କମଳାକାନ୍ତ ପତି

ଭାରତର ନିର୍ବାଚନ କମିଶନ ଶୁକ୍ରବାର ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କିନ୍ତୁ ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ଆସନଗୁଡ଼ିକରେ ଏକ ସଙ୍ଗେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଗଲା ନାହିଁ କାହିଁକି ?

କରୋନା କାରଣ ନା ମିଳିଲାନି ରାଜନୈତିକ ସଙ୍କେତ?

ନଭେମ୍ବରରେ ମିଆଦ ପୂରୁଥିବା ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭା ପାଇଁ ଆସନ୍ତା ଅକ୍ଟୋବର ୨୮ରୁ ତିନିଟି ପର୍ଯ୍ୟାୟରେ ଭୋଟ୍ ହେବ। ଶୁକ୍ରବାର ନିର୍ବାଚନ କମିଶନ ଏ ନେଇ ତାରିଖ ଘୋଷଣା କରିଛନ୍ତି। କରୋନା ଅତିମାରି ବେଳେ ଦେଶରେ ଏହା ପ୍ରଥମ ନିର୍ବାଚନ ହୋଇଥିବାରୁ କମିଶନ୍ କୋଭିଡ୍ ନିୟମ ଭିତ୍ତିରେ ଭୋଟ୍ ଗାଇଡ୍‌ଲାଇନ୍ ମଧ୍ୟ ଜାରି କରିଛନ୍ତି। ପ୍ରଶ୍ନ ଉଠୁଛି ବିହାର ବିଧାନସଭା ଭୋଟ୍ ସହ ପ୍ରାୟ ୧୪ଟି ରାଜ୍ୟରେ ଖାଲି ପଡ଼ିଥିବା ୬୪ଟି ବିଧାନସଭା ଏବଂ ଗୋଟିଏ ଲୋକସଭା (ବିହାରର ବାଲ୍ମୀକନଗର ଆସନ)ରେ ଉପନିର୍ବାଚନ ପାଇଁ କମିଶନ ତାରିଖ ଘୋଷଣା କଲେ ନାହିଁ କାହିଁକି?

କମିଶନଙ୍କ କହିବା ଅନୁଯାୟୀ କରୋନାର ଭୟାବହତା କାରଣରୁ କେତେକ ରାଜ୍ୟ ଉପନିର୍ବାଚନ ଚାହୁଁନାହାନ୍ତି। ତେଣୁ ଆସନ୍ତା ୨୯ତାରିଖରେ ସେହିସବୁ ରାଜ୍ୟର ନିର୍ବାଚନ କମିଶନ, ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ ପରେ ଭୋଟ୍ ତାରିଖ ନିର୍ଦ୍ଧାରିତ ହେବ। ଉଲ୍ଲେଖ କରାଯାଇପାରେ ଯେ, ଚଳିତ ମାସ ୪ ତାରିଖରେ ନିର୍ବାଚନ କମିଶନ ଯେତେବେଳେ ବିହାର ନିର୍ବାଚନ ସମ୍ପର୍କରେ ସୂଚନା ଦେଇଥିଲେ, ସେତେବେଳେ ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ଆସନଗୁଡ଼ିକରେ ଉପନିର୍ବାଚନ ସମାନ ସମୟରେ କରାଯିବ ବୋଲି କହିଥିଲେ। କେଉଁ ବାଧ୍ୟବାଧକତାରୁ କମିଶନ ଉପନିର୍ବାଚନ ତାରିଖ ଘୋଷଣାରୁ ବିରତ ରହିଲେ, ତାହା ଏବେ ରାଜନୈତିକ ମହଲରେ ପ୍ରଶ୍ନ। କେତେକ ସମାଲୋଚକଙ୍କ ମତରେ କମିଶନଙ୍କ ଉପରେ ରାଜନୈତିକ ଚାପ ଯୋଗୁଁ ଉପନିର୍ବାଚନ ତାରିଖ ଘୋଷଣା ହେଲା ନାହିଁ। ବାସ୍ତବରେ ଦେଖିବାକୁ ଗଲେ ରାଜନୈତିକ ଛାଡ଼ପତ୍ର ନ ମିଳିଲେ ଏ ଦେଶରେ ଏବେ ପତ୍ରଟିଏ ମଧ୍ୟ ହଲୁନାହିଁ।

