ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକର ପୂଜା ମଣ୍ଡପରେ ଏଥର ଓରିଏଣ୍ଟାଲ୍ ଶୈଳୀର ମୂର୍ତ୍ତି
  • ମା’ଙ୍କଠି ଲାଗିପାରିବନି ଚାନ୍ଦି ଅଳଙ୍କାର
  • ମାଟିରେ ତିଆତି ହେବ ସଂପୂର୍ଣ୍ଣ ପ୍ରତିମା

କରୋନା କଟକଣାକୁ ନେଇ ଏଥର କଟକ ଦୁର୍ଗାପୂଜାରେ ୪ଫୁଟ୍‌ର ମୃଣ୍ମୟ ମୂର୍ତ୍ତି ତିଆରି କରାଯିବ। ଯାହାଫଳରେ ସାଜସଜ୍ଜା ଏବଂ ମେଢ଼, ଅଳଙ୍କାର ପରିଧାନ ନେଇ ସମସ୍ୟାର ସମ୍ମୁଖିନ ହେବେ ପୂଜା କମିଟି। ଏଣୁ ଅନେକ କମିଟି ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା କରୁଥିବାର ଦେଖିବାକୁ ମିଳିଛି। ଏମିତିକି କିଛି ପୂଜା କମିଟି ଏଥର ଓରିଏଣ୍ଟାଲ୍ ମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡିଛି। ଫଳରେ ସାଜସଜ୍ଜା ନେଇ ଆଉ ବିଶେଷ ହଇରାଣ ହେବାକୁ ପଡିବନାହିଁ।ଚାନ୍ଦି, ଜରି ମେଢ଼ ସାଙ୍ଗକୁ ନାନାଦି ଅଳଙ୍କାରରେ ଭୂଷିତା ମା’ଦୁର୍ଗା ଦଶହରାରେ ବେଶ୍ ଆକର୍ଷଣୀୟ ଲାଗନ୍ତି। ଏହା ପଛରେ ମୂର୍ତ୍ତି କାରିଗରଙ୍କ ନିଖୁଣ କାମ ବେଶ୍ ପ୍ରଶଂସାଯୋଗ୍ୟ। ବାଉଁଶ ଓ ନଡ଼ାକୁ ମାଟିର ଲେପ ଦେଇ କାରିଗର ମାନେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ତିଆରି କରିଥାନ୍ତି। ପରେ ରଙ୍ଗ ଦେବା ପରେ ମୂର୍ତ୍ତି କାରିଗରଙ୍କ କାମ ପ୍ରାୟ ଶେଷ ହୋଇଯାଇଥାଏ। ପରେ ଦେବୀ ଦୁର୍ଗାଙ୍କୁ ଅଳଙ୍କାରରେ ସଜା ଯାଇଥାଏ।ଏମିତିକି ଦେବାଦେବୀଙ୍କ ପାଇଁ ସ୍ୱତନ୍ତ୍ର ଚୁଟି(ଝୋଟ ଏବଂ ସ୍କ୍ରିନ୍‌) ମଧ୍ୟ ବ୍ୟବହାର କରାଯାଇଥାଏ। ସେହିପରି ଦେବୀ ଦୁର୍ଗା, ସରସ୍ୱତୀ, ଲକ୍ଷ୍ମୀ, ଗଣେଶଙ୍କ ପାଇଁ ସ୍ୱତନ୍ତ୍ର ଶାଢୀ କିଣାଯାଇ ଅଣାଯାଏ। ମାନସିକଧାରୀମାନେ ମଧ୍ୟ ନିଜ ଆଡ଼ୁ ଶାଢୀ ଉପହାର କରିଥାନ୍ତି।  ତେବେ ଚଳିତବର୍ଷ ଛୋଟ ମୂର୍ତ୍ତି ପାଇଁ ସମସ୍ୟା ଉପୁଜିଛି। ଦେବୀଙ୍କ ମୃଣ୍ମୟ ମୂର୍ତ୍ତି କାୟା ଛୋଟ ଥିବାରୁ ସାଜସଜ୍ଜା ଓ ଅଳଙ୍କାର ଫିଟିଂ କରିବା କାଠିକର ପାଠ।ଯଦି ଜବରଦସ୍ତ କରାଯାଏ ତେବେ ସେଥିରେ ତାରକସି ଅଳଙ୍କାର ଗୁଡ଼ିକ ଭାଙ୍ଗିଯିବାର ଆଶଙ୍କା ରହିଛି। ତେଣୁ ଅନେକ ପୂଜା କମିଟି ଓରିଏଣ୍ଟାଲ୍ ମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏଥିରେ ସମ୍ପୂର୍ଣ୍ଣ ମୂର୍ତ୍ତି ମାଟିର ତିଆରି ହେବ। ଦେବୀଙ୍କ ଶରୀର, ଶାଢୀ, ଅଳଙ୍କାର, ମୁକୁଟ ଆଦି ସବୁ କିଛି ମାଟିରେ ନିର୍ମାଣ କରାଯିବ। ଯାହାଫଳରେ ଚାନ୍ଦି ଅଳଙ୍କାର ବ୍ୟବହାର କରିବା ଆବଶ୍ୟକ ପଡିବନାହିଁ। ଏ ବାବଦରେ କିଛି ଖର୍ଚ୍ଚ ମଧ୍ୟ କାଟ୍ ହେବ। ଚାନ୍ଦି ସଫେଇ ବାବଦରେ ଖର୍ଚ୍ଚ ମଧ୍ୟ କମିଯିବ। କିନ୍ତୁ ଏହା ବଦଳରେ କାରିଗରଙ୍କୁ ଅତିରିକ୍ତ ପାରିଶ୍ରମିକ ଦେବାକୁ ପଡିବ।“ପ୍ରତିବର୍ଷ ମୂର୍ତ୍ତି ରଙ୍ଗ ଦେଇଦେଲେ ଆମର କାମ ସରିଯାଏ। କିନ୍ତୁ ଏଥର ଛୋଟ ମୂର୍ତ୍ତି ହେଉଥିବାରୁ ଓରିଏଣ୍ଟାଲ୍ ଶୈଳୀରେ ତିଆରି ହେବ। ମୁଁ ଏଥର ଚାନ୍ଦିନୀଚୌକ, ରାଣୀହାଟ, ମାନସିଂହପାଟଣା ଏବଂ ଚୌଦ୍ୱାର ଶଙ୍କରପୁରର ମୂର୍ତ୍ତି ନିର୍ମାଣ କରୁଛି। ସବୁଠି ପ୍ରାୟ ଏହି ଭଳି ଓରିଏଣ୍ଟାଲ୍ ଶୈଳୀରେ ତିଆରି ହେବ। ପୂଜା କମିଟିମାନଙ୍କୁ ନେଇ ଆମେ ପ୍ରତିବର୍ଷ କାମ କରୁଛୁ। ତେଣୁ ଚଳିତବର୍ଷ ସାଜସଜ୍ଜା ଫିଟିଂ ହୋଇପାରୁନଥିବାରୁ ସବୁ କିଛି ମାଟିର ନିର୍ମାଣ କରାଯାଉଛି”, କହିଛନ୍ତି ମୂର୍ତ୍ତି କାରିଗର କୁନୁ ବେହେରା।

Comment