ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦର ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ଏବେ ଦେଶରେ ରାଜନୀତି ସରଗରମ ରହିଛି। ଏହି ମାମଲାରେ ସୋମବାର ଲୋକସଭାରେ ବିରୋଧୀ ସାଂସଦମାନେ ପ୍ରବଳ ହଙ୍ଗମା କରିଛନ୍ତି। ଏହି ହଟ୍ଟଗୋଳରେ ଲୋକସଭାରେ ଗୃହକାର୍ଯ୍ୟ ବ୍ୟାହତ ହେବା ଅଭିଯୋଗରେ ୩୩ ଜଣ ବିରୋଧୀ ସାଂସଦଙ୍କୁ ଅବଶିଷ୍ଟ ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି। ଏହାକୁ ମିଶାଇ ଚଳିତ ଅଧିବେଶନରେ ମୋଟ ୪୭ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି।

ସୋମବାର ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ସାମିଲ ଅଛନ୍ତି। ଏହାସହ ଦୟାନିଧି ମାରାନ, ଏ. ରାଜା, ଟି ଆର୍ ବାଲୁ, ଏନ କେ ପ୍ରେମଚନ୍ଦ୍ରନ ଓ ସୌଗତ ରାୟଙ୍କ ଭଳି ବରିଷ୍ଠ ସାଂସଦଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

ସେହିପରି କେ ଜୟକୁମାର, ଅପୂର୍ବ ପୋଦ୍ଦାର, ପ୍ରସୁନ ବାନାର୍ଜୀ, ମହମ୍ମଦ ବଶିର, ଜି. ସେଲଭମ୍, ସିଏନ୍ ଆନ୍ନାଦୁରାଇ, ଇ. ଟି. ମହମ୍ମଦ ବସିର, ଡକ୍ଟର ଟି ସୁମତି, କେ. ନବସ୍କାନି, କେ ବୀରସ୍ୱାମୀ, ଶତାବ୍ଦୀ ରାୟ, ଅସିତ କୁମାର ମଲ୍ଲା, ଏନ୍ଟୋ ଆଣ୍ଟୋନି, ଏସ.ଏସ. ପାଲନାମିକମ୍, ଅବଦୁଲ ଖାଲିଦ, ଥିରୁଭାରୁସ୍କରଙ୍କୁ ନିଲମ୍ବନ କରାଯାଇଛି।

ଏଥିସହ ସାଂସଦ ବିଜୟ ବସନ୍ତ, ପ୍ରତିମା ମଣ୍ଡଳ, କଲ୍ୟାଣ ବାନାର୍ଜୀ, କାକୋଲି ଘୋଷ, କେ ମୁରଲୀଧରନ, ସୁନୀଲ କୁମାର ମଣ୍ଡଳ, ଏସ ରାମଲିଙ୍ଗମ, କେ.ସୁରେଶ, ଅମର ସିଂ, ରାଜମୋହନ ଉନ୍ନିଥନ, ଗୌରବ ଗୋଗୋଇ ମଧ୍ୟ ନିଲମ୍ବିତ ହୋଇଛନ୍ତି।  

ଲୋକସଭାରେ ସୋମବାର ଅଧିବେଶନ ଆରମ୍ଭରୁ ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ଗୃହମନ୍ତ୍ରୀଙ୍କ ଜବାବ ରଖିବା ଦାବିନେଇ ବିରୋଧୀ ସାଂସଦମାନେ ଅଡ଼ି ବସିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରବାର ମୁଲତବୀ କରାଯାଇଥିଲା।

ଏହାପରେ ଅପରାହ୍ଣ ୩ଟାରେ ଲୋକସଭାର କାର୍ଯ୍ୟ ଆରମ୍ଭ ହେବାପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୃହକାର୍ଯ୍ୟ ବ୍ୟାହତ କରିବା ଅଭିଯୋଗରେ ୩୩ ଜଣ ସାଂସଦଙ୍କୁ ଅଧିବେଶନରୁ ନିଲମ୍ବନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଲୋକସଭାରେ ଏହାକୁ ମଞ୍ଜୁର କରାଯିବା ପରେ ସାଂସଦମାନଙ୍କୁ ନିଲମ୍ବିତ କରାଯାଇଥିଲା।

ଏହାପୂର୍ବରୁ ଡିସେମ୍ବର ୧୪ ତାରିଖରେ ହଟ୍ଟଗୋଳ କରି ଗୃହକାର୍ଯ୍ୟ ବ୍ୟାହତ କରିବା ଅଭିଯୋଗରେ ଲୋକସଭାର ୧୩ ଜଣ ସାଂସଦଙ୍କୁ ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଥିଲା। ଏହାସହ ରାଜ୍ୟସଭା ସାଂସଦ ଡେରିକ୍ ଓ’ବ୍ରାଏନ ମଧ୍ୟ ନିଲମ୍ବିତ ହୋଇଥିଲେ।     

Tags: #SansadBhaban #SecurityBreach #LokSabha #WinterSession #OppositionMps #Delhi #India

Comment