ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମ ବିଭୂଷଣ ସମ୍ମାନ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ।

କୃଷି ଆଇନକୁ ବିରୋଧ କରି ଦେଶରେ କୃଷକ ଆନ୍ଦୋଳନ ଥମିବାର ନା ନେଉନି। ଅନ୍ୟପଟେ ଏହାକୁ ସମର୍ଥନ ଜଣାଇ ଏବେ ସମ୍ମାନ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂହ ବାଦଲ ଗୁରୁବାର କୃଷି ଆଇନକୁ ବିରୋଧ କରି ନିଜର ପଦ୍ମ ବିଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି।

ପ୍ରକାଶ ସିଂହ ବାଦଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ କେନ୍ଦ୍ର କୃଷି ଆଇନକୁ ବିରୋଧ କରିବା ସହ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି। ଏହାସହ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ନିଜର ପଦ୍ମ ବିଭୂଷଣ ସମ୍ମାନ ଫେରାଇଦେଇଛନ୍ତି।ଚିଠିରେ ସେ ଲେଖିଛନ୍ତି, “ମୋ ଏତେ ଗରିବ ଯେ କୃଷକମାନଙ୍କୁ ଦେବାକୁ ମୋ ପାଖରେ କିଛି ବି ନାହିଁ। ଆଜି ମୁଁ ଯାହା ବି ହେଇଛି ଏହି କୃଷକମାନଙ୍କ ପାଇଁ ହିଁ ହେଇଛି; କିନ୍ତୁ ବର୍ତ୍ତମାନ ଚାଷୀମାନଙ୍କର ଘୋର ଅପମାନ ହେଉଛି। ତେଣୁ ଏପରି ସ୍ଥିତିରେ ଏଭଳି କିଛି ସମ୍ମାନ ରଖିବାର କୌଣସି ଲାଭ ନାହିଁ।”

ଏଥିସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଚାଷୀମାନଙ୍କୁ ଯେଉଁଭଳି ଭାବେ ଧୋକା ଦିଆଯାଇଛି ସେଥିରେ ସେ ମର୍ମାହତ। ତା ସହ ଚାଷୀ ଆନ୍ଦୋଳନକୁ ମଧ୍ୟ ଯେଉଁଭଳି ଭାବେ ଦେଖାଯାଉଛି ତାକୁ ମଧ୍ୟ ସେ ନିନ୍ଦା କରିଛନ୍ତି।୨୦୧୫ରେ ପାଇଥିଲେ ପଦ୍ମବିଭୂଷଣ

ପଞ୍ଜାବ ରାଜନୀତିର ଜଣେ ବଡ଼ ଚେହେରା ଭାବେ ପ୍ରକାଶ ସିଂହ ବାଦଲ ବେଶ ପରିଚିତ। ଅକାଳୀ ଦଳରୁ ନିର୍ବାଚନ ଲଢ଼ି ୧୯୭୦ ମସିହାରେ ପ୍ରଥମ ଥର ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଏହାପରେ ସେ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ମଧ୍ୟ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ସମୟରେ ସେଠାରେ ଅକାଳି ଦଳ ଓ ବିଜେପିର ମେଣ୍ଟ ସରକାର ରହିଥିଲା। ୧୯୭୭ ମସିହାରେ ମୋରାଜ ଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ରହିଥିଲେ।

ପଞ୍ଜାବର ଏହି ନେତାଙ୍କୁ ୨୦୧୫ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।ହରସମିରତ କୌର ବି ଦେଇଛନ୍ତି ଇସ୍ତଫା

ଏହାପୂର୍ବରୁ ମଧ୍ୟ ଅକାଳୀ ଦଳର ନେତ୍ରୀ ହରସିମରତ କୌର ଏହି ଆଇନକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇସାରିଛନ୍ତି। ତା’ସହ ତାଙ୍କ ଦଳ ମଧ୍ୟ ଏନଡିଏ ମେଣ୍ଟରୁ ଓହରି ଯାଇଥିଲା। କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଆଣିଥିବା ନୂଆ କୃଷି ଆଇନକୁ ବିରୋଧ କରି ସେ ସମୟରେ ଅକାଳୀ ଦଳ ଓ ହରସିମରତ କୌର ଏହି ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ପଞ୍ଜାବରେ ଅକାଳୀ ଦଳ କେନ୍ଦ୍ରୀୟ କୃଷି ଆଇନକୁ ଦୃଢ଼ ବିରୋଧ କରିଆସୁଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏନେଇ ଅକାଳୀ ଦଳକୁ ଟାର୍ଗେଟ କରୁଥିଲେ ମଧ୍ୟ ଦଳ କୃଷକମାନଙ୍କ ସହ ଅଛି ବୋଲି କହିଆସିଛି।

ସିଙ୍ଘୁ ବର୍ଡର ପାଲଟିଛି ମିନି ପଞ୍ଜାବ

ନୂଆ କୃଷି ଆଇନକୁ ପଞ୍ଜାବର ହଜାର ହଜାର ଚାଷୀ ବିରୋଧ କରୁଛନ୍ତି। ଏଥିପାଇଁ ସେମାନେ ଦିଲ୍ଲୀ-ହରିୟାଣା ସୀମାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚକାଜାମ୍ କରିଛନ୍ତି। କେନ୍ଦ୍ର ସରକାର ସେମାନଙ୍କ ସହ ଆଲୋଚନା କରୁଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରୁନାହିଁ।

ଚାଷୀମାନେ ସାରା ରାତି ସେହି ରାସ୍ତା ଉପରେ କଟେଇବା ସହ ସେହିଠାରେ ହିଁ ଖାଇବା ପ୍ରସ୍ତୁତ କରି ଖାଉଛନ୍ତି। ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି।

Comment