ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମକୁ ନେଇ ଏବେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। କେତେକ ସାମାଜିକ ଅନୁଷ୍ଠାନ ଏନେଇ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଦୁଷ୍କର୍ମକାରୀଙ୍କୁ କଠିନରୁ କଠିନ ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି। ମଙ୍ଗଳବାର ଏସବୁ ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଦେଖାକରିବା ପାଇଁ ହାଥରସ୍ ଯାଉଛନ୍ତି।

ଅନ୍ୟପଟେ ଏହି ଘଟଣା ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି ହୋଇଛି। ହାଥରସରେ ଧାରା ୧୪୪ ଲାଗୁ ହେବା ସହିତ ଦିଲ୍ଲୀ-ନୋଏଡା ସୀମାକୁ ମଧ୍ୟ ସିଲ୍ କରିଦିଆଯାଇଛି। ଏହା ଭିତରକୁ କୌଣସି ବ୍ୟକ୍ତିଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଏସପି ବିକ୍ରାନ୍ତ ସିଂହ କହିଛନ୍ତି ଯେ, ରାହୁଲ ଓ ପ୍ରିୟଙ୍କା ଆସୁଥିବା ନେଇ ତାଙ୍କ ପାଖରେ କୌଣସି ରିପୋର୍ଟ ନାହିଁ। ସୀମାଗୁଡ଼ିକ ସିଲ୍ କରାଯାଇଛି। କାହାକୁ ବି ଏହା ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ଣ ଥିଲା ଘଟଣା?

ସେପ୍ଟେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ହାଥରସଠାରେ ଉଚ୍ଚ ଜାତିର ୪ ଜଣ ଯୁବକ ଜଣେ ଅନୁସୂଚିତ ବର୍ଗର ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ନିଜ ଗାଁ କ୍ଷେତରେ ଘାସ କାଟୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ଯାଇଥିଲେ। ଏହାପରେ ସେମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ସହିତ ମୁମୂର୍ଷ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ।

ଯୁବତୀଙ୍କ ମା’ ତାଙ୍କ ଝିଅକୁ ଖୋଜି ଖୋଜି ଯାଇ ତାଙ୍କୁ ବାଜରା କ୍ଷେତରେ ଉଲଗ୍ନ ଅବସ୍ଥାରେ ପାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହିତ ପୋଲିସରେ ସେମାନେ ଅଭିଯୋଗ କରିଥିଲେ। ପୋଲିସ୍ କିନ୍ତୁ ପ୍ରାଥମିକ ଅବସ୍ଥାରେ ସଠିକ୍ ଭାବେ ତଦନ୍ତ କରିନଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଦୁଷ୍କର୍ମକାରୀମାନେ ଯୁବତୀ ଜଣକର ମେରୁହାଡ଼ ଓ ଜିଭ କାଟିଦେଇଥିବା ମଧ୍ୟ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ମଙ୍ଗଳବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Comment