ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜଧାନୀରେ ହେବ ସାଇକେଲଗିରି ଅଭିଯାନ
  • ସପ୍ତାହର ଗୋଟେ ଦିନ ସମସ୍ତେ ସାଇକେଲ ଚଲାଇବେ
  • ସାଇକେଲ ପାଇଁ ହେବ ସ୍ଵତନ୍ତ୍ର ଟ୍ରାକ୍
  • ଶୁକ୍ରବାର ହେବ ସାଇକେଲ ଦିବସ

ସବୁଦିନ ନ ହେଲେ ବି ଏଣିକି ସପ୍ତାହର ଗୋଟେ ଦିନ ସମସ୍ତେ ସାଇକେଲ ଚଲାଇବେ। ରାଜଧାନୀରେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଭୁବନେଶ୍ୱରରେ ଆୟୋଜିତ ହେବ ସାଇକେଲଗିରି ଅଭିଯାନ। ଶୁକ୍ରବାର ସକାଳ ସାଢ଼େ ୬ଟାରେ ଶିଶୁଭବନ ଛକ ନିକଟ ଏକାମ୍ର ପ୍ଲାଜା ଜନପଥରୁ ୧୨ କିଲୋମିଟର ଦୂର ଧଉଳି ଯାଏଁ, ଏହି ସାଇକେଲ ରାଲି ଆୟୋଜିତ ହେବ।

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଏବଂ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶୁକ୍ରବାର ଏହି ‘ସାଇକେଲ୍ସ ଫର୍ ଚେଞ୍ଜ’ କ୍ୟାମ୍ପେନ୍ ଆୟୋଜିତ ହେବାନେଇ ସୂଚନା ମିଳିଛି। ସାଇକେଲକୁ ନିତିଦିନିଆ ଯୋଗାଯୋଗର ମାଧ୍ୟମ ବାବେ ବ୍ୟବହାର କରିବାକୁ ଏଥିରେ ଆହ୍ଵାନ ଦିଆଯାଇଛି।

ଭୁବନେଶ୍ଵରରେ ସାଇକେଲ ଫର୍ ଚେଞ୍ଜ ନାଗରିକମାନଙ୍କୁ ଆଖପାଖ ସ୍ଥାନକୁ ଯିବା ଆସିବା କରିବାରେ ସହାୟକ ହେବ। ମାର୍କେଟ, ବିଦ୍ୟାଳୟ, ବସ୍‌ଷ୍ଟପ୍, ସଉଦା ଦୋକାନ ଆଦିରେ ଏହି ସାଇକେଲ ଉପଲବ୍ଧ ହେବ। ତେବେ ସହରର କେଉଁ କେଉଁ ରାସ୍ତାରେ ସାଇକେଲ ଚଲାଇବା ପାଇଁ ସ୍ଵାତନ୍ତ୍ର ଟ୍ରାକ୍ ନିର୍ମାଣ କରାଯିବ ସେନେଇ ପରବର୍ତ୍ତୀ ସମୟରେ ଘୋଷଣା ହେବ।“ଭାରତର ୯୫ ସହର ମଧ୍ୟରୁ ସ୍ମାର୍ଟ ସିଟି ଭୁବନେଶ୍ଵର ମଧ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟର ସ୍ମାର୍ଟ ସିଟି ମିଶନ୍‌ରେ ଅନୁବନ୍ଧିତ ହୋଇଛି। ଏହାକୁ ଏକ ଅଭିଯାନ ଭାବେ ନେଇ ସାଇକେଲ ରାଲିରେ ଅଂଶଗ୍ରହଣ କରିବାକୁ କୁହାଯାଇଛି। ସ୍ଵତନ୍ତ୍ର ଭାବେ ସାଇକେଲ ଟ୍ରାକ୍ ନିର୍ମାଣ କରାଯାଉଛି। ସାଇକେଲ ଚାଳକ ସୁରକ୍ଷିତ ଭାବେ ଯିବା ଆସିବା ପାଇଁ ବିଏମସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏପରିକି ଟ୍ରକ୍, ବସ୍, କାର୍ ଡ୍ରାଇଭିଂ ଲାଇସେନ୍ସ ଆଣିଲା ସମୟରେ ଯେମିତି ଟେଷ୍ଟ ଦିଆଯାଉଥିଲା, ସେମିତି ସାଇକେଲ ଚାଳକମାନେ ରାସ୍ତାରେ କିପରି ଯିବା ଆସିବା କରିବେ ସେ ନେଇ ତାଙ୍କୁ ବିଶେଷ ଭାବରେ ଟ୍ରେନିଂ ଦିଆଯିବ”, କହିଛନ୍ତି ବିଏମ୍‌ସି କମିସନର ତଥା ଭୁବନେଶ୍ଵର ସ୍ମାର୍ଟ ସିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ ଚଉଧାରୀ।

Comment