ଓଡ଼ିଶାଲାଇଭ୍ ବ୍ୟୁରୋ

ସଂଖ୍ୟାଧିକ ବିଧାୟକ, ବିଧାନସଭା କର୍ମଚାରୀ କରୋନା ଆକ୍ରାନ୍ତ ଥିବା ସତ୍ତ୍ୱେ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଧି ରକ୍ଷା ପାଇଁ ଆଜିଠୁ ବସିବ ବିଧାନସଭା। କୋଭିଡ୍ କଟକଣା ଭିତରେ ହେବ ମୌସୁମୀ ଅଧିବେଶନ।

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। କରୋନା ମହାମାରୀ ସମୟରେ ସଂକ୍ରମଣ ଯେଉଁଭଳି ବ୍ୟାପିବାରେ ଲାଗିଛି, ଅଧିବେଶନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସମସ୍ତ ବିଧାୟକ। ଅଧିବେଶନର ଦୁଇଦିନ ପୂର୍ବରୁ ବିଧାନସଭା କର୍ମଚାରୀ, ବିଧାୟକ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ଟେଷ୍ଟ କରାଯାଇଥିଲା। ୭୫୭ ଟେଷ୍ଟରୁ ୧୩୬ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୧୪ ଜଣ ବିଧାୟକ, ମନ୍ତ୍ରୀଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ରହିଛି। ଏଭଳି ପରିସ୍ଥିତିରେ ବିଧି ରକ୍ଷା ଦୃଷ୍ଟିରୁ ହିଁ ବିଧାନସଭା ଅଧିବେଶନ ଚାଲିବ ବୋଲି କୁହାଯାଇପାରେ।

ଅଧିବେଶନରେ କମିପାରେ ସଦସ୍ୟଙ୍କ ଉପସ୍ଥିତି

ଆଜି ହେବାକୁ ଥିବା ମୌସୁମୀ ଅଧିବେଶନରେ କେତେ ସଂଖ୍ୟାରେ ବିଧାୟକ ଯୋଗଦେବେ, ତାହାକୁ ନାନା ଆଶଙ୍କା ପ୍ରକାଶ ପାଇଛି। ଅଧିବେଶନର ଦୁଇ ଦିନ ପୂର୍ବରୁ ହୋଇଥିବା ଟେଷ୍ଟରେ ୧୪ ଜଣ ବିଧାୟକ, ମନ୍ତ୍ରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରେ ଶାସକ ଦଳ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବଡ଼ମ୍ବା-ନରସିଂହପୁର ବିଧାୟକ ଦେବୀ ମିଶ୍ରଙ୍କ ରିପୋର୍ଟ ପଜିଟିଭ୍ ରହିଛି। ସେହିପରି ଉପବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ସମୀର ଦାଶ, ପଦ୍ମିନୀ ଦିଆନ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ, ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦେବ, ସୁକାନ୍ତ ନାୟକ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଓଡ଼ିଶା ବିଧାନସଭାର ପ୍ରଥମ ସଦସ୍ୟ ଭାବେ ନୀଳଗିରିର ଭାଜପା ବିଧାୟକ ସୁକାନ୍ତ ନାୟକ କରୋନାର ଶିକାର ହୋଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଜଣାପଡ଼ିବା ପରେ ବାଚସ୍ପତି ସମସ୍ତ ପ୍ରକାର ମିଟିଂ ବାତିଲ କରିଦେଇଥିଲେ। ଏହାପରଠୁ ୧୪୭ ସଦସ୍ୟଙ୍କ ମଧ୍ୟରୁ ଏଯାବତ୍ ବିଭିନ୍ନ ଦଳର ବିଧାୟକଙ୍କୁ ମିଶାଇ ୪୫ରୁ ୪୭ ଜଣ ଲୋକ ପ୍ରତିନିଧି କରୋନା ଆକ୍ରାନ୍ତ ହୋଇସାରିଲେଣି।

ସେମାନଙ୍କ ମଧ୍ୟରୁ କେତେ ଜଣ ସୁସ୍ଥ ହୋଇସାରିଥିବା ବେଳେ ଅନ୍ୟ କେତେକଙ୍କ ଚିକିତ୍ସା ଚାଲିଛି। ସେହିପରି ଆଉ କେତେଜଣ ବିଧାୟକ କରୋନାରୁ ସୁସ୍ଥ ହେବା ପରେ କ୍ୱାରାଣ୍ଟାଇନରେ ରହିଛନ୍ତି। ଅନ୍ୟପକ୍ଷରେ କେତେଜଣ ବରିଷ୍ଠ ବିଧାୟକ ନିଜ ଜିଲା ସଦର ମହକୁମାରେ ଭିଡିଓ କନଫରେନ୍ସିଂରେ ମୌସୁମୀ ଅଧିବେଶନରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ଗୃହରେ କମ୍ ସଦସ୍ୟଙ୍କ ଉପସ୍ଥିତିରେ ବିଧାନସଭା ଚାଲିବ।

