ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ବିଧାନସଭା ଅଧିବେଶନ। ମଙ୍ଗଳବାର ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଚଳିତ ବର୍ଷର ଐତିହାସିକ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବି ଘୋଷଣା କରିଛନ୍ତି।
କରୋନା ମହାମାରୀ ମଧ୍ୟରେ ମଙ୍ଗଳବାର ଶେଷ ହୋଇଛି ଚଳିତ ବର୍ଷର ଐତିହାସିକ ବିଧାନସଭାର ମୌସୁମୀ ଅଧିବେଶନ। ଚଳିତ ବିଧାନସଭାରେ ମୋଟ ୭ଟି ବିଲ୍ ପାରିତ ହୋଇଛି। ସେହିପରି ଶେଷଦିନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍, ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍, ଶିଳ୍ପ ବିବାଦ ଓଡ଼ିଶା ସଂଶୋଧନ ବିଲ୍, ପୌର ବିଧି ସଂଶୋଧନ ବିଲ୍ ଓ ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ଆଦି ୫ଟି ବିଲ୍ ମଧ୍ୟ ପାରିତ ହୋଇଛି।
କରୋନା ପାଇଁ ଅଧିବେଶନ ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ଚଳିତ ବର୍ଷ ଗୃହରେ ପ୍ରଶ୍ନକାଳକୁ ବାଦ୍ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ବହୁ ବାଦ ବିବାଦ ପରେ ବିନା ପ୍ରଶ୍ନକାଳରେ ଅଧିବେଶନ କରାଯିବାକୁ ମଞ୍ଜୁରୀ ମିଳିଥିଲା। ତେବେ ଏ ବର୍ଷ ଅଧିବେଶନରେ ବିରୋଧୀଙ୍କ ହୋହାଲ୍ଲା ରେକର୍ଡ ପ୍ରାୟ ହୋଇଥିଲା। କେନ୍ଦ୍ର କୃଷି ବିଲ୍ ଏବଂ ହାଥରସ୍ ଦୁର୍ଷ୍କର୍ମ ଘଟଣାର ପ୍ରଭାବ ଏଥର ଗୃହରେ ଦେଖାଯାଇଥିଲା। ସଂକ୍ରାମକ ରୋଗ ସଂଶୋଧନ ବିଲ୍, ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍ ପାଇଁ ବିରୋଧୀମାନେ ଗୃହରେ ତୁମ୍ଵି ତୋଫାନ କରିଦେଇଥିଲେ।
କରୋନା ପାଇଁ ଏଥର ବିଧାନସଭାର ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, କର୍ମଚାରୀଙ୍କ ସମେତ ଗୃହରେ ରିପୋର୍ଟିଂ କରୁଥିବା ସାମ୍ଵାଦିକମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ଯେଉଁମାନେ ପଜିଟିଭ୍ ଚିହ୍ନଟ ହୋଇଥିଲେ ସେମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅଧିବେଶନରେ ସାମିଲ ହୋଇଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନ୍ଫରେନ୍ସିଂରେ ଅଧିବେଶନରେ ସାମିଲ ହୋଇଥିଲେ। ଏଥିସହିତ ସଂକ୍ରମଣକୁ ରୋକିବା ପାଇଁ ସଂସଦୀୟ ଢଙ୍ଗରେ ବିଧାନସଭାର ସମସ୍ତ ଚେୟାର ସମ୍ମୁଖକୁ କାଚ ଦ୍ଵାରା ଘୋଡ଼ାଯାଇଥିଲା। ସମାଜିତ ଦୂରତା, ମାସ୍କ, ଗ୍ଲୋବ୍ସ ଆଦି ପରିଧାନ କରି ବିଧାୟକମାନେ ଗୃହକାର୍ଯ୍ୟରେ ସାମିଲ ହୋଇଥିଲେ।








ସରିଲା ବିଧାନସଭା ଅଧିବେଶନ। ମଙ୍ଗଳବାର ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଚଳିତ ବର୍ଷର ଐତିହାସିକ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବି ଘୋଷଣା କରିଛନ୍ତି।






