ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ଜନତା ଦଳ ଆଜି ଜଣେ ଟାଣୁଆ ନେତାଙ୍କୁ ହରେଇଛି। ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଜେଡିକୁ ଏକ ଅପୂରଣୀୟ କ୍ଷତି ସହିବାକୁ ପଡିଛି। ଆଜି ସେ ସିନା ନାହାନ୍ତି କିନ୍ତୁ ରାଜନୈତିକ ସଫଳତା ପାଇଁ ସେ ସବୁ ଦିନ ମନେ ରହିବେ।

ପ୍ରଦୀପ ମହାରଥୀଙ୍କ ରାଜନୈତିକ କ୍ୟାରିୟର

ପୁରୀ ଜିଲ୍ଲାର ପିପିଲି ଅଞ୍ଚଳର ଅପ୍ରତିଦ୍ଵନ୍ଦ୍ଵୀ ନେତା ପ୍ରଦୀପ ମହାରଥୀଙ୍କ ରାଜନୈତିକ କ୍ୟାରିୟର ଛାତ୍ର ଜୀବନରୁ ଆରମ୍ଭ ହୋଇଥିଲା। ସେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ର ସଂସଦକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଜନତା ଦଳରେ ଯୋଗ ଦେଇ ୧୯୮୫ ମସିହାରେ ପିପିଲି ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ  ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ପିପିଲି ବିଧାନସଭା ଆସନରୁ ୭ ଥର ବିଧାୟକ ରହି ଆସିଥିବା ପ୍ରଦୀପ ନବୀନ ସରକାରରେ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ୧୯୮୫ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଦୀପ ୨୦୧୧ ମସିହାରେ ପ୍ରଥମ ଥର ପାଇଁ କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

ପ୍ରଦୀପ ମହାରଥୀ ୨୦୧୧ ମସିହାରେ କୃଷି ମନ୍ତ୍ରୀ, ୨୦୧୪ରେ କୃଷି ମତ୍ସପାଳନ ଓ ପଶୁସଂପଦ ମନ୍ତ୍ରୀ, ୨୦୧୭ରେ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଥିଲେ।

ନବୀନଙ୍କ ଚତୁର୍ଥ ପାଳିରେ କୃଷି ସହ ମତ୍ସ୍ୟ ଓ ପଶୁ ସମ୍ପଦ, ପଞ୍ଚାୟତିରାଜ ବିଭାଗର ଦାୟିତ୍ୱ ତୁଲାଇଥିଲେ ପ୍ରଦୀପ। ୨୦୧୯ରେ ବିପୁଳ ଭୋଟରେ ବିଜୟ ସହ ସପ୍ତମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମହାରଥୀ ନିଜର ଖୁଲମ ଖୁଲା ବୟାନ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି।

କରୋନାରେ ଥିଲେ ଆକ୍ରାନ୍ତ

ମହାରଥୀ ପ୍ରଥମେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା।  ସେଠାରେ ସେ ଚିକିତ୍ସାରେ ରହି ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହାପରେ ପୁଣି  ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।  ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ତାଙ୍କର  ସ୍ୱାସ୍ଥ୍ୟ ବିଗିଡ଼ି ଥିଲା। ଶୁକ୍ରବାର ଦିନ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶନିବାର ରାତିରେ ସେ ଆଖି ବୁଜି ଦେଇଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲା ପିପିଲିର ଖୋରାପଡ଼ାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବିୟୋଗ ରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି

Comment