ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୭୫ରେ ରିଲିଜ ହୋଇଥିଲା ଫିଲ୍ମ ‘ଯାଯାବର’। ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ଜଣେ ନୂଆ ଅଭିନେତ୍ରୀଙ୍କୁ ଭେଟିଥିଲେ ସେ ଥିଲେ ଅନୀତା ଦାସ। ପ୍ରଥମ ଫିଲ୍ମରୁ ଅନୀତା ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିଲେ। ଆଜି ଅନୀତାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ଓଡ଼ିଆ ସିନେ ପ୍ରେମୀ ତାଙ୍କୁ ମନେ ପକାଇଛନ୍ତି।

ଅନୀତା ଦାସ ୧୯୫୧, ଅକ୍ଟୋବର ୧ରେ ଜନ୍ମ ହୋଇଥିବା ଅନୀତା ଚାରି ଦଶନ୍ଧିରୁ ଅଧିକ କାଳ ଅଭିନୟ ଦୁନିଆରେ ସକ୍ରିୟ ଥିଲେ। ବୟସ ବଢ଼ିବା ସହ ନାୟିକାରୁ ପାଲଟିଥିଲେ ପାର୍ଶ୍ୱ-ନାୟିକା ଏବଂ ଚରିତ୍ର ଅଭିନେତ୍ରୀ। ମାଆ ଓ ମାଉସୀ ଭୂମିକାରେ ବି ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ। ଫିଲ୍ମ ତଥା ଟେଲିଭିଜନ୍‌ ଦୁନିଆ ପାଇଁ ସଦା ଅବିସ୍ମରଣୀୟ।

ଅଭିନୟ ପାଇଁ ସେ ତିନି ତିନି ଥର ପ୍ରାଦେଶିକ ପୁରସ୍କାର ଲାଭକରିଥିଲେ। ୧୯୮୦ରେ ‘ତପସ୍ୟା’, ୧୯୮୩ରେ ‘ଭକ୍ତ ସାଲବେଗ’ ଏବ˚ ୧୯୮୭ରେ ‘ଏଇ ତ ଦୁନିଆ’ ପାଇଁ ସେ ପୁରସ୍କୃତ ହୋଇଥିଲେ। ଅନିତା ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୮୦ ପରେ ମୁଖ୍ୟତଃ ମାଆ ଭୂମିକାରେ ବାହାରିଥିଲେ। ‘ବନ୍ଧୁ ମହାନ୍ତି’, ‘ସ୍ୱପ୍ନ ସାଗର’, ‘ମାଆ ଓ ମମତା’, ‘ସୁନା ଚଢ଼େଇ’, ‘କୃଷ୍ଣ ସୁଦାମା’, ‘କିଏ ଜିତେ କିଏ ହାରେ’, ‘ରାମାୟଣ’ ଆଦି ଅନିତା ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର।

ଅନୀତା ଦାସ ନିଜ ମନପସନ୍ଦର ଚଳଚ୍ଚିତ୍ରଟିଏ ନିର୍ମାଣ କରିବା ପାଇଁ ଚିନ୍ତା କରିଥିଲେ। ସେ ଏଥିପାଇଁ ନିଜେ କାହାଣୀ ବି ରଚନା କରିଥିଲେ। ଫିଲ୍ମର ଟାଇଟଲ୍ ରଖାଯାଇଥିଲା ‘ମୋ ପତି ମୋ ଦେବତା’। ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ସିଦ୍ଧାର୍ଥ।

ଅନୀତା ଦାସ ‘ମୋ ପତି ମୋ ଦେବତା’ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ଦେଇଥିଲେ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତିଙ୍କୁ। ଫିଲ୍ମର ଗୀତ ରେକର୍ଡିଂ ବି ସରିଗଲା।

ଏହାପରେ ଫିଲ୍ମର ସୁଟିଂ ଆରମ୍ଭ ହେବାର ଥିଲା। ମାତ୍ର ତାହା ଫ୍ଲୋରକୁ ଯାଇପାରିନଥିଲା। କୁହାଗଲା ଅନୀତାଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା ସେତେବେଳେ। ଏହି କାରଣରୁ ପ୍ରଯୋଜିକା ବନିପାରିନଥିଲେ ଅନୀତା ଦାସ।

କଟକସ୍ଥିତ ବାସଭବନରେ ଛଷଠି ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ୨୦୧୮ରେ ପରଲୋକ ହୋଇଥିଲା।

Comment