ଓଡ଼ିଶାଲାଇଭ୍ ବ୍ୟୁରୋ

ଯମୁନା-ସତଲେଜ ସଂଯୋଗକୁ ବିରୋଧ

ନଆଦିଲ୍ଲୀ: ସତଲେଜ-ଯମୁନା କେନାଲ ସଂଯୋଗୀକରଣ ହେଲେ ପଞ୍ଜାବ ଜଳିବ। ହରିୟାଣା ସହ ଜଳ ବିବାଦ ଜାତୀୟ ସୁରକ୍ଷା ପ୍ରସଂଗ ପାଲଟିଯିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏକ ମିଳିତ ବୈଠକରେ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି।

ଜଳ ବିବାଦ ଓ ସତଲେଜ-ଯମୁନା ସଂଯୋଗୀକରଣ ବିବାଦକୁ ନେଇ ମଙ୍ଗଳବାର ଏକ ଭର୍ଚୁଆଲ ବୈଠକ ହୋଇଥିଲା। ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟପଟେନ ଅମରିନ୍ଦର ସିଂହ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର ଓ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାୱତ ଉପସ୍ଥିତ ଥିଲେ। ଯଦି ପଞ୍ଜାବ ଲୋକଙ୍କ ସମସ୍ୟାକୁ ନ ବୁଝି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଏ ତେବେ ପଞ୍ଜାବ-ହରିୟାଣା ମଧ୍ୟରେ  ବିବାଦ ଆହୁରି ତୀବ୍ର ହେବ। ରାଜସ୍ଥାନ ମଧ୍ୟ ଏହି ବିବାଦରେ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଅମରିନ୍ଦର ଚେତାଇ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ବୈଠକ ମଙ୍ଗଳବାର ଦିନ ବସିଥିଲା ଏହି ବୈଠକରେ ପୁରୁଣ ଦାବିକୁ ଦୋହରାଇଥିଲେ ଅମରିନ୍ଦର ସିଂହ। ସେ କହିଛନ୍ତି ଯେ, ଟ୍ରିବ୍ୟୁନାଲ ଆଉଥରେ ସମୟ ନେଇ ପୁଣି ଥରେ ଜଳର ପରିମାଣ ଆକଳନ କରନ୍ତୁ। ଏପରିକି ସେ ଜଳର ସମ୍ପୂର୍ଣ୍ଣ ଅଂଶ ଦାବି କରିଛନ୍ତି। ତେବେ ସେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିବାଦରେ ଆଲୋଚନା କରିବାକୁ ପ୍ରସ୍ତୁତ। ଯଦି ସେତିକି ପାଣି ଥାନ୍ତା ତେବେ ତାଙ୍କର ଦେବାରେ କିଛି ବି ଆପତ୍ତି ନଥାନ୍ତା ବୋଲି ସେ କହିଛନ୍ତି। ସେପଟେ ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅଧିକାରୀମାନେ ପୁଣି ଥରେ ବୈଠକରେ ବସିବେ।BGUପଞ୍ଜାବ-ହରିୟାଣା ଜଳ ବିବାଦ କ’ଣ?

୧୯୬୬ରେ ପଞ୍ଜାବ ଓ ହରିୟାଣା ରାଜ୍ୟ ସ୍ୱତନ୍ତ୍ର ହେବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ହରିୟାଣା ସେବେଠାରୁ ନଦୀ ଜଳର ଏକ ବୃହତ ଅଂଶ ଦାବି କରିଆସୁଛି। ହରିୟାଣାର ଏହି ଦାବିକୁ ପଞ୍ଜାବ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଛି। ୧୯୭୫ରେ ଇନ୍ଦିରା ଗାନ୍ଧୀଙ୍କ ସରକାର ବିବାଦର ସମାଧାନ କରିବା ପାଇଁ ଜଳ ବଣ୍ଟନ କରିଥିଲେ। ଏବଂ ଏକ କେନାଲ ଖନନକୁ ମଞ୍ଜୁରୀ ଦେଇଥିଲେ। ୧୯୮୨ରେ ଇନ୍ଦିରା ଗାନ୍ଧୀ କେନାଲ ନିର୍ମାଣ ଆରମ୍ଭ କରିଥିଲେ। କିନ୍ତୁ ଶିରୋମଣି ଅକାଳୀ ଦଳ ସେତେବେଳେ ଏହି କେନାଲ ନିର୍ମାଣକୁ ବିରୋଧ କରି ବିରାଟ ଆନ୍ଦୋଳନ କରିଥିଲେ। ୧୯୮୫ରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଶିରୋମଣି ଅକାଳୀ ଦଳ ମୁଖ୍ୟ ହରିଚନ୍ଦ ସିଂ ଲୋଙ୍ଗୋୱାଲଙ୍କ ସହ ଆଲୋଚନା କରି ଏକ ଟ୍ରିବ୍ୟୁନାଲ ବସାଇଥିଲେ। କିନ୍ତୁ ଏହି ଟ୍ରିବ୍ୟୁନାଲ ଚୁକ୍ତି ସ୍ୱାକ୍ଷର କରିବାର ମାସକ ଭିତରେ ଲୋଙ୍ଗୱାଲଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଏହି କେନାଲ ପ୍ରକଳ୍ପ ସହ ସମ୍ପୃକ୍ତ ୧୯୯୦ରେ ମୁଖ୍ୟଯନ୍ତ୍ରୀ ଏମଏଲ ଶେଖରି ଓ ଅଧୀକ୍ଷଣ ଯନ୍ତ୍ରୀ ଅବତାର ସିଂ ଆଲୁଖଙ୍କୁ ମଧ୍ୟ ଆତଙ୍କବାଦୀମାନେ ହତ୍ୟା କରିଥିଲେ।

Comment