କମଳାକାନ୍ତ ପତି

ହାଥରସ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣାକୁ ନେଇ ନିନ୍ଦିତ ଯୋଗୀ ଆଦିତ୍ୟନାଥ ସରକାର। ଏହି ମାମଲାରେ ବିଜେପି ଉପରେ କ୍ଷୁବ୍‌ଧ ଦଳିତ ସମାଜ। ବିହାର ନିର୍ବାଚନ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ଦେଖା ଦେଲାଣି। ତେଣୁ ମାମଲାକୁ ପୀଡ଼ିତାଙ୍କ ଆଡକୁ ମୋଡ଼ି ଦେବାର  ପ୍ରଚେଷ୍ଟା ଆରମ୍ଭ ହୋଇଯାଇଛି।

୧୦୦ କୋଟିର ତଥ୍ୟ ମିଥା

ଜଣେ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇ ଗୁରୁତର କରିଦିଆଗଲା। ମୃତ୍ୟୁ ସହ ପ୍ରାୟ ୧୫ ଦିନ ସଂଗ୍ରାମ କରି ଶେଷରେ ଯୁବତୀ ଜଣକ ଆଖି ବୁଜିଲେ। ମୃତଦେହ ସମ୍ପୃକ୍ତ ଯୁବତୀଙ୍କ ପରିବାରକୁ ହସ୍ତାନ୍ତର କରିବା ପରିବର୍ତ୍ତେ ଉତ୍ତର ପ୍ରଦେଶ ପୋଲିସ୍ ରାତିଅଧିଆ  ସତ୍କାର କରି ଦେଲେ। ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏବେ  ବିରୋଧୀ ରାଜନୈତିକ ଦଳ ଏବଂ ଦଳିତ ସମାଜର ଆକ୍ରୋଶର ଶିକାର। ରାଜ୍ୟରେ ଜଣେ ଦଳିତ ଯୁବତୀର ଶବ ଉପରେ ରାଜନୀତି ଚାଲିଛି। ଏହି ପରିପ୍ରେକ୍ଷୀରେ ମାମଲାକୁ ମୋଡ଼ି ଦେବା  ସକାଶେ ଶାସକ ବିଜେପି ପକ୍ଷରୁ ଯୋରଦାର ଉଦ୍ୟମ ହେଉଛି।ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ରେ ନିର୍ବାଚନ। ଦଳିତ ବର୍ଗର ଲୋକଙ୍କ ଉପରେ ଏହି ରାଜ୍ୟରେ ନିର୍ଯାତନାର ଅନ୍ତଘଟୁନଥିବା ବେଳେ ହଥରସର ଜଘନ୍ୟ ଘଟଣା ଯୋଗୀ ସରକାର ପାଇଁ ସବୁଠୁ ଅଧିକ ଚିନ୍ତାର କାରଣ ହୋଇଛି। ଏପରିକି ହଥରସ ଘଟଣା ପରେ ସେଠାରେ ଜାତିଆଣ ସଂଘର୍ଷ ସୃଷ୍ଟି ସକାଶେ ବିଦେଶରୁ ୧୦୦ କୋଟି ଟଙ୍କା ଆସିଥିଲା ବୋଲି ଅଭିଯୋଗ ଉଠିଥିଲା। ହଥରସ ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଭୀମ ଆର୍ମିର ନେତା ଚନ୍ଦ୍ରଶେଖର ଆଜାଦ ଏବଂ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଏହି ଷଡ଼ଯନ୍ତ୍ର କରିଥିଲେ ବୋଲି କୁହାଯାଇଥିଲା। ଉତ୍ତରପ୍ରଦେଶ ପୋଲିସ୍ ମଧ୍ୟ ଏହି ଷଡଯନ୍ତ୍ର ତତ୍ତ୍ଵକୁ ସତ୍ୟ ସାବ୍ୟସ୍ତ କରିବାକୁ ଚାହୁଁଥିଲା। ମାତ୍ର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଜି) ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି।

