ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ହେଲେ ଯେମିତି ରାଜନୈତିକ ଉଷ୍ମତା ଦେଖାଦେବା କଥା ସେମିତି ଦେଖାଦେଇନି। ବିଜେଡି ପ୍ରାର୍ଥୀ ସ୍ଥିର କରି ନ ଥିଲେ ମଧ୍ୟ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଛି ଦଳ। ସୋମବାର ବସ୍ତିବାସିନ୍ଦାଙ୍କୁ ଭୂମିଯୋଗ୍ୟ ପ୍ରମାଣପତ୍ର ବଣ୍ଟନ କରିଛି, ବୁଢ଼ାବଳଙ୍ଗ ନଦୀବନ୍ଧ ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଛି।ବିଜେପି ବିଧାୟକଙ୍କ ମୃତ୍ୟୁ ପରେ ଏ ଉପ ନିର୍ବାଚନ ହେଉଛି। ତେବେ ବିଜେପିରେ ପ୍ରାର୍ଥୀ ସ୍ଥିର କରିବା ପାଇଁ କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ ଉଠୁଛି। କୌଣସି ପ୍ରତିନିଧିଙ୍କର ମୃତ୍ୟୁ ହେଲେ, ସେଠାରେ ଅନୁକମ୍ପା ଭୋଟ କିଛି ମାତ୍ରାରେ କାମ କରେ। ତେବେ ଏଠାରେ ବିଜେପି ପୂର୍ବତନ ବିଧାୟକ ସ୍ୱର୍ଗତ ମଦନମୋହନ ଦତ୍ତଙ୍କ ପରିବାରରୁ କାହିଁକି କାହାକୁ ପ୍ରାର୍ଥୀ କରିବାକୁ ସ୍ଥିର କରିପାରୁନି। ତାଙ୍କ ପରିବାରରୁ କେହି ପ୍ରାର୍ଥୀ ହେବେ ବୋଲି ଆଭାସ ଦେବାକୁ ମଧ୍ୟ ଭରସା କରିପାରୁନି ବିଜେପି।
ମଦନମୋହନ ଦତ୍ତ ଜିତିବା ପଛରେ, ନିଜସ୍ୱ ସଂଗଠନ, ମୋଦିଙ୍କ ପ୍ରତି ଅଣଓଡ଼ିଆ ଭୋଟର(କେନ୍ଦ୍ର ସରକାରଙ୍କ କର୍ମଚାରୀ) ମୁଖ୍ୟ କାରଣ ଥିଲା। ଏବେ ତାଙ୍କ ବିୟୋଗରେ ତାଙ୍କର ଭାବମୂର୍ତ୍ତି, ଲୋକପ୍ରିୟତାକୁ କାହିଁକି ଭରସା କରିପାରୁନି ଦଳ ଏହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲିବା ଆରମ୍ଭ କରିଛନ୍ତି। କିନ୍ତୁ ଶୀର୍ଷ ନେତୃତ୍ୱଙ୍କ ପାଖରୁ ତାଙ୍କର ପ୍ରାର୍ଥୀତ୍ୱ ନେଇ କିଛି ଆଭ୍ୟନ୍ତରୀଣ ସନ୍ଦେସ ଆସୁ ନ ଥିବାରୁ ସନ୍ଦେହରେ ଅଛନ୍ତି ଜିଲ୍ଲାସ୍ତରୀୟ ଛାମୁଆ ନେତା। ଆଉ ଯେତେ ଡେରି ହେବ ଅନୁକମ୍ପା ସେତେ କମିବ ବୋଲି ରାଜନୀତି ସମୀକ୍ଷକଙ୍କ ମତ।ସେପଟେ ଏହି ଆସନକୁ ଜିତିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ। ଶାସକ ଦଳ ଉପ ନିର୍ବାଚନରେ ହାରିବାକୁ ନେଇ ଭଲ ଚର୍ଚ୍ଚା ହେବ ନାହିଁ। ତେଣୁ ସ୍ୱାଭାବିକ ଭାବେ ସମସ୍ତଙ୍କ ସହମତରେ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛି ଦଳ। ତେବେ ଏପର୍ଯ୍ୟନ୍ତ କାହାକୁ ନେଇ ସହମତି ସୃଷ୍ଟି କରାଯାଉଛି ତାହା ସ୍ପଷ୍ଟ ହୋଇନି।
୨ଦିନ ତଳେ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଉଭୟ ରବୀନ୍ଦ୍ର ଜେନା ଓ ଜୀବନ ପ୍ରଦୀପ ଦାସଙ୍କୁ ବସାଇ ଆଲୋଚନା କରିଥିବା ଖବର ଆସିଥିଲା। ତେବେ ପ୍ରତାପ ଜେନା ଜୀବନଙ୍କ ପାଇଁ ରବୀନ୍ଦ୍ରଙ୍କୁ ମନାଉଥିଲେ କି ସୁବାସିନୀଙ୍କ ପାଇଁ ଜୀବନଙ୍କୁ ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଏ ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଭୋଟରଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁନାହିଁ। ନିର୍ବାଚନ ହେବାର ଅଛି ବୋଲି ମଧ୍ୟ କେଉଁଠି ସାମାନ୍ୟତମ ଚିହ୍ନ ବି ଦେଖିବାକୁ ମିଳୁନି। ବୋଧେ କରୋନା ସଂକ୍ରମଣରେ ଲୋକେ ଏତେ ମାନସିକଭାବେ ଚିନ୍ତାଗ୍ରସ୍ତ ଅଛନ୍ତି ଯେ, ଗଣତନ୍ତ୍ର ଏ ପର୍ବକୁ ନେଇ ଉତ୍ସାହିତ ହୋଇପାରୁନାହାନ୍ତି।