ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨୮ରେ ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। କଂଗ୍ରେସ ଏଥର ମହାମେଣ୍ଟରେ ସାମିଲ ହୋଇଛି। ପ୍ରଚାର ଆରମ୍ଭ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା, ଯେଉଁ ନେତାମାନେ ୨ ମାସ ତଳେ ବିଦ୍ରୋହ କରି ବିବାଦୀୟ ହୋଇଥିଲେ। ସୋନିଆଙ୍କୁ ଅଡୁଆରେ ପକାଇଥିଲେ। ସେହିମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ବିହାର ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଭାବେ ମନୋନୀତ କରାଯାଇଛି।

ଷ୍ଟାର ପ୍ରଚାରକଙ୍କ ତାଲିକାରେ ସୋନିଆ ଗାନ୍ଧୀ, ରାହୁଲ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମ ରହିଛି। ଏହା ସହିତ କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ନେତାଙ୍କ ମଧ୍ୟରୁ ଗୁଲାମନବୀ ଆଜାଦ ଓ ରାଜ ବବ୍ବର ରହିଛନ୍ତି। ଏହା ସହିତ ରାଜସ୍ଥାନ ସରକାରରେ ବିଦ୍ରୋହ କରିଥିବା ସଚିନ ପାଇଲଟ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି।ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ ଓ ମନମୋହନଙ୍କ ନାମ ରହିଥିଲେ ମଧ୍ୟ, ସେମାନେ ସ୍ୱାସ୍ଥ୍ୟଗତ କାରଣରୁ ପ୍ରକୃତ ନିର୍ବାଚନ ରାଲିରେ ଯୋଗଦେବେନାହିଁ। କେବଳ ଭର୍ଚୁଆଲ ରାଲିରେ ସମ୍ବୋଧିତ କରିବେ। ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, ଅଭିନେତା ଓ ପୂର୍ବତନ ସାଂସଦ ଶତ୍ରୁଘ୍ନ ସିହ୍ନା, ପୂର୍ବତନ ଲୋକସଭା ବାଚସ୍ପତି ମୀରାକୁମାର, କଂଗ୍ରେସର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଅମରିନ୍ଦର ସିଂହ, ଭୁପେଶ ବଘେଲ ମଧ୍ୟ ତାଲିକାରେ ରହିଛନ୍ତି। ଏମାନଙ୍କ ସହିତ ତାରିକ ଅନୱର, ରଣଦୀପ ସୁର୍ଜେୱାଲା, ସକିଲ ଅହମ୍ମଦ, ସଚିନ ପାଇଲଟ, କୀର୍ତ୍ତି ଆଜାଦ, ବିହାର କଂଗ୍ରେସ ମୁଖ୍ୟ ମଦନମୋହନ ଝାଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।

ତେବେ ଷ୍ଟାର ପ୍ରଚାରକ ତାଲିକା ସ୍ଥିର ହୋଇସାରିଛି, କିନ୍ତୁ ପ୍ରାର୍ଥୀତାଲିକା ଚୂଡ଼ାନ୍ତ ହୋଇପାରିନି। କାରଣ ଭାଗରେ ପଡ଼ିଥିବା କିଛି ଆସନକୁ ନେଇ କଂଗ୍ରେସ ଚିନ୍ତାରେ ପଡ଼ିଯାଇଛି। ଭାଗରେ ପଡ଼ିଥିବା ଆସନରୁ ଏମିତି କିଛି ଆସନ ରହିଛି ଯେଉଁଥିରେ ଅନେକ ବର୍ଷ ହେଲା କେବେ ଦଳ ଜିତିନାହିଁ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୧ ପ୍ରାର୍ଥୀ ଘୋଷଣା କରିସାରିଛି ଦଳ। ଏବେ ଆହୁରି ୪୯ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବା ବାକି ରହିଛି। ଅନ୍ୟ ପକ୍ଷରେ ବିଜେପି ଓ ଜେଡିୟୁ ସେମାନଙ୍କର ଅଧିକାଂଶ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ତେବେ ସୂଚନା ଅନୁସାରେ ଆସନ୍ତାକାଲି କଂଗ୍ରେସର ସିଇସି ବୈଠକ ବସି ବଳକା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହେବ।

Comment