ଅଭିଯୋଗ ଉଠାଇଥିଲେ ପୂର୍ବତନ ଡିଜିପି

ପୋଲିସ୍ ମହାନିର୍ଦ୍ଦେଶକ ଥିବା ବ୍ରିଜଲାଲ ବେଶ୍ କିଛି ଦିନ ପୂର୍ବରୁ ଅବସର ନେଇ ସାରିଲେଣି। ମାତ୍ର ଯୋଗୀ ଆଦିତ୍ୟନାଥଙ୍କ ସଙ୍କଟକୁ ହାଲୁକା କରିବା ସକାଶେ ଗଣମାଧ୍ୟମରେ ତାଙ୍କର ଅଭିଯୋଗ ରାଜନୈତିକ ମହଲକୁ ଆଶ୍ଚର୍ଯ୍ୟ କରିଛି। ବିଶେଷ କରି ଏହି ଅଭିଯୋଗକୁ ଇଡି ମିଥ୍ୟା ବୋଲି କହିବା ପରେ ବ୍ରିଜଲାଲଙ୍କ ଭଳି ଜଣେ ଆଇନ ଶୃଙ୍ଖଳାର ମୁଖ୍ୟ ରକ୍ଷକ ପଦବୀରେ ରହି ଆସିଥିବା ବ୍ୟକ୍ତି ତଥ୍ୟବିହୀନ ଅଭିଯୋଗ କିପରି କଲେ ବୋଲି ପ୍ରଶ୍ନ ଉଠୁଛି। ବ୍ରିଜଲାଲ କହିଥିଲେ ଯେ, ଚନ୍ଦ୍ରଶେଖରଙ୍କର ପିଏଫଆଇ ସହ ଯୋଗସୂତ୍ର ରହିଛି। ଏପରିକି ସିଏଏ ବିରୋଧୀ ଆନ୍ଦୋଳନର ଇନ୍ଧନ ପିଏଫଆଇ ଯୋଗାଇଥିଲା। ଏବେ ହାଥରସ ଘଟଣାକୁ ନେଇ ଯୋଗୀ ସରକାରକୁ ଅଡ଼ୁଆରେ ପକାଇବା ଜାତିଆଣ ସଂଘର୍ଷ ସକାଶେ ପିଏଫଆଇ ୧୦୦ କୋଟି ଟଙ୍କାର ବିଦେଶୀ ଅନୁଦାନ ବ୍ୟବସ୍ଥା କରିଥିଲେ। ଗଣମାଧ୍ୟମକୁ ବ୍ରିଜଲାଲ ଏହି ସୂଚନା ଦେବା ପରେ ଏହାର ସତ୍ୟାସତ୍ୟ ଜାଣିବା ସକାଶେ ଇଡି ପକ୍ଷରୁ ଉଦ୍ୟମ ହୋଇଥିଲା। ଶେଷରେ ଇଡ଼ି ଜଣାଇ ଦେଲା ଯେ, ୧୦୦ କୋଟି ଟଙ୍କା ଉଦ୍ଧାର ତଥ୍ୟ ଓ ବ୍ରିଜଲାଲଙ୍କ ଅଭିଯୋଗ ଉଭୟ ମିଥ୍ୟା।ଗଣଦୁଷ୍କର୍ମ ମିଥ୍ୟା ପ୍ରମାଣ ଉଦ୍ୟମ

ହାଥରସ ଦଳିତ ଯୁବତୀ ଜଣକ ପ୍ରାଣ ହରାଇ ସାରିଥିଲେ ମଧ୍ୟ ତାଙ୍କୁ ଗଣଦୁଷ୍କର୍ମ କରାଯାଇ ନାହିଁ ବୋଲି ପ୍ରମାଣ କରିବାକୁ ଚେଷ୍ଟା ଚାଲିଛି। ବ୍ରିଜଲାଲ ମଧ୍ୟ ଏହି ଚେଷ୍ଟାରୁ ବିରତ ହୋଇନାହାନ୍ତି। ସେ କହିଛନ୍ତି ଯେ, ପୀଡ଼ିତା ଜଣକ ପ୍ରଥମ ଦିନ ଜଣକ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଠାକୁର ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ସକାଶେ ଜେଲରୁ ଏକ ଚିଠି ଏସପିଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ। ଏହି ଚିଠି ଇତି ମଧ୍ୟରେ ପ୍ରକାଶ ପାଇଯାଇଛି। ଏହି ଚିଠିରେ ସନ୍ଦୀପ ଯୁବତୀଙ୍କ ପରିବାର ସଦସ୍ୟଙ୍କ ଉପରେ ନିର୍ଯାତନାର ଅଭିଯୋଗ କରିଛନ୍ତି। ଏହି ନିର୍ଯାତନାର ଶିକାର ହୋଇଛନ୍ତି ଯୁବତୀ ଜଣକ।

