ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ସୁଧରେ ଚାଷୀଙ୍କୁ ମିଳିଲା ଋଣ। ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ଏହି ସୁଧ ରିହାତି ପ୍ରଦାନ କରାଯିବ। ଏହା ଦ୍ଵାରା ଉପକୃତ ହେବେ ୩୫ ଲକ୍ଷରୁ ଊର୍ଦ୍ଧ୍ଵ ଚାଷୀ ପରିବାର।

ସୋମବାର ଦିନ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତିମାନଙ୍କୁ ୨୦୨୨-୨୩ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତି ବିତରଣର ଶୁଭାରମମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଚାଷୀଙ୍କୁ ସଶକ୍ତ କରିବା ପାଇଁ ସ୍ଵତନ୍ତ୍ର ବଜେଟ କରାଯାଇଛି। ସମବାୟ ଆନ୍ଦୋଳନ ଆଜି ଶକ୍ତିଶାଳୀ ହୋଇଛି। ଫସଲ ଋଣର ୬୦ ପ୍ରତିଶତ କେବଳ ସମବାୟ କ୍ଷେତ୍ର ହିଁ ଯୋଗାଉଛି। ଚାଷୀମାନେ ଆମର ଗର୍ବ। ସେମାନଙ୍କ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ କୃଷିକ୍ଷେତ୍ରରେ ଓଡ଼ିଶା ଦେଶର ଏକ ଆଗୁଆ ରାଜ୍ୟ ହୋଇପାରିଛି। ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ୟମ ଜାରି ରହିଛି।”

୨୦୨୨-୨୩ ବର୍ଷରେ ଚାଷୀଙ୍କୁ ମୋଟ ୮୫୬ କୋଟି ୯୯ ଲକ୍ଷ ଟଙ୍କାର ସୁଧ ରିହାତି ମିଳିଛି। ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇବାରେ ଓଡ଼ିଶାର ଦେଶରେ ପ୍ରଥମ ରାଜ୍ୟ ଏବଂ କାଳିଆ ଯୋଜନା କରିବାର ମଧ୍ୟ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୦୨୨-୨୩ ଦ୍ଵିତୀୟ ପର୍ଯ୍ୟାୟରେ ୪୪୧. ୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ବ୍ୟାଙ୍କ ଓ ୨,୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କୁ ୪୧୫ କୋଟି ୧୭ ଲକ୍ଷ ଟଙ୍କାର ସୁଧ ରିହାତି ପ୍ରଦାନ କରାଯାଇଥିଲା।

ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ଦିଆଯାଉଥିବାବେଳେ ୧ରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଟଙ୍କା  ୨ ପ୍ରତିଶତ ସୁଧରେ ଯୋଗାଇ ଦିଆଯାଉଛି। ରାଜ୍ୟରେ ଚାଷୀ  ଏବଂ ଚାଷର ଉନ୍ନତି ଲାଗି ରାଜ୍ୟ ସରକାର ଏହିଭଳି ପଦକ୍ଷେପ ନେଇଆସୁଛନ୍ତି। ଦୁଇଟି ପର୍ଯ୍ୟାୟକୁ ମିଶି ୮୫୬ କୋଟି ୯୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର।

Tags: #CMOdisha #NaveenPatnaik #Farmer #Farming #InterestRelief

Comment