ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍ ସିଲ୍ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅପରାଜିତା। ଏହି ଚିଠିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, କେବେ ସିଲ୍ ହେବ ବିଜେଡି ଅଫିସ୍?

ଶନିବାର ଅପରାଜିତାଙ୍କ ଅଫିସ୍‌କୁ ବିଏମସି ପକ୍ଷରୁ ସିଲ୍ କରାଯିବା ପରେ ବିଜେଡି ଅଫିସ୍‌କୁ ମଧ୍ୟ ସିଲ୍ କରାଯାଉ ବୋଲି ସାଂସଦ କହିଥିଲେ। ବିଜେଡି ଅଫିସ୍‌ରେ ମଧ୍ୟ କୋଭିଡ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଏକ ସାମ୍ଵାଦିକ ସମ୍ମିଳନୀରେ ଅପରାଜିତା ପ୍ରମାଣ ସହ କହିଥିଲେ। ସମସ୍ତଙ୍କ ପାଇଁ ନିୟମ ସାମନ ହେବା ଆବଶ୍ୟକ। ତେଣୁ ବିଜେଡି ଅଫିସ୍ କେବେ ସିଲ୍ ହେବ ତାକୁ ସେ ଅପେକ୍ଷା କରିଛନ୍ତି ବୋଲି ଅପରାଜିତା କହିଥିଲେ।

କିଛିଦିନ ତଳେ ସାଂସଦ ଅପରାଜିତା ତାଙ୍କ ଶୁଭେଚ୍ଛୁମାନଙ୍କ ସହ ନୟାପଲ୍ଲୀସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଜନ୍ମଦିନ ମନାଉଥିଲେ। ପରେ ଏହାର ଏକ ଭିଡିଓ ଭାଇରାଲ ହେବା ପରେ ପ୍ରଥମେ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର ସାଂସଦ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଦର୍ଶାଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଅନ୍ୟପଟେ ଜଣେ କରୋନା ଯୋଦ୍ଧା ମଧ୍ୟ ଅପରାଜିତାଙ୍କ ବିରୋଧରେ ଡିସିପିଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ଏହାପରେ ବିଏମ୍‌ସି ପକ୍ଷରୁ ଅପରାଜିତାଙ୍କ ଅଫିସ୍‌କୁ ୧୫ ଦିନ ପାଇଁ ସିଲ୍ କରାଯାଇଛି। ତେବେ ଅଫିସ୍ ବନ୍ଦ ହେବା ପରେ ମଧ୍ୟ ଲୋକଙ୍କ ସେବା ବନ୍ଦ କରାଯିବ ନାହିଁ, ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଅଫିସ୍ ବାହାରେ ବସି ଜନଶୁଣାଣି କରିବେ ବୋଲି ଅପରାଜିତା କହିଥିଲେ। ତେବେ ସୋମବାର ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଏ ବିଷୟରେ ଜଣାଇବା ସହ ବିଜେଡି ଅଫିସ୍‌କୁ କେବେ ସିଲ୍ କରାଯିବ ବୋଲି ପ୍ରଶ୍ନ କରିଛନ୍ତି।

Comment