ଓଡ଼ିଶାଲାଇଭ୍ ବ୍ୟୁରୋ

ଗତକାଲି ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣରେ ଆଜି ଜଣେ ଗୁରୁତର ରୋଗୀ ନିଜର ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଏହି ଘଟଣା ପରେ ଜଣେ ବ୍ୟକ୍ତିଙ୍କର ପତ୍ତା ମିଳୁନଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପତ୍ତା ମିଳୁନଥିବା ବ୍ୟକ୍ତିଜଣଙ୍କର ନାଁ ସୀମାଞ୍ଚଳ ପରିଡ଼ା ବୋଲି ଜଣାପଡ଼ିଛି। ସେ ଗ୍ୟାସ୍ ଭର୍ତ୍ତି କାମରେ ନିୟୋଜିତ ଥିଲେ। ହେଲେ ବିସ୍ଫୋରଣ ପରଠାରୁ ତାଙ୍କ ପରିବାର ଲୋକ ତାଙ୍କ ଖୋଜ ଖବର ପାଉନଥିବା ଅଭିଯୋଗ କରିଛନ୍ତି।

ପରିବାର ଲୋକେ ଗତକାଲିର ଘଟଣା ପରେ ସେଠାକୁ ଆସି ଖୋଜାଖୋଜି କରିଥିଲେ। ପରେ ପରେ ସେମାନେ ବିଳମ୍ବିତ ରାତିରେ କ୍ୟାପିଟାଲ୍ ହସ୍ପିଟାଲ ଓ ଏସସିବି ମେଡିକାଲ୍ ଯାଇ ଖୋଜାଖୋଜି କରିଛନ୍ତି। ହେଲେ ସୀମାଞ୍ଚଳଙ୍କର କୌଣସି ଖବର ପାଇପାରିନାହାନ୍ତି।

ଅନ୍ୟପଟେ ଏହି ଘଟଣାରେ ୯ ଜଣ ଆହତ ହୋଇଥିବାବେଳେ ୨ ଜଣ ଗୁରୁତର ରହିଥିଲେ। ୨ ଜଣ ଗୁରୁତରଙ୍କ ଭିତରୁ ଆଜି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ସତ୍ୟ ନାୟକ। ସେ ଗଞ୍ଜାମ ଅଞ୍ଚଳ ବୋଲି ଜଣାପଡ଼ିଛି। ବିସ୍ଫୋରଣରେ ତାଙ୍କର ଦେହ ୬୦ ପ୍ରତିଶତ ଜଳିଯାଇଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏସିସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

Comment