କମଳାକାନ୍ତ ପତି
ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଫେଲ୍ ଯୁଦ୍ଧ ବିମାନ କ୍ରୟକୁ ନେଇ ପ୍ରଶ୍ନ ଉଠାଇ ରାଜନୀତିକୁ ସରଗରମ କରିଥିଲା କଂଗ୍ରେସ। ଏବେ ସିଏଜି ରିପୋର୍ଟ ସେହି ରାଜନୀତିକୁ ତେଜିବ କି?
ନିର୍ବାଚନ କମିଶନ ଶୁକ୍ରବାର ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। କରୋନା ଅତିମାରୀ ବେଳେ ନିର୍ବାଚନ ଦେଶର ଅନେକ ଅଞ୍ଚଳରେ ରାଜନୈତିକ ପରିବେଶକୁ ସରଗରମ କରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ସଂସଦରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଫ୍ରାନ୍ସ ଆଭିଏସନ୍ କମ୍ପାନି ଡାସଲଟ୍ର ଚଞ୍ଚକତାକୁ ନେଇ ପ୍ରଶ୍ନ ଉଠିଛି। ଏହି କମ୍ପାନିଠାରୁ ଅପେକ୍ଷାକୃତ ଅଧିକ ମୂଲ୍ୟ ଦେଇ ମୋଦୀ ସରକାର ରାଫେଲ୍ ଯୁଦ୍ଧ ବିମାନ କ୍ରୟ କରିଛନ୍ତି ବୋଲି ଅଭିଯୋଗ ଉଠିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଅଭିଯୋଗ ଉଠାଇ କେନ୍ଦ୍ର ସରକାରକୁ ବଦନାମ କରିବାର ଚେଷ୍ଟା କରିଥିଲେ।
ଏବେ ସିଏଜି ରିପୋର୍ଟ ଜଣାଇଛି ଯେ ୨୦୧୬ ମସିହାରେ ଫ୍ରାନ୍ସ କମ୍ପାନି ଡାସଲଟ୍ ଭାରତ ସହ ରାଫେଲ୍ ଚୁକ୍ତି ବେଳେ ଯେଉଁ ଅଫ୍ସେଟ୍ ସର୍ତ୍ତରେ ସହମତ ହୋଇଥିଲା, ତାହା ଏଯାଏଁ ପୂରଣ କରିନାହିଁ। ଏଥିପାଇଁ ଏହି ଫ୍ରାନ୍ସ କମ୍ପାନି ସମେତ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ମଧ୍ୟ ସମାଲୋଚନା କରିଛନ୍ତି। ବିହାର ନିର୍ବାଚନ ପୂର୍ବରୁ ସିଏଜିଙ୍କର ଏହି ରିପୋର୍ଟ କେନ୍ଦ୍ର ସରକାର ଓ ଶାସକ ମେଣ୍ଟର ନେତୃତ୍ୱ ନେଉଥିବା ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।
ସର୍ତ୍ତ ଖିଲାପ କରିଛି ଫ୍ରାନ୍ସ କମ୍ପାନି
