ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତି ପାଇଁ ମଣିପୁରରେ ଲାଗି ରହିଥିବା ହିଂସା ସବୁ ସୀମା ଟପିଛି। ଏଠାରେ ଘଟିଥିବା ଏକ ଅମାନବୀୟ ଘଟଣା ସାରା ଦେଶକୁ ଲଜ୍ଜିତ କରିଛି।

ମଣିପୁରରେ ଜାତି ବିବାଦରୁ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଥମିବାର ନାଁ ନଉନି। କୁକି ସମ୍ପ୍ରଦାୟର ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଦୋଷୀଙ୍କୁ ଛଡ଼ାଯିବ ନାହିଁ – ପ୍ରଧାନମନ୍ତ୍ରୀ

ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

“ମଣିପୁରର ଝିଅମାନଙ୍କ ସହ ଯାହା ଘଟିଲା, ତାହା କ୍ଷମଣୀୟ ନୁହେଁ। ଏହି ଘଟଣା ମୋତେ ଅତ୍ୟନ୍ତ ଦୁଃଖି ଏବଂ କ୍ରୋଧିତ କରିଛି। କୌଣସି ଦୋଷୀଙ୍କୁ ଛଡ଼ା ଯିବନାହିଁ। ଆଇନ ଆନୁଯାୟୀ କଡ଼ା ପଦକ୍ଷେପ ଗ୍ରହଣ କରାଯିବ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମଣିପୁରରେ ଯେଉଁ ଅଭାବନୀୟ ଘଟଣା ଘଟିଲା ତାହା କୌଣସି ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ। ଏହି ଘଟଣା ସାରା ଦେଶକୁ ନିନ୍ଦିତ ଏବଂ ଲଜ୍ଜିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅଭାବନୀୟ ଘଟଣା ପାଇଁ ଏବେ ୧୪୦ କୋଟି ଜନତାଙ୍କୁ ଲଜ୍ଜିତ ହେବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

ଅନ୍ୟ ପଟେ ନିଜ ନିଜ ରାଜ୍ୟର ଆଇନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଖାସ କରି ମହିଳାମାନଙ୍କ ସମ୍ମାନ ଏବଂ ସୁରକ୍ଷା ଉପରେ ବିଶେଷ ଗୁରୁତ୍ଵ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ: ମଣିପୁର ମୁଖ୍ୟମନ୍ତ୍ରୀ

ମଣିପୁରରେ ଘଟିଥିବା ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବୀରେନ ସିଂ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଯେଉଁଭଳି କ୍ରୁର ଭାବେ ଦୁଇ ମହିଳାଙ୍କ ପ୍ରତି ବ୍ୟବହାର କରାଗଲା ତାହା ଅତ୍ୟନ୍ତ ଲଜ୍ଜାଜନକ। ବୁଧବାର ଦିନ ଏହି ଘଟଣାର ଭିଡିଓ ଭାଇରାଲ କରାଯାଇଥିଲା। ଗୁରୁବାର ଦିନ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା କାମ ଆରମ୍ଭ ହୋଇଛି।

ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ଆବେଦନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି, “ମଣିପୁରରେ ଘଟିଥିବା ଘଟଣାର ଭିଡିଓ ବିଚଳିତ କରିବା ଭଳି। ଏଭଳି ଅମାନବୀୟ ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ।”

ଏହି ଘଟଣାକୁ ନେଇ କେନ୍ଦ୍ର ଏବଂ ମଣିପୁର ସରକାରଙ୍କୁ ଜାବବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଆଟର୍ଣ୍ଣି ଜେନେରାଲ ଓ ସଲିସିଟର ଜେନେରାଲଙ୍କୁ ହାଜର ହେବା ପାଇଁ କୁହାଯାଇଛି। ଆସନ୍ତା ଶୁକ୍ରବାର ଦିନ ଏହି ଘଟଣାର ଶୁଣାଣି କରିବେ ସୁପ୍ରମକୋର୍ଟ।

କେବେ ଘଟିଥିଲା ଘଟଣା?

ମଣିପୁରରେ କୁକି ସମ୍ପ୍ରଦାୟର ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣା ମଣିପୁରରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ପରର ବୋଲି କୁହାଯାଉଛି। ଗତ ମେ’ ୪ ତାରିଖରେ ଜାତିକୁ ନେଇ ମଣିପୁରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହିଂସା ଦେଖାଦେଇଥିଲା। ଏହାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।

କୁକି ସମ୍ପ୍ରଦାୟର ଏହି ଦୁଇ ମହିଳାଙ୍କ ସହ ମୈତେଇ ସମ୍ପ୍ରଦାୟର କିଛି ବ୍ୟକ୍ତି ଅସଦାଚରଣ କରିବା ସହ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଥିବା ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣାର ଏକ ମାସ ପରେ ଗତ ଜୁନ ୨୧ ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା। ଆଇପିସି ଧାରା ୧୫୩ ଏ, ୩୯୮, ୪୨୭, ୪୪୮, ୩୦୨, ୩୫୪, ୩୬୪, ୩୨୬, ୩୭୬, ୩୪ ସହ ୨୫(୧ସି) ଧାରାରେ ମାମଲା ରୁଜୁ ହୋଇଛି।

ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ମଣିପୁରରେ ଘଟିଥିବା ଲଜ୍ଜାଜନକ ଘଟଣା ପରେ ମୁଖ୍ୟଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ହେଲେ ଖୁୟରୁମ ହେରାଦାସ। ଗୁରୁବାର ସକାଳେ ଅଭିଯୁକ୍ତ ଖୁୟରୁମକୁ ଥାଉଁବଲ ଜିଲ୍ଲାରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତର ବୟସ ୩୧ ବର୍ଷ ହେବ ବୋଲି ପୋଲିସ କହିଛି। ଭାଇରାଲ କରାଯାଇଥିବା ଭିଡିଓରୁ ଅଭିଯୁକ୍ତକୁ ଚିହ୍ନଟ କରିବା ପରେ ଗିରଫ କରାଯାଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ମଣିପୁର ପୋଲିସର ୧୨ ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ।

Tags: #ManipurViolence #WomenVideoViral #PMModi #SupremeCourt

Comment