କମିଶନ କହିଲେ ରାଜ୍ୟଗୁଡ଼ିକର ସହମତିକୁ ଅପେକ୍ଷା

ଉପନିର୍ବାଚନ ତାରିଖ ଘୋଷଣା ନ କରାନଯିବା ସମ୍ପର୍କରେ ନିର୍ବାଚନ କମିଶନ ଯାହା କହିଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଏଥିରେ କେତେକ ରାଜ୍ୟର ଆପତ୍ତି ରହିଛି। ଯେଉଁ ୬୪ଟି ବିଧାନସଭା ଆସନରେ ଉପନିର୍ବାଚନର ଆବଶ୍ୟକତା ରହିଛି (ଖାଲି ପଡ଼ିବାର ନିର୍ଦ୍ଧାରିତ ୬ ମାସ ମଧ୍ୟରେ) ତନ୍ମଧ୍ୟରୁ ୭ଟି ଆସନ ଖାଲି ପଡ଼ିଥିବା ୪ଟି ରାଜ୍ୟ (କେରଳ, ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ)ରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ। ସୁତରାଂ ସେଠାରେ ଏବେ ଉପନିର୍ବାଚନ ନ କରିବା ସକାଶେ ସମ୍ପୃକ୍ତ ରାଜ୍ୟଗୁଡ଼ିକ ଅନୁରୋଧ କରିଛନ୍ତି। ଅବଶିଷ୍ଟ ୧୦ଟି ଲୋକସଭା ଆସନରେ ଉପନିର୍ବାଚନକୁ ନେଇ କେତୋଟି ରାଜ୍ୟର ଆପତ୍ତି ରହିଛି। ଏଥିପାଇଁ କରୋନାର ଭୟାବହତା କଥା କୁହାଯାଇଛି।

ସେହି ରାଜ୍ୟଗୁଡ଼ିକ ସହ ୨୯ରେ ବୈଠକରେ ଭୋଟ୍ ତାରିଖ ଧାର୍ଯ୍ୟ କରାଯିବ। ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରାଙ୍କର ଏହି ମନ୍ତବ୍ୟ କିନ୍ତୁ ରାଜନୈତିକ ମହଲକୁ ସନ୍ତୁଷ୍ଟ କରିପାରିବ ନାହିଁ। କରୋନା କାଳରେ କୋଭିଡ୍ ନିୟମ ଆଧାରରେ ଯଦି ବିହାରରେ ନିର୍ବାଚନ ହୋଇପାରିବ, ତେବେ ଶୂନ୍ୟ ପଡ଼ିଥିବା ଆସନଗୁଡ଼ିକରେ ଉପନିର୍ବାଚନ ସମ୍ଭବ ନୁହେଁ କାହିଁକି? ବିଶେଷକରି ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ, ସେଠାରେ ଗୋଟିଏ ଲୋକସଭା ଆସନରେ ଭୋଟ୍ ହେବାରେ ଅସୁବିଧା କେଉଁଠି?

ମଧ୍ୟପ୍ରଦେଶ ଉପନିର୍ବାଚନ ବିଜେପି, କଂଗ୍ରେସକୁ କଣ୍ଟା

ଉପନିର୍ବାଚନ ଅପେକ୍ଷାରେ ଥିବା ରାଜ୍ୟଗୁଡ଼ିକ ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ଶୂନ୍ୟ ପଡ଼ିଛି। ଏତଦ୍‌ବ୍ୟତୀତ ଝାଡ଼ଖଣ୍ଡ ଓ ଓଡ଼ିଶାରୁ ୨ଟି ଲେଖାଏଁ, ମଣିପୁରରେ ୧୧, ଉତ୍ତରପ୍ରଦେଶରେ ୮ଟି, ହରିୟାଣା ଓ ଛତିଶଗଡ଼ରେ ଗୋଟିଏ ଲେଖାଏଁ, ପଶ୍ଚିମବଙ୍ଗରେ ୪ଟି ଏହିପରି ୬୪ଟି ବିଧାନସଭା ଆସନ ଶୂନ୍ୟ। ତନ୍ମଧ୍ୟରୁ ମଧ୍ୟପ୍ରଦେଶ ଉପନିର୍ବାଚନକୁ ନେଇ ଚିନ୍ତାରେ ବିଜେପି ଓ କଂଗ୍ରେସ। ଦେଶର କରୋନା ସଂକ୍ରମଣ ଆରମ୍ଭ ହେଉଥିବା ବେଳେ ମଧ୍ୟପ୍ରଦେଶରେ ଦେଖା ଦେଇଥିଲା ରାଜନୈତିକ ସଙ୍କଟ। ୨୨ ବିଧାୟକଙ୍କୁ ନେଇ କମଲନାଥ ସରକାର ବିରୋଧରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ ଘଟାଇଥିଲେ। ସିନ୍ଧିଆ ବିଜେପିରେ ଯୋଗଦେଲେ। କମଳାନାଥ ସରକାରର ପତନ ଘଟିଥିଲା।

