ଓଡ଼ିଶାଲାଇଭ୍ ବ୍ୟୁରୋ

ହାଥରସ ପୀଡ଼ିତାଙ୍କ ପରିବାରକୁ ଦେଖାକରିବାକୁ ଯାଉଥିବାବେଳେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଟକାଇଛି ଉତ୍ତରପ୍ରଦେଶ ପୋଲିସ୍। ନୋଏଡା ନିକଟସ୍ଥ ହାଇୱେ ଏକ୍ସପ୍ରେସରୁ ପୋଲିସ ସେମାନଙ୍କୁ ଅଟକାଇବା ସହିତ ଦୁହିଁଙ୍କୁ ଥାନାକୁ ନେଇଯାଇଥିବା ସୂଚନା ମିଳିଛି।ହାଥରସ ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ହାଥରସ ଜିଲ୍ଲାରେ ମଧ୍ୟ ଧାରା ୧୪୪ ମଧ୍ୟ ଲାଗୁ କରାଯାଇଛି। ଏହାସତ୍ତ୍ୱେ ଆଜି ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହାଥରସ୍ ଯାଇଥିଲେ। ହେଲେ ଅଧାବାଟରୁ ପୋଲିସ ତାଙ୍କୁ ଅଟକାଇଲା। ଏହାପରେ ରାହୁଲ ଓ ପ୍ରିୟଙ୍କା ଚାଲିଚାଲି ହାଥରସ୍ ଅଭିମୁଖେ ବାହାରିଥିଲେ। ତାଙ୍କ ସହିତ ଅନେକ କଂଗ୍ରେସ କର୍ମୀମାନେ ମଧ୍ୟ ଚାଲିବା ଆରମ୍ଭ କରିଥିଲେ।

ହାଇୱେ ଏକ୍ସପ୍ରେସ ନିକଟରେ କିନ୍ତୁ ପୋଲିସ ସେମାନଙ୍କୁ ଛାଡ଼ିନଥିଲା। ଏହାପରେ ରାହୁଲ ଓ ପୋଲିସ କର୍ମୀଙ୍କ ମଧ୍ୟରେ କଥା କଟାକଟି ହେବା ସହିତ ଧସ୍ତାଧସ୍ତି ହୋଇଥିଲା। ଏପରିକି କିଛି ସମୟ ପାଇଁ ରାହୁଲ ଭୂଇଁରେ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା।

ରାହୁଲ ଓ ପ୍ରିୟଙ୍କାଙ୍କୁ ପୋଲିସ୍ ଯେତେବେଳେ ରୋକିଥିଲା ସେତେବେଳେ ରାହୁଲ ପୋଲିସକୁ ପ୍ରଶ୍ନ କରିଥିଲେ। ସେମାନଙ୍କୁ କେଉଁ ଆଇନ୍ ଅନୁଯାୟୀ ରୋକାଯାଉଛି ବୋଲି ରାହୁଲ ପୋଲିସ କର୍ମୀଙ୍କୁ ପଚାରିଥିଲେ। ଏହାପରେ ପୋଲିସ କର୍ମୀମାନେ ଧାରା ୧୪୪ ଲାଗୁ ହୋଇଛି ବୋଲି ରାହୁଲଙ୍କୁ କହିଥିଲେ, ହେଲେ ଏହି ସମୟରେ ରାହୁଲ ଓ ପୋଲିସ କର୍ମୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ପୋଲିସ ରାହୁଲଙ୍କୁ ଅଧାବାଟରୁ ଥାନାକୁ ନେଇଯାଇଛି।

LEAVE A REPLY

Please enter your comment!
Please enter your name here