ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗକୁ ସ୍ଵତନ୍ତ୍ର ପରିଚୟ ଦେଇଛି ଗଙ୍ଗାଦେବୀ ମୁହାଁଣ ଓ ସର୍ବଧର୍ମ ସମନ୍ଵୟର ପୀଠ ପୀର ଜାହାନିଆଁ। ବର୍ଷତମାମ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ପୀର ଜାହାନିଆଁଙ୍କୁ ଦର୍ଶନ କରିବା ସହ ଗଙ୍ଗାଦେବୀ ମୁହାଁଣରେ ଥିବା ପ୍ରାକୃତିକ ପରିବେଶକୁ ଲୋକମାନେ ଉପଭୋଗ କରିଥାନ୍ତି।

ସୁଦୀର୍ଘ ବେଳାଭୂମିରେ ଥିବା ଝାଉଁ ଜଙ୍ଗଲର ସବୁଜିମା ଓ ଅଲିଭ୍ ରିଡ୍‌ଲେ କଇଁଛଙ୍କ ପାଇଁ ଦେଶ ବିଦେଶରେ ସ୍ଵତନ୍ତ୍ର ପରିଚୟ ପାଇଛି ଗଙ୍ଗାଦେବୀ ମୁହାଁଣ। ଶୀତଦିନେ ଏହି ସ୍ଥାନକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।ସେହିପରି ଏଠାରେ ସର୍ବଧର୍ମ ସମନ୍ଵୟର ନିଦର୍ଶନ ବହନ କରୁଥିବା ପୀର ଜାହାନିଆଁ ପୀଠ ରହିଛି। ଏଠାକୁ ବର୍ଷସାରା ଦେଶ ବିଦେଶରୁ ଅନେକ ଲୋକ ଆସିଥାନ୍ତି। ପ୍ରତିବର୍ଷ ଏଠାରେ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ବାଲିଯାତ୍ରା ମହୋତ୍ସବ ପାଳନ କରାଯାଏ। ଏହି ଯାତ୍ରାରେ ହଜାର ହଜାର ପର୍ଯଟକଙ୍କ ସମାଗମ ହୋଇଥାଏ।

ସେହିପରି ସମୁଦ୍ର କୂଳରେ ଥିବା ଝାଉଁ ଜଙ୍ଗଲରେ ବର୍ଷତମାମ ଭୋଜିଭାତର ଆସର ଜମିଥାଏ।ଏହାର ଅନତି ଦୂରରେ ରହିଛି ଗଙ୍ଗାଦେବୀ ମନ୍ଦିର। ଏହା ନିକଟରେ ଦେବୀ ନଦୀର ଶାଖାନଦୀ ବହିଯାଇଛି। ଏହାର ଉଭୟ ପାର୍ଶ୍ଵରେ ଜଙ୍ଗଲ ବିଭାଗ ଦ୍ଵାରା ସୃଷ୍ଟି ହୋଇଥିବା ଲୁଣା ଜଙ୍ଗଲର ମନଲୋଭା ପରିବେଶ, ବିଭିନ୍ନ ପ୍ରଜାତିର ଦେଶୀୟ ତଥା ବିଦେଶାଗତ ପକ୍ଷୀମାନଙ୍କ ଉପସ୍ଥିତି, ସର୍ବୋପରି ଲୁଣା ଜଙ୍ଗଲରେ  ଥିବା ଗେଣ୍ତାଳିଆ ଆଦି ପର୍ଯ୍ୟଟକଙ୍କ ମନ ମୋହିଥାନ୍ତି।ଗଙ୍ଗା ଦେବୀଠାରୁ ପ୍ରାୟ ୧ଘଣ୍ଟାର ବୋଟ୍‌ଯାତ୍ରା ପରେ ଲୁଣା ହେନ୍ତାଳ ଜଙ୍ଗଲକୁ ଯାଇହୁଏ। ଏଠାରେ ବିଭିନ୍ନ ରଙ୍ଗ ବେରଙ୍ଗର ପକ୍ଷୀଙ୍କୁ ଦେଖିବାକୁ ମିଳେ। ଏଥିସହ ଦେବୀ ମୁହାଁଣ ନିକଟରେ ନାଲି ରଙ୍ଗର କଙ୍କଡ଼ା ସହ ନଦୀ ଓ ସାଗରର ମିଳନ ଶୋଭାରାଜି ପର୍ଯ୍ୟଟକଙ୍କ ମନ ମୋହିଥାଏ।ଏସବୁକୁ ଉପଭୋଗ କରିବା ସହ ଏଠାରେ ବୋଟିଂର ମଜା ମଧ୍ୟ ମିଳିଥାଏ। ଏହି ଅଞ୍ଚଳରେ ବର୍ଷତମାମ ପର୍ଯ୍ୟଟକଙ୍କ ଗହଳି ଲାଗିରହିଥାଏ।

Comment