ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୭୨ ଦିନରେ ଚାଷୀ ଆନ୍ଦୋଳନ
  • ଦିଲ୍ଲୀ ସୀମାରେ ଏକାଠି ହେଲେ ଚାଷୀ
  • ଦେଶବ୍ୟାପୀ ୧୨ଟାରୁ ୩ଟା ଚକାଜାମ
  • ସିଙ୍ଘୁ-ଗାଜିପୁର ସୀମାରେ ବିଶେଷ ସୁରକ୍ଷା
  • ଚାଷୀଙ୍କ ଡାକରାକୁ ବହୁ ରାଜ୍ୟରେ ସମର୍ଥନ

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜିକୁ ୭୨ ଦିନରେ ପହଞ୍ଚିଛି। ଆନ୍ଦୋଳନରେ ବସିଥିବା ଏହି କୃଷକ ସଙ୍ଗଠନଗୁଡ଼ିକ ଦିନ ୧୨ଟାରୁ ୩ଟା ଚାକଜାମ୍‌ ଡାକରା ଦେଇଛନ୍ତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡକୁ ଛାଡ଼ି ଦେଲେ ଦେଶବ୍ୟାପୀ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମଳିଛି। ଚାଷୀଙ୍କ ଚକାଜାମ୍‌ ଡାକରାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ହରିୟାଣାରେ ପ୍ରଦର୍ଶନ

ଚାଷୀ ଆନ୍ଦୋଳନରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ଅଧିକାଂଶ ଚାଷୀ ସାମିଲ ହୋଇଛନ୍ତି। ଆଜିର ଚକାଜାମ ଡାକରାକୁ ମଧ୍ୟ ହରିୟାଣାରେ ପୂର୍ଣ୍ଣ ସମର୍ଥନ କରାଯାଇଛି। ହରିୟାଣାର ପଲଓ୍ୱଲ, ଗୁରୁଗ୍ରାମ ଆଦି ସ୍ଥାନରେ ବହୁ ସଂଖ୍ୟାରେ ଚାଷୀ ଏକାଠି ହୋଇ ନୂଆ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଜମ୍ମୁ-ପଠାନକୋଟ ହାଇଓ୍ୱେରେ ଚକାଜାମ

ଜମ୍ମୁ କଶ୍ମୀରର କିଛି ଚାଷୀ ସଙ୍ଗଠନ ମଧ୍ୟ ଏହି ଚକାଜାମ ଡାକରା ସମର୍ଥନ ଜଣାଇ ରାଜପଥରେ ପତାକା ଧରି ବସିଛନ୍ତି। ଜମ୍ମୁ-ପଠାନକୋଟ ହାଇଓ୍ୱେରେ ଚାଷୀ ବସିଥିବାରୁ ଏଠାରେ ଗୋଟିଏ ବି ଗାଡ଼ି ଗଡ଼ିନି। କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରନ୍ତୁ ନହେଲେ ଏ ଆନ୍ଦୋଳନ ଆହୁରି ତୀବ୍ର ବୋଲି ଆନ୍ଦୋଳନକାରୀ ଚାଷୀ କହିଛନ୍ତି।

ଚାଷୀଙ୍କ ଚକାଜାମର ପ୍ରଭାବ ବେଙ୍ଗାଳୁରୁରେ ମଧ୍ୟ ଦେଖିବାକୁ ମିଳିଛି। ବେଙ୍ଗାଳୁରୁ ୟେଲହଙ୍କା ପୋଲିସ ଷ୍ଟେସନ ବାହାରେ ଚାଷୀମାନେ ଆନ୍ଦୋଳନ କରିଥିବା ଜଣାପଡ଼ିଛି। ସେହିପରି ପଞ୍ଜାବର ଅମୃତସର ଓ ମାହୋଲିରେ ଚକାଜାମର ପ୍ରଭାବ ପଡ଼ିଛି।

ଓଡ଼ିଶାରେ ଚକାଜାମର ପ୍ରଭାବ

କୃଷି ଆଇନ ବିରୋଧରେ ଏହି ଆନ୍ଦୋଳନକୁ ଓଡ଼ିଶାରେ ମଧ୍ୟ ସମର୍ଥନ ମିଳିଛି। ନବ ନିର୍ମାଣ କୃଷକ ସଙ୍ଗଠନ ଚକାଜାମ ଡକରାକୁ ସମର୍ଥନ ଜଣାଇ ରାଜ୍ୟର ୨୨ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛି। ଏହାସହିତ ଲୋକମାନଙ୍କୁ ନୂଆ କୃଷି ଆଇନ ସମ୍ପର୍କରେ ଅବଗତ କରାଯାଉଛି।

ଅନ୍ୟପେଟ ଭାରତୀୟ କୃଷକ ୟୁନିଅନ ନେତା ରାକେଶ ଟିକାୟତ କହିଛନ୍ତି ଯେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଉଛି। ଜାନୁଆରି ୨୬ ଭଳି କୌଣସି ହିଂସାକାଣ୍ଡ ହେବ ନାହିଁ। ଗଣତନ୍ତ୍ର ଦିବସରେ ଚାଷୀମାନେ ନୂହେଁ ବରଂ ଅନ୍ୟ ଲୋକ ଚାଷୀଙ୍କ ଭିତରେ ପଶି ହିଂସା ସୃଷ୍ଟି କରିଥିଲେ। ଯେଉଁଯାଏଁ ଚାଷୀଙ୍କ ଦାବି ପୂରଣ ନହୋଇଛି ସେବେଯାଏଁ ଆନ୍ଦୋଳନ ଜାରି ରହିବ।

ଚାଷୀଙ୍କ ଏହି ଆନ୍ଦୋଳନପାଇଁ ଦିଲ୍ଲୀ ପୋଲିସ ସଜାଗ ରହିଛି। ସିଙ୍ଘୁ-ଗାଜିପୁର ସୀମାରେ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୀମା ଅଞ୍ଚଳରେ ଡ୍ରୋନ ଜରିଆରେ ଦିଲ୍ଲୀ ପୋଲିସ ଘଟଣା ଉପରେ ନଜର ରଖିଛି। ଚକାଜାମ୍‌ ବେଳେ ଯେମିତି କୌଣସି ଅଘଟଣ ନଘଟେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Comment