ଏବେ ମଧ୍ୟପ୍ରଦେଶରେ ବିଜେପି ସରକାର। ଯେଉଁ ବିଧାୟକମାନେ ବିଦ୍ରୋହ ଘଟାଇ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ସେହି ଆସନଗୁଡ଼ିକରେ ଉପନିର୍ବାଚନ ହେବ। ସୁତରାଂ ଏହି ଉପନିର୍ବାଚନ ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ। ବିହାରକୁ ଫୋକସ୍ କରିବାକୁ ଯାଇ ମଧ୍ୟପ୍ରଦେଶ ଉପନିର୍ବାଚନରେ ପରାଜୟକୁ ଡାକି ଆଣିବାକୁ ଏହି ଦୁଇ ଦଳ ଚାହୁଁନାହାନ୍ତି। ତେଣୁ ଉପନିର୍ବାଚନ ତାରିଖ ଘୁଞ୍ଚାଇବା ସପକ୍ଷରେ କଂଗ୍ରେସ ଓ ବିଜେପି ରହିଥିଲେ ବୋଲି ରାଜନୈତିକ ମହଲର ଧାରଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ସଭାନେତ୍ରୀ ସୋନିଆଙ୍କ ଚାପରେ କମିଶନ ଉପନିର୍ବାଚନ ତାରିଖ ଘୋଷଣା କରିନାହାନ୍ତି ବୋଲି ତଥ୍ୟାଭିଜ୍ଞ ମହଲ ମତ ଦେଉଛି।

କରୋନା ଯୋଗୁ ଉପନିର୍ବାଚନ ପାଇଁ ହୋଇପାରିନାହିଁ ପ୍ରସ୍ତୁତି

ଅନ୍ୟ ଏକ ସୂଚନା ଅନୁସାରେ ଅତିମାରୀ କରୋନା କାରଣରୁ କେତେକ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ଉପନିର୍ବାଚନ ପାଇଁ ଉପଯୁକ୍ତ ପ୍ରସ୍ତୁତି ନେଇପାରିନାହାନ୍ତି। ତେଣୁ ସେହି ରାଜ୍ୟଗୁଡ଼ିକର ଶାସକ ଦଳମାନେ କରୋନା ଆଳ ଦେଖାଇ ଭୋଟ୍ ବିଳମ୍ବିତ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ। ଉପନିର୍ବାଚନ ସକାଶେ ପ୍ରାର୍ଥୀ ଚୟନ ନେଇ ଅଦ୍ୟାବଧି ଏକାଧିକ ରାଜ୍ୟରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଟଣାଓଟରା ଚାଲିଛି। ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ନ ପାରିଲେ ପ୍ରଚାର କାର୍ଯ୍ୟ ଆଗେଇ ପାରିବ ନାହିଁ। କରୋନା କଟକଣା ମଧ୍ୟରେ ଭୋଟ୍ ହେବା ପାଇଁ ପ୍ରଚାରକୁ ସୀମିତ ରଖିବାକୁ ପଡ଼ିବ। ଅନେକ ସ୍ଥାନରେ ଭର୍ଚୁଆଲ୍‌/ଡିଜିଟାଲ ପ୍ରଚାରର ସହାୟତା ନେବାକୁ ପଡ଼ିବ। ଏ ଦିଗରେ ଉପଯୁକ୍ତ ପ୍ରସ୍ତୁତି ନେଇପାରି ନ ଥିବା କାରଣରୁ ଉପନିର୍ବାଚନ ତାରିଖ ବିଳମ୍ବିତ କରିବାକୁ କମିଶନଙ୍କୁ ରାଜନୈତିକ ଦଳଗୁଡ଼ିକ ଅନୁରୋଧ କରିଥିବା ବିଶ୍ୱାସ କରାଯାଉଛି। ତେଣୁ ତାରିଖ ଘୋଷଣା ବିଳମ୍ବକୁ ନେଇ ରାଜନୈତିକ ଦଳଗୁଡ଼ିକ ଚୁପ୍।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ)

Comment