ଅଭିଯୁକ୍ତ ସନ୍ଦୀପଙ୍କ ଚିଠିର ସାରମର୍ମ

ଯୁବତୀ ଜଣକ ତାଙ୍କ ଗ୍ରାମର ହୋଇଥିବାରୁ ତାଙ୍କ ସହ ସମ୍ପର୍କ ଥିବା କଥା ସ୍ଵୀକାର କରିଛନ୍ତି ସନ୍ଦୀପ। ସେ ଏସପିଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି ଯେ, ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ଥିଲା। ଅଧିକାଂଶ ସମୟ ଟେଲିଫୋନ୍‌ରେ କଥାବାର୍ତ୍ତା ହେଉଥିଲା। କିନ୍ତୁ ଯୁବତୀଙ୍କ ପରିବାର ସଦସ୍ୟ ଏହି ବନ୍ଧୁତାକୁ ପସନ୍ଦ କରୁନଥିଲେ। ତେଣୁ ତାଙ୍କୁ ଘରେ ନାନାଦି ନିର୍ଯାତନାର ଶିକାର ହେବାକୁ ପଡ଼ୁଥିଲା। ଘଟଣା ଘଟିବା ଦିନ ଯୁବତୀଙ୍କ ସହ କଥା ହେଉଥିବା ବେଳେ ପରିବାର ଲୋକେ ଦେଖିଥିଲେ। ଯୁବତୀ ଜଣଙ୍କ ଘରକୁ ଫେରିବା ପରେ ତାଙ୍କ ଉପରେ ଅତ୍ୟାଚାର କରାଯାଇଥିଲା। ମାରଧର ମଧ୍ୟ ହୋଇଥିଲା। ଏଥିରେ ଯୁବତୀ ଜଣକ ଜୀବନ ପ୍ରତି ବିପଦ ଦେଖା ଦେବାରୁ ପରିବାର ସଦସ୍ୟମାନେ ସନ୍ଦୀପ ଓ ତାଙ୍କର ଅନ୍ୟ ୨ ଜଣ ବନ୍ଧୁଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଥିଲା। ଚିଠିଟି ପ୍ରଘଟ ହେବା ପରେ ଯୁବତୀଙ୍କ ବାପା ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି। ମୁଖ୍ୟ ଅଭିଯୁକ୍ତର ଏସବୁ ମନଗଢ଼ା କାହାଣୀ ବୋଲି ସେ କହିଛନ୍ତି। ଝିଅର ମୃତ୍ୟୁ ନେଇ ନ୍ୟାୟ ଭିକ୍ଷା କରୁଥିବା ପରିବାରକୁ ହତ୍ୟାକାରୀ ବୋଲି ପ୍ରମାଣ କରିବା ସକାଶେ ଏହା ଏକ ଷଡଯନ୍ତ୍ର  ବୋଲି କହିଛନ୍ତି ଯୁବତୀଙ୍କ ବାପା। ପୋଲିସ୍ ଏହି ଚିଠିର ସତ୍ୟାସତ୍ୟ ଯାଞ୍ଚ କରୁଛି।ପୀଡ଼ିତାର ଚରିତ୍ର ହନନ ଚେଷ୍ଟା

ସବୁଠାରୁ ସାଂଘାତିତ କଥା ହେଉଛି ମୃତ ଯୁବତୀର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇ ମାମଲାକୁ ଚାପି ଦିଆଯିବାର ଚେଷ୍ଟା କରାଯାଉଛି। ଏଥିପାଇଁ ଶାସନ କଳ ତାଙ୍କ ଅନୁଗତ ପ୍ରଚାର ମାଧ୍ୟମକୁ କାମରେ ଲଗାଇ ଦେଇଥିବା ଅଭିଯୋଗ ହେଉଛି। ମୁଣ୍ଡରୁ ଦୋଷ ଓହ୍ଲାଇ ଦେଇ ପୀଡ଼ିତାଙ୍କ ପରିବାର ଉପରେ ଅନର କିଲିଂର ଦୋଷ ଲଦିଦେଲେ ଦଳିତ ସମାଜ ଚୁପ୍ ହୋଇଯିବେ ବୋଲି ଚିନ୍ତା କରାଯାଇଛି। ତେଣୁ ପ୍ରଥମେ ପୀଡ଼ିତା ଜଣକ ଦୁଷ୍କର୍ମର ଶିକାର ହୋଇନାହାନ୍ତି ବୋଲି ପ୍ରମାଣ କରିବାର ଚେଷ୍ଟା କରାଯାଇଥିଲା। କିନ୍ତୁ ପ୍ରତ୍ୟକ୍ଷଦର୍ଶୀ ଭାବେ ପୀଡ଼ିତାଙ୍କ ମାଆ ଦେଇଥିବା ବୟାନ ଓ ହସ୍ପିଟାଲରେ ନିର୍ଯାତିତା ଯୁବତୀର ଜମାନବନ୍ଦୀ ସେହି ଚେଷ୍ଟାକୁ ବିଫଳ କରିଦେଲା। ପରେ ଚେଷ୍ଟା କରାଗଲା ଯୁବତୀଙ୍କ ଚାରିତ୍ରିକ ଦୋଷ ପଦାକୁ ଆଣିବାକୁ। ତେଣୁ ଯୋଡ଼ା ଯାଉଛି ନୂଆ କାହାଣୀ। ଅଭିଯୁକ୍ତଙ୍କ ଜରିଆରେ ପୋଲିସକୁ ଚିଠି ଲେଖି ସେମାନଙ୍କୁ ଫସାଇ ଦିଆଯାଇଥିବାର ନାଟକ ରଚାଯାଉଛି। ପରିବାର ସଦସ୍ୟଙ୍କ ନିର୍ଯାତନାରୁ ଯୁବତୀର ମୃତ୍ୟୁ ଘଟିଛି ବୋଲି ପ୍ରମାଣ କରିବା ସକାଶେ ପୋଲିସ୍ ଓ ତଦନ୍ତକାରୀ ସଂସ୍ଥା ପୂର୍ଣ୍ଣପ୍ରାଣରେ ଲାଗି ପଡ଼ିଛନ୍ତି।

ତଦନ୍ତର ନିରପେକ୍ଷତା ନେଇ ପ୍ରଶ୍ନ

ହାଥରସ ଘଟଣାର ନିରପେକ୍ଷ ତଦନ୍ତ ହେବ, ଦୋଷୀମାନେ କଠୋର ଦଣ୍ଡରେ ଦଣ୍ଡିତ ହେବେ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘଟଣାର ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ଦ୍ଦେ ଶ ଦେଇଛନ୍ତି। କିନ୍ତୁ ଅଦ୍ୟାବଧି ଯାହା ସବୁ ଘଟିଲାଣି ସେଥିରୁ ଅନୁମାନ ଲଗାଯାଇପାରୁଛି ଯେ, ହାଥରସ ଘଟଣାର ନିରପେକ୍ଷ ତଦନ୍ତ ନେଇ ଯୋଗୀ ସରକାର କେତେ ଆଗ୍ରହୀ। ଦଳିତ ସମାଜ ଏବଂ ବିରୋଧୀଙ୍କ ଚାପରେ ପଡ଼ି ଯୋଗୀ ସରକାର ଏହି ଘଟଣାର ସିବିଆଇ ଦ୍ଵାରା ତଦନ୍ତ କରାଉଛନ୍ତି। ବିଗତ ଅନେକ ଘଟଣାର ତଦନ୍ତ ସିବିଆଇ ଦ୍ଵାରା ହୋଇଥିଲେ ମଧ୍ୟ ତାହା କେଉଁ ମାର୍ଗରେ ଯାଇଛି ଦେଶବାସୀଙ୍କୁ ଅଛପା ନାହିଁ। ସୁତରାଂ ସିବିଆଇ ତଦନ୍ତକାରୀମାନେ ହାଥରସ ପୀଡ଼ିତାଙ୍କ ପରିବାରକୁ କେତେ ନ୍ୟାୟ ଦେଇପାରିବେ ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ମୃତ ପୀଡ଼ିତାଙ୍କର ଚରିତ୍ର  ଦୋଷକୁ ନେଇ ଯେତେବେଳେ କଥା ଉଠିଲାଣି ସେତେବେଳେ ତଦନ୍ତକାରୀ ସଂସ୍ଥା କେତେ ନ୍ୟାୟ ଦେଇପାରିବ ତାହା ଏବେ ପ୍ରଶ୍ନବାଚୀ। ତେଣୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଚେତାଇ ଦେବାକୁ ଯାଇ କହିଛନ୍ତି, ନିର୍ଯାତିତାଙ୍କ ହତ୍ୟାକୁ ନେଇ ବିଚାର ହେଉ, ତାଙ୍କର ଚରିତ୍ର -ହନନକୁ ନେଇ ନୁହେଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment