ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀକୁ ମାତ୍‌ ଦେବାରେ ଆଉ ପାଦେ ସଫଳତା ସାଉଁଟିଛି ସମ୍ କୋଭିଡ ହସ୍ପିଟାଲ୍। ଏଭଳି ଏକ ଅଦୃଶ୍ୟ ଏବଂ ଭୟଙ୍କର ଶତୃକୁ ବୟୋଜ୍ୟେଷ୍ଠମାନେ ଯେ ଖୁବ ଅନାୟସରେ ପରାସ୍ତ କରିପାରିବେ ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି ସମ୍‌ରେ ଚିକିତ୍ସିତ ଜଣେ ୯୩ ବର୍ଷୀୟା ମହିଳା।

ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ୱାରା ବରିଷ୍ଠ ନାଗରିକମାନେ କରୋନାରୁ ସୁସ୍ଥ ହୋଇପାରିବେ। କରୋନା ସଂକ୍ରମିତ ହୋଇଥିବା ୯୩ ବର୍ଷୀୟା ବାସନ୍ତୀ ପାତ୍ର ସମ୍ କୋଭିଡ ହସ୍ପିଟାଲ୍‌ରୁ ଚିକିତ୍ସା ପାଇବା ପରେ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ମାତା ବାସନ୍ତୀ ପାତ୍ର ଗତ ଅକ୍ଟୋବର ୨ରେ କରୋନା ସଂକ୍ରମିତ ହୋଇଥିଲେ। ପରେ ଅକ୍ଟୋବର ୫ରେ ତାଙ୍କୁ ଭୁବନେଶ୍ୱରର ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ବୟୋଜ୍ୟେଷ୍ଠ ମହିଳାଙ୍କ ଶରୀରରେ ହୃଦଜନିତ ଓ କିଡ୍‌ନୀ ଜନିତ ସମସ୍ୟା ରହିଥିବାବେଳେ ପିତ୍ତକୋଷରେ ପଥର ଥିବା ଜଣା ପଡ଼ିଥିଲା। ଏଥିସହିତ ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ।

ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମିତ ହୋଇଥିବା ଏହି ୯୩ ବର୍ଷୀୟା ମହିଳାଙ୍କର ଚିକିତ୍ସା କରିବା ଏକ ପ୍ରକାର ଆହ୍ୱାନ ଥିଲା । ତେବେ ସମ୍ କୋଭିଡ ହସ୍ପିଟାଲର ଡାକ୍ତର ଓ ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକ କର୍ମଚାରୀମାନଙ୍କର ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ମହିଳାଜଣକ ନିଜର ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସମାନଙ୍କୁ ଅନେକ ଆଶୀର୍ବାଦ କରିଛନ୍ତି। ଅନ୍ୟପଟେ ନିଜ ମାଆ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ ଟିମ୍ ଓ ସୋଆ କର୍ତୃପକ୍ଷଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବିଧାୟକ ଅଶ୍ଵିନୀ କୁମାର ପାତ୍ର।

Comment