ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍ ପକ୍ଷରୁ ପ୍ରସ୍ତୁତ ‘ମଣିଷ ଗାନ୍ଧୀ’ ଶୀର୍ଷକ ୱେବ ସିରିଜ୍‌ରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଓ ଲେଖକ ଦାଶ ବେନହୁର ଗାନ୍ଧୀଜୀଙ୍କ ଜୀବନ ଦର୍ଶନ ସମ୍ପର୍କରେ ଉପସ୍ଥାପନ କରିଥିଲେ।

ସାଧାରଣ ଲୋକେ ଭାବିଥାନ୍ତି ଯେ ସୁଖ ସବୁବେଳେ ବାଟ ଦେଖାଇଥାଏ। ହେଲେ ଗାନ୍ଧୀଜୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଦୁଃଖରେ ରହିଲେ ହିଁ ମଣିଷ ସବୁକିଛି ଶିଖିଥାଏ। ଦୁଃଖର ନିଆଁରେ ଜଳିଲେ ଜଣେ ନୂଆ ରାହା ପାଏ ଓ ନୂଆ ଆଲୋକ ପାଏ।

ତାମରମଠାରେ ଏକ ଧର୍ମସଭା ହେଉଥିଲା। ଏଥିରେ ଯୋଗ ଦେଇଥାନ୍ତି ଜଣେ ବିଶିଷ୍ଟ ଦାର୍ଶନିକ ଜନ୍ ଆର୍ ମଟ୍। ଏଥିରେ ସେ ଗାନ୍ଧୀଜୀଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେ ଆଲୋଚନାରେ ଆପଣଙ୍କ ଜୀବନର ସଫଳ କାହାଣୀ କ’ଣ ବୋଲି ଗାନ୍ଧୀଜୀଙ୍କୁ ପ୍ରଶ୍ନ କରିଥିଲେ।ଗାନ୍ଧୀ କହିଥିଲେ, ‘‘ଏହାର ଉତ୍ତର ମୋର ଦକ୍ଷିଣ ଆଫ୍ରିକା ସହ ଜଡିତ। ମୁଁ ଟ୍ରେନରେ ଡର୍ବାନରୁ ପ୍ରେଟୋରିଅମ୍ ଯାତ୍ରା କରୁଥିବା ସମୟରେ ମତେ ହଠାତ୍ ଜବରଦସ୍ତ ଟ୍ରେନରୁ ବାହାର କରିଦିଆଗଲା। କାରଣ ଭାରତୀୟଙ୍କୁ ସେଠାରେ କୁଲି ବୋଲି ବିବେଚନା କରାଯାଉଥିଲା।’’

ଏହାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ମୋହନଦାସ କରମଚାନ୍ଦ ଗାନ୍ଧୀ। ଏହା ବିରୋଧରେ ସେ ବିଦ୍ରୋହ କରିବାର ସଂକଳ୍ପ ନେଇଥିଲେ। ସେଇଠି ରହି ଅନ୍ୟାୟ ବିରୋଧରେ ସଂଗ୍ରାମ ଜାରି ରଖିବାର ନିଷ୍ପତ୍ତି ନେଇଥିଲେ ମୋହନ ଦାସ।ଦୁଃଖ ଗାନ୍ଧୀଙ୍କ ସଫଳ ଅନୁଭବ ସହ ସବୁବେଳେ ଜଡ଼ିତ ରହିଥିଲା। ସେଥିପାଇଁ ଗାନ୍ଧୀ କୁହନ୍ତି ‘ଦୁଃଖ ହିଁ ସବୁଠାରୁ ବ଼଼ଡ ଶିକ୍ଷକ।’

Comment