ଓଡ଼ିଶାଲାଇଭ୍‌ ବ୍ୟୁରୋ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ଶିଖ୍‌ ଧର୍ମ ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ବର୍ଷେ ଧରି ଚାଷୀ ଆନ୍ଦୋଳନ କରିବା ପରେ ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି ମୋଦୀ ସରକାର। ତେବେ ଏହି ଘୋଷଣା ଚାଷୀଙ୍କ ପାଇଁ ଉପହାର ନା ମୋଦୀଙ୍କ ହାର୍‌ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ପଞ୍ଜାବ ନିର୍ବାଚନରେ କୃଷକଙ୍କ ଭୂମିକା

୨୦୨୨ରେ ପଞ୍ଜାବ ନିର୍ବାଚନ ହେବାକୁ ଯାଉଛି। ତେଣୁ ତା’ ଆଗରୁ ଚାଷୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୋଦୀ ଏହି ଘୋଷଣା କରିଥିବା କୁହାଯାଉଛି। କାରଣ ଯଦି ଚାଷୀ ଅସନ୍ତୁଷ୍ଟ ରୁହନ୍ତି ତେବେ ଏହା ଆଗାମୀ ନିର୍ବାଚନରେ ସରକାରଙ୍କୁ କ୍ଷତିରେ ପକାଇପାରେ। ପ୍ରଥମେ କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ରାଜି ନଥିଲେ। କିନ୍ତୁ ନିର୍ବାଚନ ପାଇଁ ଅଙ୍କ କଷି ସେ ଏହି ଏହି ନିଷ୍ପତ୍ତି ନେଇଛନ୍ତି।

ନାନକ ଜୟନ୍ତୀରେ ବଡ଼ ସଙ୍କେତ

କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନିର୍ବାଚନକୁ ଦୃଷ୍ଟିରେ ରଖି ନିଆଯାଇଛି ବୋଲି ସ୍ପଷ୍ଟ ଅନୁମାନ କରାଯାଉଛି। କାରଣ ଆଜି ଶିଖ ଧର୍ମ ଗୁରୁ ନାନକ ଜନ୍ମ ହୋଇଥିଲେ। ଶିଖ୍‌ ସମ୍ପ୍ରଦାୟ ଏହି ଦିନକୁ ପ୍ରକାଶ ଉତ୍ସବ ବା ଗୁରୁ ପରବ୍‌ ଭାବେ ଧୁମଧାମରେ ପାଳନ କରନ୍ତି। ଆମ ଦେଶରେ ଏକ କୃଷି ବହୁଳ ରାଜ୍ୟ ହେଉଛି ପଞ୍ଜାବ। ପଞ୍ଜାବରେ କୃଷକ ହେଉଛନ୍ତି ଏକ ବଡ଼ ଭାଗ। କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନ ବିରୋଧରେ ପଞ୍ଜାବର ସର୍ବାଧିକ ଚାଷୀ ଗତ ଏକ ବର୍ଷ ହେଲା ଆନ୍ଦୋଳନ ଜାରି ରଖିଥିଲେ। ତେଣୁ ନାନକଙ୍କ ଜୟନ୍ତୀ ଭଳି ଏକ ଉତ୍ସବରେ ଚାଷୀଙ୍କ ଦାବି ପୂରଣ କରି ମୋଦୀ ତାଙ୍କୁ ଉପହାର ଦେଇ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି।

ହାର୍‌ ମାନିଲେ ମୋଦୀ

ବର୍ଷକ ପରେ ତିନି କୃଷି ଆଇନ ପ୍ରତ୍ୟାହାର କରିବା ମୋଦୀ ସରକାରଙ୍କ ହାର୍‌ ବୋଲି କୁହାଯାଇପାରେ। କୃଷକଙ୍କ ଦାବି ଆଗରେ ସେ ସରକାର ହାର୍‌ ମାନିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଯଦି ମୋଦୀ ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରି ଦେଇଥିବା ଭାଷଣକୁ ଲକ୍ଷ୍ୟ କରାଯାଏ ତେବେ ସେ କିନ୍ତୁ ଏହି ହାର୍‌କୁ ଖୋଲା ହୃଦୟରେ ସ୍ୱୀକାର କରିବାକୁ ରାଜି ନାହାନ୍ତି। କାରଣ ମୋଦୀ କହିଛନ୍ତି,‘‘ ଯେତେବେଳେ ନୂଆ ଆଇନ ଆସିଥିଲା ସଂସଦରେ ଚର୍ଚ୍ଚା ହୋଇଥିଲା। ଦେଶର କୃଷକ ଓ କୃଷକ ସଂଗଠନ ଏହାକୁ ସ୍ୱାଗତ କରିଥିଲେ। ହେଲେ ନୂଆ ଆଇନ ନେଇ ଗୋଟିଏ କୃଷକ ଗୋଷ୍ଠୀ ବିରୋଧ କରୁଥିଲେ। ସରକାର କୃଷି ଆଇନରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ। ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଏହା ସତ୍ତ୍ୱେ ଆମେ ସେମାନଙ୍କୁ ବୁଝାଇବାରେ ବିଫଳ ହେଲୁ। ତେଣୁ କୃଷକଙ୍କ ସ୍ୱାର୍ଥ ପାଇଁ ତିନି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଗଲା’’।

ମୋଦୀ ତାଙ୍କ ଭାଷଣରେ ବାରମ୍ବାର ଚାଷୀ ସମାଜକୁ ଗୋଟିଏ ଗୋଷ୍ଠୀ ବୋଲି ସମ୍ବୋଧନ କରଥିଲେ। ତେଣୁ ମୋଦୀ ତାଙ୍କ ବିଫଳତାକୁ ସ୍ୱୀକାର କରିପାରୁନାହାନ୍ତି ଅନେକ ମତ ଦେଇଛନ୍ତି।

ଅନ୍ୟପଟେ ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତ ଟୁଇଟ କରି କହିଛନ୍ତି,‘‘ତତ୍‌କାଳ ଆନ୍ଦୋଳନରୁ ଆମେ ହଟିବୁନି। ସଂସଦରେ ୩ ଆଇନ ଉଚ୍ଛେଦ ହେବା ଯାଏଁ ଅପେକ୍ଷା କରିବୁ।’’

ଗତ ସେପ୍ଟେମ୍ଵର ମାସରେ ସଂସଦରେ କୃଷି ସମ୍ଵନ୍ଧୀୟ ତିନୋଟି ବିଲ୍ ପାରିତ ହୋଇଥିଲା। ଯାହାକୁ ନେଇ ବିରୋଧୀମାନେ ଗୃହରେ ବେଶ୍ ହଟ୍ଟଗୋଳ ବି କରିଥିଲେ। ତୀବ୍ର ବିରୋଧ ସତ୍ତ୍ଵେ ବାଚନିକ ଭୋଟରେ ଏହି ବିଲ୍‌କୁ ପାରିତ କରାଯାଇଥିଲା। ରାଷ୍ଟ୍ରପତି ଏହା ଉପରେ ମୋହର ଲଗାଇ ଏହାକୁ ଆଇନରେ ପରିଣତ କରିଥିଲେ।

ଏହାପରେ ଚାଷୀମାନେ ଏହି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିଲେ। ଆନ୍ଦୋଳନରୁ ଚାଷୀଙ୍କୁ ଉଠାଇବା ବହୁ ଥର ସରକାର ଆଲୋଚନା କରିଥିଲେ ହେଁ ବିଫଳ ହୋଇଥିଲେ।

Comment