ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି ଧାରଣାରେ ବସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ। ଶହିଦ ଭଗତ ସିଂହଙ୍କ ଜନ୍ମସ୍ଥାନରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ଅନେକ ମନ୍ତ୍ରୀ, ବିଧାୟକ ଓ କଂଗ୍ରେସ ପ୍ରଭାରୀ ଧାରଣାରେ ବସିବା ସହିତ କୃଷି ନୀତିକୁ ବିରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରପତି କୃଷି ବିଲକୁ ମଞ୍ଜୁରି ଦେବା ଦୁର୍ଭାଗ୍ୟଜନକ। ଏହି ବିଷୟରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳକୁ ନିଜର ମତ ରଖିବାକୁ ସମୟ ଦିଆଗଲା ନାହିଁ। ଏହାକୁ ବିରୋଧ କରୁଥିବା ଲୋକଙ୍କ କଥାକୁ ମଧ୍ୟ ଶୁଣିବା ଉଚିତ୍ ବୋଲି ସେ କହିଛନ୍ତି।
ଅନ୍ୟପଟେ ଆଜି ସକାଳୁ ପଞ୍ଜାବର ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଇଣ୍ଡିଆ ଗେଟ୍ ପାଖରେ ଗୋଟିଏ ଟ୍ରାକ୍ଟରକୁ ଜାଳିଦେଇଛନ୍ତି। କଂଗ୍ରେସ କର୍ମୀମାନେ ଏକ ଟ୍ରକରେ ଟ୍ରାକ୍ଟରକୁ ଆଣିଥିଲେ। ଇଣ୍ଡିଆ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ। କୃଷି ନୀତିକୁ ବିରୋଧ କରି ସେମାନେ ଏଭଳି କାଣ୍ଡ କରିଥିବା ସୂଚନା ମିଳିଛି।
ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାର ତିନୋଟି କୃଷି ବିଧେୟକକୁ ପାସ୍ କରିଦେଇଛନ୍ତି। ଗତକାଲି ଏହାକୁ ରାଷ୍ଟ୍ରପତିଙ୍କ ମୋହର ମିଳିବା ସହିତ ଏହା ଆଇନରେ ପରିଣତ ହୋଇଛି। ତଥାପି ଏହାକୁ ନେଇ ଚାଷୀମାନେ ନିଜର ବିକ୍ଷୋଭ ଜାରି ରଖିଛନ୍ତି।












