ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ବିଧାନସଭା ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିବା ପରେ ଏବେ ବିଜେଡି ଓ କଂଗ୍ରେସ ଉପରେ ନଜର। ଗୋଟେପଟେ ପ୍ରଥମରୁ ବିଜେଡିର ଟିକଟ ରେସରେ ଥିବା ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିଜେ ଆଉଟ ହୋଇସାରିବା ପରେ ଜୀବନପ୍ରଦୀପ ଦାଶ ମଧ୍ୟ ନିର୍ବାଚନ ଲଢ଼ିବା ପାଇଁ ଇଛା ନ ଥିବା କହିସାରିଛନ୍ତି।
ଏ ପରିସ୍ଥିତିରେ କିଏ ହେବେ ବିଜେଡି ପ୍ରାର୍ଥୀ? ରବୀନ୍ଦ୍ର ଜେନା ପ୍ରାର୍ଥୀ ହେବେ ନାହିଁ, କିନ୍ତୁ କୌଣସି କ୍ଷେତ୍ରରେ ବି ସେ ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ନାଁକୁ ନେଇ ଅସ୍ୱୀକାର କରିନାହାନ୍ତି। ପ୍ରତ୍ୟେକ ଦିନ ଗଣମାଧ୍ୟମରେ ତାଙ୍କ ନାଁ ନେଇ ଚର୍ଚ୍ଚା ହେଉଛି, ନିଜେ ମଧ୍ୟ ରବୀନ୍ଦ୍ର ଜେନା ପତ୍ନୀଙ୍କ ପାଇଁ ଟିକେଟ ଦାବି କରୁଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ଏ ପରିସ୍ଥିତିରେ ନିର୍ବାଚନକୁ ଜୀବନଙ୍କ ନାଁ କହିବା ଏବଂ ହାରିବା ପ୍ରାର୍ଥୀଙ୍କୁ ଆଉଥରେ ଟିକଟ ନ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି।
ତେବେ କ’ଣ ସମସ୍ୟା ରହିଛି ବିଜେଡି ଆଗରେ? କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପୂର୍ବରୁ ସବୁ ବିବାଦ ସମାଧାନ କରିବାକୁ ଚାହୁଁଛି ଦଳ। ତେବେ ସୁବାସିନୀ ଜେନାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିବା ପୂର୍ବରୁ ତାଙ୍କ ସପକ୍ଷରେ ସମସ୍ତ ବରିଷ୍ଠ ନେତାଙ୍କୁ ଦଳ ସହମତ କରିବାକୁ ଚାହୁଁଛି ନା ଆଉ କିଏ ପ୍ରାର୍ଥୀ ଅଛି, ଯାହାକୁ ଅକସ୍ମାତ ନବୀନ ପ୍ରାର୍ଥୀ କରିବେ।
ବିଜେପି ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। କାରଣ ବିଜେପି ମାନସଙ୍କୁ ପ୍ରାର୍ଥୀ କରି ଯୁବକ କାର୍ଡ ଖେଳିବା ସହ ଅନୁକମ୍ପା ଭୋଟକୁ ନିଜ ସପକ୍ଷରେ ରଖିବ ବୋଲି ଯୋଜନା କରିଛି।
ଗତ ନିର୍ବାଚନରେ ଅରୁଣ ଦେ ଭିତିରିଆ ମଦନମୋହନ ଦତ୍ତଙ୍କୁ ସମର୍ଥନ ଯୋଗାଇ ଦେଇଥିବା ଚର୍ଚ୍ଚା ହୁଏ। ନିକଟରେ ଅରୁଣ ଦେ ବିଜେଡିରେ ସାମିଲ ହୋଇସାରିଥିବାରୁ ବଙ୍ଗାଳି ଭୋଟ ବିଭାଜନ ହେବାର ସମ୍ଭାବନା ରହିଛି। ସେମିତି କିଛି ହେଲେ ବିଜେଡି ସପକ୍ଷରେ ଅଧିକ ଭୋଟ ଆସିବ ବୋଲି ନେତାମାନେ ଚିନ୍ତା କରିଛନ୍ତି।
କଂଗ୍ରେସ ଏବେ ବି ଏ କ୍ଷେତ୍ରରେ ବହୁତ ପଛରେ ରହିଛି। ପ୍ରଥମେ ନବଜ୍ୟୋତି ପଟ୍ଟନାୟକଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ନିଜେ ଆଗ୍ରହୀ ନ ଥିବା ଚର୍ଚ୍ଚା ହେଉଛି। କିନ୍ତୁ ସେ ବାଲେଶ୍ୱରରେ ରହି ନିର୍ବାଚନ ପରିଚାଳନା କରୁଛନ୍ତି। ସେ ନିର୍ବାଚନ ନ ଲଢ଼ିବା ପଛରେ ୨ଟି ପ୍ରମୁଖ କାରଣ ରହିଛି। ଗୋଟିଏ ହେଉଛି ସେ ଯଦି ହାରିଯାଆନ୍ତି ତେବେ ତାଙ୍କ ପାଇଁ ୨୪ରେ ଟିକଟ ହାସଲ କରିବା କଷ୍ଟକର ହୋଇପଡ଼ିବ। ସେପଟେ ବାପା ନିରଞ୍ଜନ ପଟ୍ଟନାୟକ ଏବେ ବି ପସିସି ସଭାପତି ଥିବାରୁ ଉପ-ନିର୍ବାଚନର ହାର୍ ପାଇଁ ସେ ବେଶୀ ସମାଲୋଚିତ ହେବେ।


















