ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦର ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ ଦେଶରେ ଏଯାଏଁ ରାଜନୈତିକ ଉଷ୍ମତା ଲାଗି ରହିଛି। ଏହି ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିବୃତି ଦାବିରେ ଉଭୟ ‌ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଜାରି ରହିଛି। ହେଲେ ସରକାର ଏହି ଦାବି ନ ମାନି ହଟ୍ଟଗୋଳ କରୁଥିବା ସାଂସଦଙ୍କୁ ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରିବାରେ ଲାଗିଛନ୍ତି।

ମଙ୍ଗଳବାର ଲୋକସଭାରେ ହଟ୍ଟଗୋଳ କରିବା ଅଭିଯୋଗରେ ୪୯ ଜଣ ସାଂସଦଙ୍କୁ ଅବଶିଷ୍ଟ ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି। ଏହାକୁ ମିଶାଇ ଏବେ ସୁଦ୍ଧା ମୋଟ ୧୪୧ ଜଣ ସାଂସଦଙ୍କୁ ସାଂସଦଙ୍କୁ ନିଲମ୍ବନ କରାଯାଇ ସାରିଲାଣି। ସେମାନଙ୍କ ମଧ୍ୟରେ ଲୋକସଭାର ୯୫ ଜଣ ଓ ରାଜ୍ୟସଭାର ୪୬ ଜଣ ସାଂସଦ ସାମିଲ ଅଛନ୍ତି।   

ସବୁ ସାଂସଦଙ୍କୁ ଅସାମ୍ବିଧାନିକ ଆଚରଣ ଏବଂ ଗୃହର ନିର୍ଦେଶକୁ ଅବମାନନା କରିଥିବା କାରଣରୁ ନିଲମ୍ବିତ କରାଯାଇଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମନ୍ତବ୍ୟ ଦେଇଛନ୍ତି। ଗୃହରେ ପ୍ଲାକାର୍ଡ ନ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ବିରୋଧୀ ସାଂସଦମାନେ ଏହାର ବାର୍ ବାର୍ ଉଲ୍ଲଙ୍ଘନ କରୁଥିବା ସେ କହିଛନ୍ତି।

ଅନ୍ୟପଟେ ବିରୋଧୀ ସାଂସଦମାନେ ଏହି ନିଲମ୍ବନକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି। ଏହାସହ କେନ୍ଦ୍ର ସରକାର ସଂସଦକୁ ବିରୋଧୀ ମୁକ୍ତ କରିବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।   

ମଙ୍ଗଳବାର ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ କଂଗ୍ରେସର ଶଶୀ ଥରୁର, ମନୀଷ ତିୱାରୀ ଏବଂ କେ ଚିଦାମ୍ବରମ୍, ଏନସିପିର ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିର ଡିମ୍ପଲ୍ ଯାଦବ, ଡିଏମକେର ଏସ୍‌ ସେନ୍ଥିଲ୍ କୁମାର ଏବଂ ଆମ୍ ଆଦମୀ ପାର୍ଟିର ସୁଶୀଲ କୁମାର ରିଙ୍କୁ ପ୍ରମୁଖ ସାମିଲ ରହିଛନ୍ତି।

ଏହାପୂର୍ବରୁ ସୋମବାର ହଟ୍ଟଗୋଳ କରି ଗୃହ କାର୍ଯ୍ୟ ବ୍ୟାହତ କରିବା ଅଭିଯୋଗରେ ୭୮ ଜଣ ବିରୋଧୀ ସାଂସଦଙ୍କୁ ଅବଶିଷ୍ଟ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଲୋକସଭାର ୩୩ ଜଣ ଓ ରାଜ୍ୟସଭାର ୪୫ ଜଣ ସାଂସଦ ରହିଥିଲେ। ସେହିପରି ସମାନ ଘଟଣା ପାଇଁ ଡିସେମ୍ବର ୧୪ ତାରିଖରେ ୧୪ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା।    

Tags: #SansadBhaban #SecurityBreach #LokSabha #RajyaSabha #WinterSession #OppositionMps #IndianPolitics

Comment