ଓଡ଼ିଶାଲାଇଭ୍ ବ୍ୟୁରୋ

 

ଚୀନ୍‌ରେ ଦ୍ରୁତ ବେଗରେ ସଂକ୍ରମଣ କରାଉଥିବା କରୋନା ଭୂତାଣୁର ଓମିକ୍ରନ୍‌ ସବ୍‌-ଭାରିଏଣ୍ଟ ‘ବିଏଫ୍‌.୭’ର ଚାରିଟି ମାମଲା ଭାରତରେ ଚିହ୍ନଟ ହୋଇଛି। ଦେଶରେ କୋଭିଡ ପରିସ୍ଥିତି ସମୀକ୍ଷା ପାଇଁ ଗୁରୁବାର ଅପରାହ୍ଣ ୩ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ କରିବେ।

ଦେଶରେ ଚିହ୍ନଟ କରାଯାଇଥିବା ୪ଟି ‘ବିଏଫ୍‌.୭’ରୁ ୨ଟି ମାମଲା ଗୁଜରାଟ ଓ ୨ଟି ଓଡ଼ିଶାରେ ଚିହ୍ନଟ ହୋଇଛି। ଏହି ମାମଲା ସବୁ ଜୁଲାଇ, ସେପ୍ଟେମ୍ବର ଏବଂ ନଭେମ୍ବର ମାସରେ ଚିହ୍ନଟ ହୋଇଥିଲା। ଭାରତ ସମେତ ଚୀନ, ଆମେରିକା, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ ଆଦି ଦେଶରେ ଏହି ବିଏଫ୍‌.୭’ର ମାମଲା ଦେଖିବାକୁ ମିଳିଛି।

ବୁଧବାର ଦିନ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଧ୍ୟ ଦେଶରେ କୋଭିଡ୍‌ ପରିସ୍ଥିତିର ସୀମକ୍ଷା କରିଥଲେ। ଜନଗହଳି ସ୍ଥାନରେ ମାସ୍କ୍‌ ପିନ୍ଧିବା, ଟିକା ନେବା ଭଳି କୋଭିଡ୍‌ ନିୟମ ସବୁ ମାନିବାକୁ ଜନସାଧାଣଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ।

କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ କୋଭିଡର ନୂଆ ଭାରିଏଣ୍ଟକୁ ଆଗୁଆ ଚିହ୍ନଟ କରି ଚିକିତ୍ସା ବ୍ୟବସ୍ଥା କରିବାକୁ ଏନସିଡିସି ଏବଂ ଆଇସିଏମଆରକୁ ଚିଠି ଲେଖିଛନ୍ତି। ଏହା ସହିତ ସବୁ ରାଜ୍ୟକୁ ସତର୍କ ରହିବାକୁ କୁହାଯାଇଛି। ଜିନୋମ ସିକୁଏନସିଂ ଟେଷ୍ଟ ଉପରେ ଗୁରୁତ୍ଵ ଦେବା ସହ ଅଧିକ ପରୀକ୍ଷଣ ପାଇଁ ନମୁନା ପାଠାଇବାକୁ କୁହାଯାଇଛି।

Tags: #Covid19 #Coronanewvariant#CoronaVirus #PMmodi #covidreviewmeeting #GovtofIndia

Comment