ଅଫସେଟ୍ ପଲିସି ବା ସର୍ତ୍ତ ଅନୁଯାୟୀ କୌଣସି ବିଦେଶୀ କମ୍ପାନି ସହ ହେଉଥିବା ଚୁକ୍ତି ମୂଲ୍ୟର କିଛି ଅଂଶ ପ୍ରତ୍ୟକ୍ଷ ବିଦେଶୀ ନିବେଶ ଆକାରରେ ଭାରତକୁ ଆସିବା ଜରୁରୀ। ଏଥିପାଇଁ ଯେଉଁ ବିଦେଶୀ କମ୍ପାନି ସହ କୌଣସି ସାମଗ୍ରୀ କ୍ରୟର ଚୁକ୍ତି କରାଯିବା ବେଳେ ଅଫସେଟ୍ ସର୍ତ୍ତ ରଖାଯାଏ। ଏହି ସର୍ତ୍ତରେ ଉଚ୍ଚକ୍ଷମତା ସମ୍ପନ୍ନ ପ୍ରଯୁକ୍ତି ହସ୍ତାନ୍ତର, ଆଡଭାନ୍ସ କମ୍ପୋନେଣ୍ଟସ୍ର ସ୍ଥାନୀୟ ନିର୍ମାଣ, ନିଯୁକ୍ତି ସୃଷ୍ଟିର ସୁଯୋଗ ସାମିଲ ଥାଏ।
୨୦୧୫ ସେପ୍ଟେମ୍ବରରେ ରାଫେଲ୍ ଚୁକ୍ତି ନେଇ କଥାବାର୍ତ୍ତା ବେଳେ ଫ୍ରାନ୍ସ କମ୍ପାନି ଡାସଲଟ୍ ଓ ଏମବିଡିଏ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ଭାରତର ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା (ଡିଆରଡିଓ)କୁ ଅତ୍ୟାଧୁନିକ ପ୍ରଯୁକ୍ତି ହସ୍ତାନ୍ତର କରି ଅଫସେଟ୍ ସର୍ତ୍ତ ପୂରଣ କରିବେ। ଇତିମଧ୍ୟରେ ରାଫେଲ୍ ଚୁକ୍ତିକୁ ପାଞ୍ଚ ବର୍ଷ ପୂରଣ ହୋଇଗଲାଣି। କମ୍ପାନି ଭାରତକୁ ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ରାଫେଲ ବିମାନ ମଧ୍ୟ ଯୋଗାଇ ଦେଇ ସାରିଲାଣି। ମାତ୍ର ଅଫସେଟ୍ ସର୍ତ୍ତ ପୂରଣର ନାଁ ଧରୁନାହିଁ।
ସେହି ପ୍ରଶ୍ନ ଉଠାଇ ସିଏଜି ଫ୍ରାନ୍ସ କମ୍ପାନିକୁ ଭର୍ତ୍ସନା କରିବା ସହ ଚୁକ୍ତିରେ ସ୍ୱାକ୍ଷର କରିଥିବା ପ୍ରତିରକ୍ଷା ମନ୍ତ୍ରାଳୟ ନିରବ କାହିଁକି ବସିଛି ବୋଲି ଉଲ୍ଲେଖ କରିଛି। ପ୍ରତିରକ୍ଷା ମନ୍ତ୍ରାଳୟ ଓ କେନ୍ଦ୍ର ସରକାର ଅଫସେଟ୍ ସର୍ତ୍ତ କାହିଁକି ପୂରଣ ହେଉନାହିଁ ତାହା ସମୀକ୍ଷା କରିବା ଜରୁରୀ ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ମୋଦୀ ସରକାରଙ୍କୁ ଟାର୍ଗେଟ୍ କଲା କଂଗ୍ରେସ
ରାଫେଲ୍ ଚୁକ୍ତିକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ, ୟୁପିଏ ସରକାର ଜମାନାରେ ଫ୍ରାନ୍ସରୁ ୧୨୬ଟି ଯୁଦ୍ଧ ବିମାନ କ୍ରୟ ନେଇ କଥାବାର୍ତ୍ତା କରାଯାଇଥିଲା। ମୋଦୀ ସରକାର ସେହି କଥାବାର୍ତ୍ତାକୁ ଆଗକୁ ବଢ଼ାଇଥିଲେ ମଧ୍ୟ ଅପେକ୍ଷାକୃତ ଅଧିକ ମୂଲ୍ୟ (୫୯ ହଜାର କୋଟି)ରେ ୩୬ଟି ରାଫେଲ କିଣିବା ପାଇଁ ଚୁକ୍ତି କଲେ କାହିଁକି? ରାଫେଲ୍ ଚୁକ୍ତିରେ ରାଷ୍ଟ୍ରାୟାତ ସଂସ୍ଥା ହାଲ୍କୁ ବଞ୍ଚିତ କରି ଅନିଲ୍ ଅମ୍ବାନୀଙ୍କ ସଂସ୍ଥାକୁ ବରାଦ କରାଇ ଦିଆଯିବାର ଅଭିଯୋଗ ମଧ୍ୟ ଉଠାଇଥିଲେ ରାହୁଲ। ଯଦିଓ ସୁପ୍ରିମକୋର୍ଟ ପରବର୍ତ୍ତୀ ସମୟରେ ରାଫେଲ୍ ଚୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି; କିନ୍ତୁ ଏବେ ସିଏଜି ଉଠାଇଥିବା ପ୍ରଶ୍ନ କଂଗ୍ରେସକୁ ପୁଣିଥରେ ମୁହଁ ଖୋଲିବାର ସୁଯୋଗ ଆଣିଦେଇଛି।
କଂଗ୍ରେସ ନେତା ପି. ଚିଦାମ୍ବରମ୍ଙ୍କ ପ୍ରଶ୍ନ ‘ସିଏଜି ରିପୋର୍ଟ କ’ଣ ରାଫେଲ୍ ବ୍ୟାଗ୍ରୁ ନୂଆ ବିରାଡ଼ିକୁ ବାହାର କରିଦେଲା?’ ଚୁକ୍ତିର ଅଫସେଟ୍ ସର୍ତ୍ତ ପୂରଣ କାର୍ଯ୍ୟ ଗତବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଚଳିତ ବର୍ଷ ସେପ୍ଟେମ୍ବର ୨୩ ସୁଦ୍ଧା ପୂରଣ ହେବାର କଥା ଥିଲା। ସେହି ସର୍ତ୍ତପୂରଣ ନେଇ ଏବେ ସରକାର କ’ଣ ଉତ୍ତର ଦେବେ ବୋଲି ପ୍ରଶ୍ନ କରିଛନ୍ତି ଚିଦାମ୍ବରମ୍।
କାବେରୀ ଇଞ୍ଜିନ୍ ପାଇଁ ପ୍ରଯୁକ୍ତି ଯୋଗାଇଥାଆନ୍ତା ଡାସଲଟ୍
ଫ୍ରାନ୍ସ କମ୍ପାନି ଡାସଲଟ୍ ଓ ଏମବିଡିଏ ପ୍ରତିଶ୍ରୁତି ଦେଇଥିଲେ ଯେ, ସେମାନେ ଅଫସେଟ୍ ସର୍ତ୍ତର ୩୦ ଶତାଂଶ ପୂରଣ ପାଇଁ ଡିଆରଡିଓକୁ ଉନ୍ନତମାନର ପ୍ରଯୁକ୍ତି ଯୋଗାଇବେ। ଏହି ପ୍ରଯୁକ୍ତି ବ୍ୟବହାର କରି ଡିଆରଡିଓ ତା’ର ହାଲୁକା ଯୁଦ୍ଧ ବିମାନ ପାଇଁ କାବେରୀ ନାମକ ଇଞ୍ଜିନ୍ ତିଆରି କରିବ। କିନ୍ତୁ ଫ୍ରାନ୍ସ କମ୍ପାନି ଏପର୍ଯ୍ୟନ୍ତ ସେହି ଉନ୍ନତ ପ୍ରଯୁକ୍ତି ଯୋଗାଣ ଆରମ୍ଭ କରି ନ ଥିବାରୁ କାବେରୀ ଇଞ୍ଜିନ୍ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି।
ଡାସଲଟ୍ ଓ ଏମବିଡ଼ିଏ କମ୍ପାନିର ଏଭଳି ଦାୟିତ୍ୱହୀନତା ଓ ମୋଦୀ ସରକାରଙ୍କର ଉଦାସୀନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟେୱାଲା। ସେ କହିଛନ୍ତି ଯେ, ପ୍ରଥମେ ମେକ୍ ଇନ୍ ଇଣ୍ଡିଆ ହୋଇଗଲା ମେକ୍ ଇନ୍ ଫ୍ରାନ୍ସ। ଏବେ ଡିଆରଡିଓ ବଞ୍ଚିତ। ମୋଦୀ ଅବଶ୍ୟ କହିବେ, ସବୁ ଠିକ୍ଠାକ୍ ଚାଲିଛି। କଂଗ୍ରେସ ନେତାଙ୍କ ଏଭଳି ସମାଲୋଚନାରୁ ଇଙ୍ଗିତ ମିଳୁଛି ଯେ, ରାଫାଲ୍ ପ୍ରସଙ୍ଗ ପୁଣିଥରେ ରାଜନୀତିକୁ ତେଜିବ।