ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଲୋକଙ୍କୁ ରୋଜଗାର ଯୋଗାଇବାରେ ସହାୟକ ହେଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସୋରିଷ ଚାଷ କରି ଜିଲ୍ଲାର ଆଦିବାସୀ ଚାଷୀମାନେ ବେଶ ଲାଭବାନ ହୋଇପାରୁଛନ୍ତି।

ସୋରିଷ ହେଉଛି ଏକ ଅର୍ଥକାରୀ ତୈଳବୀଜ ଫସଲ। ରାଜ୍ୟ ସରକାରଙ୍କ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଅଧୀନରେ ସୋରିଷ ଚାଷକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ୭ଟି ବ୍ଲକରେ ଏହି ଚାଷ କରି ଆଦିବାସୀ ଚାଷୀ ଭାଇଭଉଣୀମାନେ ଲାଭବାନ ହୋଇପାରୁଛନ୍ତି।

ବର୍ତ୍ତମାନ ଜିଲ୍ଲାର ସୁନ୍ଦରଗଡ଼ ସଦର, କୁତ୍ରା, ରାଜଗାଙ୍ଗପୁର, ବଡ଼ଗାଁ, ବାଲିଶଙ୍କରା, ଟାଙ୍ଗରପାଲି ଓ ଲେଫ୍ରିପଡ଼ା – ଏହି ୭ଟି ବ୍ଲକରେ ସୋରିଷ ଚାଷ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୯୮୩ ଜଣ ଚାଷୀ ୮୪୪ ଏକର ଜମିରେ ଏହି ଚାଷ କରିଛନ୍ତି। ଚାଷ ପାଇଁ ବିହନଠାରୁ ଆରମ୍ଭ କରି ଖତ ସାର ଓ କୀଟନାଶକ ଆଦି ମାଗଣାରେ ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ‘ମିଶନ ଜୀବିକା’ର ବିଶେଷଜ୍ଞ ଟିମ୍ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ଫସଲର ସ୍ଥିତି ଅନୁଧ୍ୟାନ କରୁଛନ୍ତି।

“ଆଦିବାସୀ ଚାଷୀମାନଙ୍କର ଜୀବିକାକୁ ସୁଦୃଢ଼ କରିବାରେ ସୋରିଷ ପରି ଲାଭଜନକ ଚାଷ ବିଶେଷ ସହାୟକ ହୋଇପାରୁଛି। ଏଥିପାଇଁ ଆଇଟିଡିଏ ତରଫରୁ ସେମାନଙ୍କୁ ସବୁ ପ୍ରକାର ଇନପୁଟ୍ ସହାୟତା ଯୋଗାଇ ଦିଆଯାଉଛି। ଫଳରେ ସେମାନେ ଆଗ ଅପେକ୍ଷା ଅଧିକ ଉତ୍ପାଦନ ଓ ଭଲ ରୋଜଗାର କରିପାରୁଛନ୍ତି। ଆଗାମୀ ଦିନରେ ସୋରିଷରୁ ଭାଲ୍ୟୁ ଆଡିସନ୍ ପାଇଁ ମଧ୍ୟ ଆଇଟିଡିଏ ଯୋଜନା ରଖିଛି”, କହିଛନ୍ତି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ସୁନ୍ଦରଗଡ଼ର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

ସୋରିଷ ଗଛରେ ଛୁଇଁ ପାକଳ ହେବାକୁ ୧୦୦ରୁ ୧୧୦ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ। ପାକଳ ହେବା ପରେ ସୋରିଷକୁ ଅମଳ କରନ୍ତି ଚାଷୀ। ଆଗରୁ ଆଦିବାସୀ ଚାଷୀମାନେ ପାରମ୍ପରିକ ପଦ୍ଧତିରେ ସୋରିଷ ଅମଳ କରୁଥିଲେ। କିନ୍ତୁ ଏବେ ‘ହାର୍ଭେଷ୍ଟର ମେସିନ’ ସହାୟତାରେ ଅମଳ କାମ ସହଜ ହୋଇପାରିଛି। ଏକର ପିଛା ପ୍ରାୟ ୫ କୁଇଣ୍ଟାଲ ସୋରିଷ ଉତ୍ପାଦନ ହେଉଛି। କୁଇଣ୍ଟାଲ ପିଛା ପ୍ରାୟ ୬ ହଜାର ଟଙ୍କାରେ ସୋରିଷକୁ ବିକ୍ରି କରାଯାଉଛି।