ଲୋକଙ୍କ ପ୍ରସଙ୍ଗ ସହ ଗୃହର ସଦସ୍ୟଙ୍କ ସୁରକ୍ଷା ମଧ୍ୟ ବଡ଼ ପ୍ରସଙ୍ଗ

ଯେଉଁ ବିଧାୟକମାନଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି, ସେମାନେ ମୌସୁମୀ ଅଧିବେଶନରେ ଯୋଗ ଦେଇପାରିବେ ନାହିଁ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବିଧାୟକ ଇଚ୍ଛାକଲେ ନିଜ ଅଞ୍ଚଳରୁ ଭିଡିଓ କନଫରେନ୍ସିଂରେ ରହିପାରିବେ। ଯେଉଁମାନେ ଯୋଗଦେବେ ସେମାନଙ୍କ ସିଟ୍ ଆଗରେ ସାଇଡ୍ ଗ୍ଲାସ ଲଗାଯାଇଛି। ସାମାଜିକ ଦୂରତ୍ୱ ପାଇଁ ଭିଜିଟର୍ସ ଗ୍ୟାଲେରି, ଅଫିସର୍ସ ଗ୍ୟାଲେରି ଓ ରିପୋଟର୍ସ ଗ୍ୟାଲେରିରେ ବିଧାୟକମାନେ ବସିବାର ବ୍ୟବସ୍ଥା କରାଯାଇଛି। ବିଧାନସଭା ଗୃହ ଓ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି। କରୋନା ମହାମାରୀ ବେଳେ ଅଧିବେଶନ ହେଉଥିବାରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହର ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି।

କ’ଣ ରହିବ ପ୍ରସଙ୍ଗ, କିଏ କିପରି ପ୍ରସ୍ତୁତ

ସୋମବାର ଉଭୟ ଶାସକ ଓ ବିରୋଧୀଙ୍କ ବିଧାୟକ ଦଳ ବୈଠକ ବସିଛି। ବୈଠକ ପରେ ବିଜେଡି କହିଛି ଯେ ଗୃହରେ ବିରୋଧୀ ଦଳର ସାମ୍ନା କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ସବୁ ପ୍ରକାର ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଶାସକ ଦଳ ପ୍ରସ୍ତୁତ ରହିଛି।

ଅନ୍ୟପକ୍ଷରେ କଂଗ୍ରେସ କୋଭିଡ୍ ପରିଚାଳନାରେ ତ୍ରୁଟି ଓ ଅନିୟମିତତାକୁ ପ୍ରସଙ୍ଗ କରିବ ବୋଲି ଜଣାପଡ଼ିଛି। ଏହାସହ କୃଷି ବିଲ୍ ଉପରେ ବିଜେଡିର ଆଭିମୁଖ୍ୟ, ଚିଟ୍ ଫଣ୍ଡ, ଗତ ବନ୍ୟାରେ ବିପନ୍ନଙ୍କ ସହାୟତା ରାଶି ହଡ଼ପ ଘଟଣାକୁ ମଧ୍ୟ ପ୍ରସଙ୍ଗ କରିବେ ବିରୋଧୀ କଂଗ୍ରେସ।

ସେହିପରି ବଗଲା ଧର୍ମଶାଳା ବିବାଦ, ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ, ବନ୍ୟା ନିୟନ୍ତ୍ରଣରେ ସରକାରଙ୍କ ଭୂମିକା, କୋଭିଡ୍ ପରିଚାଳନାକୁ ପ୍ରସଙ୍ଗ କରିବ ବିଜେପି। ତେବେ ସମୟର ସ୍ୱଳ୍ପତା ଦୃଷ୍ଟିରୁ ଆଲୋଚନା କିପରି ରହିବ, ଅଧିବେଶନ ଆରମ୍ଭ ହେବା ପରେ ଜଣାପଡ଼ିବ।

ପ୍ରଶ୍ନକାଳ ରହିବା କି ନା, ତାହା ବଡ଼ ପ୍ରଶ୍ନ

ଏଥର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ବୋଲି ୩/୪ ଦିନ ତଳେ ଗଣମାଧ୍ୟମରେ ଚର୍ଚ୍ଚା ଉଠିଥିଲା। ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ ପରେ ଗୃହ ମୁଲତବୀ ହେବ। ଦ୍ୱିତୀୟାର୍ଦ୍ଧରେ ପ୍ରସଙ୍ଗ ଆଲୋଚନା। ପ୍ରଶ୍ନକାଳ ରହିବ କି ନା, ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରେ ନିଷ୍ପତ୍ତି ହେବ।

Comment