ ଏକ ସଙ୍ଗୀତ ପ୍ରତିଯୋଗିତାର ଆୟୋଜନ କରିଥିଲା, ଯେଉଁଥିରେ ବାଲାଙ୍କୁ ହିଁ ମିଳିଥିଲା ପ୍ରଥମ ପୁରସ୍କାର। ତାହା ହିଁ ତାଙ୍କ ପାଇଁ ଥିଲା ଟର୍ଣ୍ଣିଂ ପଏଣ୍ଟ।
ସିନେମା ଜଗତ ପାଇଁ ସେ ସଂକ୍ଷେପରେ ଏସ୍ପିବି ଓ ବାଲା ଭାବେ ପରିଚିତ ଥିଲେ
୧୯୬୬ରେ ତେଲୁଗୁ ସିନେମା ‘ଶ୍ରୀ ଶ୍ରୀ ମର୍ୟାଧା ରାମନ୍ନା’ରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଡେବ୍ୟୁ କରିଥିଲେ ଏସ୍ପିବି। କେବଳ ସିନେମା ଗୀତ ନୁହେଁ, ଶାସ୍ତ୍ରୀୟ ସଙ୍ଗୀତରେ ବି ତାଙ୍କୁ କିମ୍ବଦନ୍ତୀ ଭାବେ ଗ୍ରହଣ କରାଯାଏ। ତାଙ୍କ ସ୍ୱରରେ ଶାସ୍ତ୍ରୀୟ ଛିଟା, ଅନଭୁବର ଗଭୀରତା, ମାଷ୍ଟର ଶୈଳୀ ଶ୍ରୋତାଙ୍କୁ ତୁରନ୍ତ ତାଙ୍କ ଗୀତ ଆଡ଼କୁ ଟାଣି ନେଉଥିଲା। ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ସେ ସଂକ୍ଷେପରେ ଏସ୍ପିବି ଓ ବାଲା ଭାବେ ପରିଚିତ ଥିଲେ।
୧୨ ଘଣ୍ଟାରେ ୨୧ ଗୀତ ରେକର୍ଡିଂ କରିଥିଲେ
୧୯୮୧ରେ ବେଙ୍ଗାଲୁରୁରେ ସେ କମ୍ପୋଜର ଉପେନ୍ଦ୍ର କୁମାରଙ୍କ ପାଇଁ ସକାଳ ୯ରୁ ରାତି ୯ ଭିତରେ ୨୧ଟି ଗୀତ ରେକର୍ଡ଼ିଂ କରିଥିଲେ। ଏହା ଏକ ସର୍ବକାଳୀନ ରେକର୍ଡ଼। ସେହିପରି ଗୋଟିଏ ଦିନରେ ସେ ତାମିଲ ଭାଷାରେ ୧୯ଟି ଓ ହିନ୍ଦୀ ଭାଷାରେ ୧୬ଟି ଗୀତ ରେକର୍ଡ଼ିଂ କରିଛନ୍ତି।
ଚମତ୍କାର ଡବିଂ ଆର୍ଟିଷ୍ଟ ଥିଲେ ଏସ୍ପିବି
ରଜନୀକାନ୍ତ, କମଲ ହାସନ, ସଲମାନ ଖାନ, ମୋହନ, ଗିରିଶ କନ୍ନଡ଼, ଜେମିନି ଗଣେଶ, ବିନୋଦ କୁମାରଙ୍କ ଭଳି ଅଭିନେତାଙ୍କ ପାଇଁ ସେ ସିନେମାରେ ଭଏସ୍ ଦେଉଥିଲେ। କମଲ ହାସନଙ୍କ ସ୍ୱର ସହ ତାଙ୍କ ସ୍ୱରର ଅଦ୍ଭୁତ ତାଳମେଳ ଥିଲା। ଭାରତୀୟ ସଙ୍ଗୀତ ଦୁନିଆକୁ ସ୍ମରଣୀୟ ଅବଦାନ ପାଇଁ ତାଙ୍କୁ ୨୦୦୧ରେ ପଦ୍ମଶ୍ରୀ, ୨୦୧୧ରେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି।
ଏସ୍ପିବି ଗାଇଥିବା ହିନ୍ଦୀ ସିନେମାର ଲୋକପ୍ରିୟ ଗୀତ
- ପେହଲା ପେହଲା ପ୍ୟାର ହୈ (ହମ୍ ଆପ୍କେ ହୈ କୌନ)
- ମେରେ ରଙ୍ଗ ମେଁ ରଙ୍ଗନେ ୱାଲି (ମୈନେ ପ୍ୟାର କିୟା)
- ଦିଲ୍ ଦିୱାନା (ମୈନେ ପ୍ୟାର କିୟା)
- ତୁମ୍ସେ ମିଲ୍ନେ କି ତମନ୍ନା ହୈ (ସାଜନ)
- ମେରେ ଜୀବନ ସାଥି (ଏକ୍ ଦୁଜେ କେ ଲିୟେ)
- ତେରେ ମେରେ ବିଚ୍ ମେଁ (ଏକ୍ ଦୁଜେ କେ ଲିୟେ)
- ଦେଖା ହୈ ପେହଲି ବାର୍ (ସାଜନ)
- ଆଜ୍ ଶାମ୍ ହୋନେ ଆଇ (ମୈନେ ପ୍ୟାର କିୟା)
- କବୁତର ଯା ଯା ଯା (ମୈନେ ପ୍ୟାର କିୟା)
- ଋୁପ୍ ସୁହାନା ଲଗ୍ତା ହୈ (ଦ ଜେଣ୍ଟଲମ୍ୟାନ୍)
- ବହତ୍ ପ୍ୟାର କରତେ ହେଁ ତୁମ୍କୋ ସନମ (ସାଜନ)
- ପେହଲା ପେହଲା ପ୍ୟାର ହୈ (ମୈନେ ପ୍ୟାର କିୟା)
- ଦିଦି ତେରେ ଦେୱର ଦିୱାନା (ହମ୍ ଆପ୍କେ ହୈ କୌନ)
- ରୋଜା ଜାନେମନ (ରୋଜା)
- ୟେ ହସିନ ବାଦିୟାଁ (ରୋଜା)