“ଏବର୍ଷ ସୋରିଷ ଫସଲ ବହୁତ ବଢ଼ିଆ ହେଇଛି। ଆଗରୁ ସୋରିଷ ଚାଷ କରୁଥିଲୁ, କିନ୍ତୁ ବିଶେଷ ଲାଭ ମିଳୁ ନଥିଲା। ଆଇଟିଡିଏ ପ୍ରୋତ୍ସାହନରେ ଏବେ ସୋରିଷ ଚାଷ କରୁଛୁ। ସେମାନେ ଭଲ ବିହନ, ଜୈବିକ ସାର ଓ କୀଟନାଶକ ମାଗଣାରେ ଯୋଗାଇ ଦେଉଛନ୍ତି। ଫଳରେ ଏବେ ଭଲ ଅମଳ ମିଳୁଛି। ତା’ ସାଙ୍ଗକୁ ଭଲ ଦି’ ପଇସା ରୋଜଗାର ହେଉଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଫୁଲବାରି ଗ୍ରାମର ଚାଷୀ ମହାଦେବ କିଷାନ।

“ଆଇଟିଡିଏ ସହାୟତାରେ ଆମେ ସୋରିଷ ଚାଷ କରୁଛୁ। ଆଗ ଅପେକ୍ଷା କ୍ଷେତରୁ ଅଧିକ ଅମଳ ମିଳୁଛି। ତାକୁ ବିକ୍ରି କରି ଭଲ ରୋଜଗାର କରିପାରୁଛୁ। ଘର ଚଳାଇବା ସାଙ୍ଗକୁ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ତୁଲେଇପାରୁଛୁ। ଭବିଷ୍ୟତ ଲାଗି କିଛି ସଂଚୟ ମଧ୍ୟ କରିପାରୁଛୁ”, କହିଛନ୍ତି ବଡ଼ଗାଁ ବ୍ଲକ ଫୁଲବାରି ଗ୍ରାମର ମହିଳା ଚାଷୀ ଜୟନ୍ତୀ କିଷାନ।

ଅମଳ ହେଉଥିବା ସୋରିଷକୁ ପାଖ ବଜାର କିମ୍ବା ବ୍ୟବସାୟୀମାନଙ୍କୁ ବିକ୍ରି କରି ଭଲ ରୋଜଗାର କରିପାରୁଛନ୍ତି ଚାଷୀ। ଅଧିକ ପରିମାଣର ସୋରିଷ ଉତ୍ପାଦନ କରୁଥିବା ଚାଷୀମାନଙ୍କର ଫସଲକୁ ମାର୍କେଟିଂ ଏଜେନ୍ସି ଜରିଆରେ କିଣିବା ଲାଗି ବ୍ୟବସ୍ଥା କରିଛି ଆଇଟିଡିଏ। ଫଳରେ ଆଜି ଆଦିବାସୀ ଚାଷୀଙ୍କ ଜୀବନ ଜୀବିକାକୁ ନୂଆ ଦିଗ ମିଳିବା ସହ ସେମାନଙ୍କର ଆର୍ଥିକ ସଶକ୍ତିକରଣ ସମ୍ଭବ ହୋଇପାରିଛି।

ଆଦିବାସୀ ଚାଷୀମାନଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ସହ ସେମାନଙ୍କର ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ଖାଦ୍ୟଶସ୍ୟ, ତୈଳବୀଜ ଓ ପନିପରିବା ଭଳି ୧୩ ପ୍ରକାର ଚାଷ ଲାଗି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସୁନ୍ଦରଗଡ଼ ପକ୍ଷରୁ ବିଭିନ୍ନ ପ୍ରକାର ସହାୟତା ଓ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

Tags: #Sundargarh #Farmer #MissionJeevikaProgramme #TribalFarmer #MustardCultivation #Employment

Comment