ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ଐତିହାସିକ ଦଶହରା ଆୟୋଜନକୁ ନେଇ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଆଇଟିଡିଏ କନଫରେନ୍ସ ହଲ୍‌ଠାରେ ଜୟପୁର ପୂଜାକମିଟିର ସଭାପତି ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ବୈଠକରେ ସଭାପତିତ୍ୱ କରିଥିଲେ। ଏଥିସହିତ କମିଟିର ଆବାହକ ତଥା ଜୟପୁର ଉପଜିଲ୍ଲାପାଳ ହେମନ୍ତ ସାଏ ଉପସ୍ଥିତ ରହି ଦଶହରାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସରକାରଙ୍କ କୋଭିଡ-୧୯ ନିୟମ ଅନୁସାରେ ଦଶହରା ପାରମ୍ପରିକ ରୀତି ନୀତି ଅନୁଯାୟୀ ପାଳନ ହେବାନେଇ ଏହି ବୈଠକରେ ସ୍ଥିର ହୋଇଛି।

ବିନା କୌଣସି ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନିରାଡମ୍ବରରେ ଚଳିତ ବର୍ଷ ଦଶହରା ହେବା ନେଇ ସ୍ଥିର ହୋଇଛି। ପାରମ୍ପାରିକ ରୀତି ନୀତି ଆନୁଯାଇ ସଲପା, ତେଲିଆ, ଧାରଣାହାଣ୍ଡି, ଖଡପା, କଙ୍ଗା, ଜାମୁଣ୍ଡା, ପେଣ୍ଡ୍ରାଣି, ନାରାୟଣପାଟଣା, ନନ୍ଦପୁର ଦେବୀ ପୀଠ ଭଳି ୩୦ଟି ପୀଠରୁ ଦେବୀଙ୍କ ପ୍ରିତିକ ଲାଠି ଆସିବ। ଜୟପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ବିଜୟା ଭ୍ରମଣ ୧୭ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ଯାଏଁ ଚାଲିବା। ଏହି ଭ୍ରମଣରେ ମାତ୍ର ୭ ଜଣ ହିଁ ଉପସ୍ଥିତ ରହିବେ। ୨୫ ତାରିଖ ଦଶହରା ଦିନ ୪ଟି ବିମାନ ୪୫ ମିନିଟ ବ୍ୟବଧାନରେ ଦଶହରା ପଡିଆରେ ଅପରାଜିତା ପୂଜାରେ ସାମିଲ ହୋଇ ପୂଜା ସାରି ମନ୍ଦିରକୁ ଫେରିବେ।

ରାସ୍ତାରେ କୌଣସି ସ୍ଥାନରେ ପୂଜା ହେବ ନାହିଁ। ମନ୍ଦିର ବେଢାରେ ଭକ୍ତକୁ ଦର୍ଶନ ମନା। ମେଢରେ ୪ ଫୁଟ ଉଚ୍ଚର ମୃଣ୍ମୟ ମୂର୍ତ୍ତି ପୂଜା ପାଇବେ। ସେଠାରେ ମଧ୍ୟ ୭ ଜଣରୁ ଅଧିକ ଜଣ ରହିବେ ନାହିଁ। ଡାକବାଜି ଯନ୍ତ୍ର, ବାଜିବ ନାହିଁ। ସମସ୍ତ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସେମାନଙ୍କୁ କମିଟି ତରଫରୁ ପରିଚୟପତ୍ର ଦିଆଯିବ। ମନ୍ଦିର ଚାରିପଟକୁ ସିଲ କରାଯାଇ ଭକ୍ତଙ୍କ ପ୍ରବେଶକୁ କଟାକଣା କରାଯିବ। ସେହିପରି ମାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଗ୍ରୀନ ଟ୍ରିବୁନାଲ ନିର୍ଦ୍ଦେଶ ମୁତାବକ ବିସର୍ଜନ କରାଯିବା ନେଇ ମଧ୍ୟ ବୈଠକରେ ସ୍ଥିର ହୋଇଛି।

ଏହି ବୈଠକରେ ଏସଡିପିଓ ବରୁ ଗୁଣ୍ଠପାଲ୍ଲି, ତହସିଲଦାର ଆଶ୍ୱିନ ମହାପାତ୍ର, ଦୋବୋତ୍ତର ଉପଦେଷ୍ଟା କମିଟିର ସଭାପତି ଲାଲୁ ମୁଶ୍ର, ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧିଙ୍କ ସହ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ଦଶହରା ସମୟରେ ମଦ, ଜୁଆ ବନ୍ଦ କରିବାକୁ ସ୍ଥିର କରାଯାଇଛି। ଦଶହରାର ୨ଦିନ ମଦ କାରବାର ସମ୍ପୁର୍ଣ୍ଣ ବନ୍ଦ ରଖିବାକୁ ସ୍ଥିର ହୋଇଛି।

ଶାନ୍ତିଶୃଙ୍ଖଳାରେ ଦଶହରା ପୂଜାକୁ ଆୟୋଜନ କରିବା ସହ ଯେଉଁମାନେ ବିଶୃଙ୍ଖଳା କରିବେ ସେମାନଙ୍କ ଉପରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ଦୃଢକ୍ତି କରିଥିଲେ। ଏଥିପାଇଁ ସାଧା ପୋଷାକରେ ପୋଲିସଙ୍କୁ ମୁତୟନ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏଥିସହିତ ଦଶହରା ସମୟରେ ବିଦ୍ୟୁତ୍ ସରବରାହ ବନ୍ଦ ନକରିବା, ସହରରେ ଦୁଇଥର ପାନୀୟ ଜଳ ଯୋଗାଇବା, ପରିମଳ ବ୍ୟବସ୍ଥା ପ୍ରତି ଗୁରୁତ୍ଵ ଦେବା ଆଦି ଉପରେ ବୈଠକରେ ଆଲୋଚନା କରାଯାଇଥିଲା।

Comment