ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

bihar polls

ସେପଟେ ଏନଡିଏରେ ଆସନ ବୁଝାମଣା ନେଇ କିଛି ଚୂଡ଼ାନ୍ତ ହୋଇ ନ ଥିବା ବେଳେ ମହାମେଣ୍ଟରେ ମଧ୍ୟ ଆସନ ବୁଝାମଣା ଶେଷ ହୋଇପାରିନି। କଂଗ୍ରେସ ୭୦ରୁ ଅଧିକ ଆସନ ଦାବି କରିଥିବା ୬୦ରୁ ଅଧିକ ଆସନ ନ ଦେବା ପାଇଁ ଲାଲୁପ୍ରସାଦ ଯାଦବ ପୁଅ ତେଜସ୍ୱୀ ଯାଦବଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମହାମେଣ୍ଟର ସହଯୋଗୀ ସିପିଆଇ(ଏମଏଲ)କୁ ୧୫ଟି ସିଟ୍ ଦିଆଯାଇଥିବା ବେଳେ, ଏହାକୁ ଗ୍ରହଣ କରିନାହିଁ ସିପିଆଇଏମଏଲ। ବରଂ ନିଜର 30 ଜଣିଆ ପ୍ରାର୍ଥୀ ପତ୍ର ଦାଖଲ କରିସାରିଛି। ସିପିଆଇ(ଏମଏଲ)ର ବିହାର କାର୍ଯ୍ୟାଳୟ ସମ୍ପାଦକ କୁମାର ପରଭେଜ୍ କହିଛନ୍ତି ଯେ, ସେମାନେ ଏହି ସଂଖ୍ୟାରେ ଆଦୌ ସନ୍ତୁଷ୍ଟ ନାହାନ୍ତି। ସେମାନେ ସେମାନଙ୍କ ଦାବି ଜଣାଇଦେଇଛନ୍ତି। ଆରଜେଡିକୁ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡ଼ିବ।

ଆରଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, କଂଗ୍ରେସ ଦରକାର ପଡ଼ିଲେ ନିର୍ବାଚନ ପରେ ଆବଶ୍ୟକତା ଅନୁସାରେ ତାର ଆନୁଗତ୍ୟ ଜେଡିୟୁକୁ ବି ପ୍ରଦର୍ଶନ କରିପାରେ। ଯଦି କେହି ସଂଖ୍ୟା ଗରିଷ୍ଠତା ହାସଲ ନ କରନ୍ତି, ତେବେ କଂଗ୍ରେସକୁ ପାଖରେ ରଖିବା କଷ୍ଟକର ହୋଇପଡ଼ିବ। ତେଣୁ ଲାଲୁ ଚାହୁଁଛନ୍ତି ଯେ ଆରଜେଡି ଅଧିକରୁ ଅଧିକ ଆସନରେ ନିର୍ବାଚନ ଲଢୁ। କାରଣ କମ ଆସନ ହାସଲ କରୁଥିବା ଦଳଗୁଡ଼ିକର ବିଭାଜନ କରିବା ବଡ଼ ପାର୍ଟି ପାଇଁ କଷ୍ଟକର ନୁହେଁ ବୋଲି ଲାଲୁଙ୍କ ମତ। ଗତ ଲୋକସଭା ନିର୍ବାଚନରେ ଛୋଟ ସହଯୋଗୀମାନେ ଆରଜେଡି ସପକ୍ଷରେ ଭୋଟ ପକାଇ ପାରି ନ ଥିଲେ। ଯାହା ଫଳରେ ଗୋଟିଏ ମଧ୍ୟ ଆସନ ଜିତି ନ ଥିଲା ଆରଜେଡି।

ତେବେ ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ କଂଗ୍ରେସ ସବୁବେଳେ ମେଣ୍ଟ କରିବା ପାଇଁ ସହଜରେ ମିଳିଥାଏ ବୋଲି ଲାଲୁଙ୍କ ରାଜନୈତିକ ଅଭିଜ୍ଞତା କହୁଛି। ଯେତେ କମ ଆସନରେ କଂଗ୍ରେସ ନିର୍ବାଚନ ଲଢ଼ିବ, ନିର୍ବାଚନ ପରେ ମୂଲଚାଲ କରିବାର କ୍ଷମତା ସେତେ କମ ରହିବ ବୋଲି ଲାଲୁ ତାଙ୍କ ପୁଅକୁ ବୁଝାଇଦେଇଛନ୍ତି। ତେବେ ବିହାର କଂଗ୍ରେସ ମୁଖପାତ୍ର ରାଜେଶ ରାଠୋର କହିଛନ୍ତି ଯେ, ଆପୋସ ବୁଝାମଣା ଭିତରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଯିବ ବୋଲି ଦଳ ଆଶାବାଦୀ ଅଛି। ଆରଜେଡିର ଶୀର୍ଷ ନେତୃତ୍ୱଙ୍କ କହିବା ଅନୁସାରେ ଦଳ ୧୫୦ରୁ ଅଧିକ ଆସନରେ ନିର୍ବାଚନ ଲଢ଼ିବା ପାଇଁ ସ୍ଥିର କରିଛି। ଏହା ଛଡ଼ା ସିପିଆଇ(ଏମଏଲ) ଓ ଜେଏମଏମ ପାଇଁ ୨୫ଟି ଆସନ ଛାଡ଼ିବା ପାଇଁ ଦଳ ପ୍ରସ୍ତୁତ ରହିଛି। ଦଳ କୌଣସି ପରିସ୍ଥିତିରେ ଦୁର୍ବଳ ସହଯୋଗୀଙ୍କୁ ଅଧିକ ଆସନ ଦେବ ନାହିଁ, ଏବଂ ଦକ୍ଷତା ଥିବା ସହଯୋଗୀ ସହ ବରଂ ଦରକାର ପଡ଼ିଲେ ନମନୀୟ ହୋଇ ବୁଝାମଣା କରିବ।

Comment