ଓଡ଼ିଶାଲାଇଭ୍ ବ୍ୟୁରୋ

  • ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ପୋଲିସର ପରାମର୍ଶ
  • ସିସିଟିଭି ହେଉ କାର୍ଯ୍ୟକ୍ଷମ
  • କର୍ମଚାରୀଙ୍କୁ ମିଳୁ ବଡି କ୍ୟାମେରା
  • ବ୍ୟାଙ୍କରେ ଲାଗୁ ହିଡେନ କ୍ୟାମେରା

ନିଜ ନିଜ ସୁରକ୍ଷା ବ୍ୟବସ୍ଥା କଡ଼ା କରିବା ପାଇଁ ଭୁବନେଶ୍ଵର ପୋଲିସ ପକ୍ଷରୁ ବ୍ୟାଙ୍କ ମାନଙ୍କୁ ପରାମର୍ଶ ଦିଆଯାଇଛି। ଲାଗ ଲାଗ ଦୁଇଟି ବ୍ୟାଙ୍କ ଡକାୟତି ଘଟଣା ପରେ କମିସନରେଟ ପୋଲିସ ଏହି ପଦକ୍ଷେପ ନେଇଛନ୍ତି। ବ୍ୟାଙ୍କଗୁଡ଼ିକ ନିଜ ସୁରକ୍ଷା ବଢ଼ାଇବା ନିତାନ୍ତ ଜରୁରୀ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।ଉଲ୍ଲେଖ କରାଯାଇପାରେ ଯେ ଗତ ମାସରେ ନନ୍ଦନ ବିହାରରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ଦୁର୍ବୃତ୍ତ ମାନେ ୨ ଲକ୍ଷ ୭୮ ହଜାର ଲୁଟି ନେଇଥିଲେ। ସେହିଭଳି ବରମୁଣ୍ଡା ବ୍ୟାଙ୍କ ଅଫ ଇଣ୍ଡିଆରୁ ମଧ୍ୟ ସ୍ପଷ୍ଟ ଦିବାଲୋକରେ ୯ ଲକ୍ଷ ୫ ହଜାର ଟଙ୍କା ଲୁଟ୍ ହୋଇଥିଲା। ଭୁବନେଶ୍ୱର ପୋଲିସ ଏପର୍ଯ୍ୟନ୍ତ ଏହି ଦୁଇଟି ମାମଲାରେ ଲୁଟେରାଙ୍କୁ ଧରି ପାରିନାହିଁ।

ଡ଼ିସିପି ଉମାଶଙ୍କର ଦାସ କହିଛନ୍ତି ଯେ ରାଜଧାନୀର ଅଧିକାଂଶ ବ୍ୟାଙ୍କ ଶାଖାରେ ଆବଶ୍ୟକୀୟ ସୁରକ୍ଷା କର୍ମଚାରୀ ନାହାଁନ୍ତି। ଆଲାରାମ ବ୍ୟବସ୍ଥା ବି ନାହିଁ। ଏଣୁ ବ୍ୟାଙ୍କ ପ୍ରୋଟୋକାଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଚିଠି ଲେଖାଯାଇଛି।ଏହି ଚିଠିରେ ବନ୍ଧୁକଧାରୀ ସିକ୍ୟୁରିଟି ଗାର୍ଡ ତୁରନ୍ତ ରଖିବା ପାଇଁ କୁହାଯାଇଥିବା କଥା ଡ଼ିସିପି ପ୍ରକାଶ କରିଛନ୍ତି। ବ୍ୟାଙ୍କ ଶାଖା ଭିତରେ ହିଡେନ କ୍ୟାମେରା ରଖିବା ସହ କର୍ମଚାରୀମାନଙ୍କୁ ଦେହ ଭିତରେ ଲୁଚି ପାରୁଥିବା କ୍ୟାମେରା ବି ଯୋଗାଇବା ପାଇଁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ତା ଛଡ଼ା ସିସିଟିଭି କ୍ୟାମେରାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment