ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼: ‘‘ଟସର ଚାଷ କରି ମୁଁ ଖୁସିରେ ମୋ’ ପରିବାର ଚଳାଉଛି। ଏହି ଚାଷରୁ ଯାହା ରୋଜଗାର ହେଉଛି ସେଥିରେ ପିଲାମାନଙ୍କ ପାଠପଢ଼ା ସହିତ ଘର ଖର୍ଚ୍ଚ ମଧ୍ୟ କରୁଛି’’, ନିଜର ଜୀବନ ଜୀବିକା କଥା ବର୍ଣ୍ଣନା କରି କହନ୍ତି ସୁନ୍ଦରଗଡ଼ ଜିଲ୍ଲାର ଚାଷୀ ବିଷ୍ଣୁ ମୁଣ୍ଡା।

ଟସର ହେଉଛି ଏକ ଲାଭଜନକ ବ୍ୟବସାୟ। ସୁନ୍ଦରଗଡ଼ରେ ଏହି ଚାଷକୁ ପ୍ରୋତ୍ସାହନ ଦେଉଛି ଜିଲ୍ଲା ପ୍ରଶାସନ। ଲହୁଣିପଡ଼ା ବ୍ଲକରେ ଅନେକ ଚାଷୀ ଟସର ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ସେମାନଙ୍କ ଭିତରୁ ଖୁଣ୍ଟଗାଁ ପଞ୍ଚାୟତ ଅନ୍ତର୍ଗତ ଫୁଲଝରିଆ ଗାଁର ବିଷ୍ଣୁ ମୁଣ୍ଡା ଜଣେ। ବିଷ୍ଣୁ ଟସର ଚାଷ କରି ଗତ ଆର୍ଥିକ ବର୍ଷରେ ପ୍ରାୟ ୩ ଲକ୍ଷ ଟଙ୍କାର ଲାଭ ପାଇଛନ୍ତି। ଏହି ଚାଷ ବିଷ୍ଣୁଙ୍କ ଜୀବନ ଧାରଣ ମାନରେ ପରିବର୍ତ୍ତନ ଆଣିଛି।

ସଫଳ ଟସର ଚାଷୀ – ବିଷ୍ଣୁ ମୁଣ୍ଡା

‘‘ଲହୁଣିପଡ଼ା ବ୍ଲକରେ ଟସର ଚାଷୀଙ୍କୁ ପ୍ରୋତ୍ସାହନ ଓ ସହଯୋଗ ଦେବା ପାଇଁ ଦୁଇଟି ଟସର ସମବାୟ ସମିତି ରହିଛି। ଗୋଟିଏ ଲହୁଣିପଡ଼ାରେ ଏବଂ ଅନ୍ୟଟି ଖୁଣ୍ଟଗାଁ ପଞ୍ଚାୟତରେ ରହିଛି। ଏହି ଦୁଇଟି ସମିତି ଅଧୀନରେ ୮୦୦ରୁ ଅଧିକ ଚାଷୀ ଟସର ଚାଷ କରୁଛନ୍ତି’’, ସୂଚନା ଦେଇଛନ୍ତି ଲହୁଣିପଡ଼ା ବ୍ଲକର ବିଡିଓ ଧାନାଇ ଚରଣ ଟୁଡୁ। ବିଷ୍ଣୁ ମୁଣ୍ଡାଙ୍କୁ ଜଣେ ସଫଳ ଟସର ଚାଷୀ ଭାବେ ସେ ବର୍ଣ୍ଣନା କରିଛନ୍ତି।

ବିଭିନ୍ନ ଚାଷୀଙ୍କଠାରୁ ବିଷ୍ଣୁ ଟସର ଗୁଳା ବା ଖୋସା ଆଣିଥାନ୍ତି। ଏହି ଗୁଳାକୁ ନେଇ ବିଷ୍ଣୁ ମାଳ ତିଆରି କରନ୍ତି। ଗୋଟିଏ ମାଳରେ ୧୦୦ଟି ଲେଖାଏଁ ଟସର ଗୁଳା ରହିଥାଏ। ଏହି ମାଳକୁ ତମ୍ବୁଘେରା ଘର ଭିତରେ ଗୋଟିଏ ଲମ୍ବା ବାଉଁଶରେ ଓହଳାଇ ରଖାଯାଏ। ଇଂରାଜୀରେ ଏହି ସ୍ଥାନକୁ ଗ୍ରିନେଜ୍ ବୋଲି କୁହାଯାଏ। କେହି କେହି ଚାଷୀ ମଧ୍ୟ ନିଜ ଘରେ ବା ଗୁହାଳ ଘରେ ଏହି ଗ୍ରିନେଜ୍ ବନାଇଥାନ୍ତି।

ରେଶମ ପୋକର ଜୀବନଚକ୍ର

୩ରୁ ୪ ଦିନ ଭିତରେ ଏହି ଗୁଳାରୁ ପ୍ରଜାପତି ବାହାରିଥାନ୍ତି। ପରେ ସେଠାରେ ସ୍ତ୍ରୀ ଓ ପୁରୁଷ ପ୍ରଜାପତିଙ୍କ ଭିତରେ ସଙ୍ଗମ ହୋଇଥାଏ। ଏହା ପରେ ମହିଳା ପ୍ରଜାପତିମାନଙ୍କୁ ଅଲଗା କରି ପ୍ରତ୍ୟେକକୁ ଗୋଟିଏ ମୁଣି ବା ଥଳିରେ ୩ ଦିନ ଯାଏଁ ରଖାଯାଏ। ମା’ ପ୍ରଜାପତି ସେହି ଥଳିରେ ଅଣ୍ଡା ଦେଇଥାନ୍ତି। ଗୋଟିଏ ପ୍ରଜାପତି ୧୫୦ରୁ ୨୦୦ ପାଖାପାଖି ଅଣ୍ଡା ଦିଅନ୍ତି।ଏହି ଅଣ୍ଡାଗୁଡ଼ିକ ଭିତରୁ କେଉଁଗୁଡ଼ିକ ରୋଗମୁକ୍ତ ତାହା ଜାଣିବା ପାଇଁ  ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମା’ ପ୍ରଜାପତିମାନଙ୍କୁ ପରୀକ୍ଷା କରାଯାଏ। ଯେଉଁ ପ୍ରଜାପତି ରୋଗରେ ଆକ୍ରାନ୍ତ ଥାନ୍ତି ସେହି ଅଣ୍ଡାଗୁଡ଼ିକୁ ନଷ୍ଟ କରିଦିଆଯାଏ। ରୋଗମୁକ୍ତ ପ୍ରଜାପତିର ଅଣ୍ଡାକୁ ନିର୍ଦ୍ଦିଷ୍ଟ ଧାରାରେ ସଫା କରାଯାଇ ଚାଷୀଙ୍କୁ ଦିଆଯାଏ।

ବିଷ୍ଣୁ ମୁଣ୍ଡାଙ୍କ ଭଳି କ୍ଷୁଦ୍ର ଉଦ୍ୟୋଗୀଙ୍କଠାରୁ ଚାଷୀମାନେ ଏହି ଅଣ୍ଡା କିଣି ନେଇ ବ୍ୟବସାୟିକ ଚାଷ କରିଥାନ୍ତି। ଅଣ୍ଡାରୁ ଗୁଡ଼ିକରୁ ୭ ଦିନ ପରେ ରେଶମ ପୋକ ବାହାରିଥାନ୍ତି। ଏହି ପୋକଗୁଡ଼ିକୁ ଅସନ କିମ୍ବା ଅର୍ଜୁନ ଗଛରେ ଛଡ଼ାଯାଏ। ସେହି ଗଛର ପତ୍ର ଖାଇ ପର୍ଯ୍ୟାୟକ୍ରମେ ରେଶମ ପୋକଗୁଡ଼ିକ ବଡ଼ ହୋଇଥାନ୍ତି ଏବଂ ସେମାନେ ନିଜ ପାଇଁ ଖୋସା ତିଆରି କରିଥାନ୍ତି। ପରବର୍ତ୍ତୀ ସମୟରେ ଏହି ଖୋସାରୁ ରେଶମ ସୂତା ବାହାର କରାଯାଏ। ଏହି ଖୋସାକୁ ବିକ୍ରି କରି ଅନେକ ଚାଷୀ ଭଲ ରୋଜଗାର କରିଥାନ୍ତି।

ଟସର ଚାଷ ଉପରେ ପାଖାପାଖି ହଜାର ଚାଷୀ ନିର୍ଭରଶୀଳ

ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଟସର ଚାଷ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଉନ୍ନତମାନର ଟସର ଚାଷ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଜିଲ୍ଲାର ବଣେଇ, କୋଇଡ଼ା, ଲହୁଣିପଡ଼ା, ବିଶ୍ରା, ବଡ଼ଗାଁ ବ୍ଲକରେ ଟସର ଚାଷ କରାଯାଉଛି। ୧୫୦୦ ହେକ୍ଟର ଜମିରେ ପାଖାପାଖି ୩ ହଜାର ଚାଷୀ ଟସର ଚାଷ କରି ଜୀବିକା ନିର୍ବାହ କରୁଛନ୍ତି।

ଓଡ଼ିଶା ଜୀବିକା ମିଶନ ଏବଂ ଟସର ସେବା ସମବାୟ ସମିତି ଅଧୀନରେ ଟସର ଚାଷୀମାନଙ୍କୁ ବୈଷୟିକ ସହାୟତା, ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ବଜାର ସଂଯୋଗ ବ୍ୟବସ୍ଥା କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଟସର ଚାଷକୁ ଆହୁରି ବ୍ୟାପକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଲହୁଣିପଡ଼ା ବ୍ଲକର ଖୁଣ୍ଟଗାଁଠାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ଏକ ସିଲ୍‌କ ପାର୍କ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ପାର୍କ ପ୍ରତିଷ୍ଠା ହେଲେ ଟସର ଚାଷୀ, ପାରମ୍ପରିକ ଟସର କାରିଗର ଓ ସଂପୃକ୍ତ ଅନ୍ୟ ଗ୍ରାମୀଣ ଉଦ୍ୟୋଗୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରାଯାଇ ପାରିବ।

Comment