ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ୍ ପରିଚାଳନା ସଂପର୍କରେ ସମୀକ୍ଷା କରିଛନ୍ତି। ଗତ ୮ ମାସ ଧରି କୋଭିଡ୍ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ କାମ କରିଚାଲିଥିବା କୋଭିଡ୍ ଯୋଦ୍ଧାମାନଙ୍କୁ ଉଚ୍ଚପ୍ରଶଂସା କରିବା ସହିତ ସହିଦ୍‌ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ସେହି ଅନୁସାରେ ରାଜ୍ୟ ସରକାର କୋଭିଡ୍ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ସମୟରେ ସହିଦ୍‌ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର ନାମ ତାଲିକା ଭାରତ ସରକାରଙ୍କ ନିକଟକୁ ପଠାଇଥିଲେ କିନ୍ତୁ ଭାରତ ସରକାର ମାତ୍ର ଜଣେ ସହିଦ୍‌ଙ୍କୁ ସହାୟତା ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି।covid testing centers-2

ଏ ସଂପର୍କରେ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହିତ ରାଜ୍ୟରେ ବର୍ତ୍ତମାନ ୭୮ ପ୍ରତିଶତ ଲୋକ ଗୃହ ସଂଗରୋଧରେ ଅଛନ୍ତି। ତେଣୁ ଗୃହ ସଂଗରୋଧରେ ଥିବା ରୋଗୀ ଏବଂ କୋଭିଡ ହସ୍‌ପିଟାଲରେ ରହିଥିବା ରୋଗୀମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ସିଧାସଳଖ ଯୋଗାଯୋଗ କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ ଆଣ୍ଟି ଭାଇରାଲ ଔଷଧ ସଂପର୍କରେ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ଆଗକୁ ପୂଜା ଋତୁ ଆସୁଥିବାରୁ ଅଧିକ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏତଦ୍‌ବ୍ୟତୀତ କୋଭିଡ୍ ନିୟମାବଳୀ ଏବଂ ଔଷଧ ସେବନ ସଂକ୍ରାନ୍ତରେ ନିୟମିତ ସଚେତନତା ଅଭିଯାନ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ପୋଲିସ କର୍ମଚାରୀମାନେ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି।

କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ସଂଗରୋଧରେ ଥିବା ରୋଗୀମାନଙ୍କର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। କଟକ, ପୁରୀ ଓ ଭୁବନେଶ୍ୱରରେ ଏକ ଲକ୍ଷ ଆଣ୍ଟି ଭାଇରାଲ ମେଡିସିନ୍‌ ଦିଆଯାଇଛି ଏବଂ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏହା ରୋଗୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।

ସେହିପରି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ମୃତ୍ୟୁ ହାର ୦.୪ ପ୍ରତିଶତ ରହିଛି ଯାହାକି ଭାରତର ସବୁ ବଡ଼ ରାଜ୍ୟମାନଙ୍କ ମଧ୍ୟରେ ସର୍ବୋତ୍ତମ ସୂଚକାଙ୍କ।  ସେହିପରି ସୁସ୍ଥତା ହାରରେ ମଧ୍ୟ ଓଡିଶା ଦେଶର ରାଜ୍ୟ ମାନଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛି ବୋଲି ସେ କହିଛନ୍ତି।

ଏହି ବୈଠକରେ ଉନ୍ନୟନ କମିସନରଙ୍କ ସହ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ, ଡିଜିପି ଅଭୟ, ସ୍ୱତନ୍ତ୍ର ରିଲିଫ କମିସନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

Comment