ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ଓ କୋଣାର୍କକୁ ଆଜିଠୁ ଆରମ୍ଭ ହୋଇଛି ‘ମୋ ବସ୍’ ସେବା। ପୂର୍ବରୁ କେବଳ ଭୁବନେଶ୍ଵର, କଟକ ଓ ଖୋର୍ଦ୍ଧାରେ ‘ମୋ ବସ୍’ ଚାଲୁଥିବା ବେଳେ ଏଣିକି ପୁରୀ ଓ କୋଣାର୍କରେ ଯାତ୍ରୀମାନେ ‘ମୋ ବସ୍’ ସୁବିଧା ପାଇପାରିବେ। ଏନେଇ ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପୁରୀ ଓ କୋଣାର୍କ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଆସିଥାନ୍ତି। ତେଣୁ ଭୁବନେଶ୍ଵରରୁ ଯେଉଁ ପର୍ଯ୍ୟଟକମାନେ ପୁରୀ ବା କୋଣାର୍କ ଯିବାକୁ ଚାହିଁବେ ସେମାନେ ଏହି ‘ମୋ ବସ୍‌’ର ସୁବିଧା ପାଇପାରିବେ।

ଆଜି ସକାଳ ୭ଟା ୩୦ ମିନିଟ୍‌ରେ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ୧୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଇଛି ‘ମୋ ବସ୍’। ସେହିପର ସକାଳ ୭ଟା ୪୦ ମିନିଟ୍‌ରେ ‘ମୋ ବସ୍’ ୯ ଜଣ ଯାତ୍ରୀଙ୍କୁ ନେଇ କୋଣାର୍କ ଅଭିମୁଖେ ଗଡ଼ିଥିବା ସୂଚନା ମିଳିଛି।ଭୁବନେଶ୍ଵରରୁ ପୁରୀ ଓ କୋଣାର୍କ ଯିବା ପାଇଁ ବସ୍‌ ଭଡ଼ା ଯଥାକ୍ରମେ ୭୦ ଓ ୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। ବସ୍‌ରେ ଯାତାୟତ କରିବା ସମୟରେ ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ଵ ଦିଆଯାଇଥିବା ସୂଚନା ମିଳିଛି।

Comment