ଓଡ଼ିଶାଲାଇଭ୍ ବ୍ୟୁରୋ

ଅଙ୍କିତ ନାଗବଂଶୀ ବୃତ୍ତିରେ ଥିଲେ ସଫ୍ଟୱେର ଇଞ୍ଜିନିୟର। କିନ୍ତୁ ଚାକିରି ଛାଡ଼ି ଚା’ ବିକିବା ପରେ ସହରରେ ତାଙ୍କ ପରିଚୟ ଏବେ ‘ଇଞ୍ଜିନିୟର ଚାଏୱାଲା’।

ଅଫିସ୍ ଚା’ ଭଲ ଲାଗୁ ନ ଥିଲା ବୋଲି….

ନାଗପୁର ସହରର ଏକ ଆଇଟି କମ୍ପାନିରେ ସଫ୍ଟୱେର ଇଞ୍ଜିନିୟର ଥିଲେ ମଧ୍ୟପ୍ରଦେଶର ଅଙ୍କିତ ନାଗବଂଶୀ। ଅଫିସ୍‌ରେ କାମ କରିବା ବେଳେ ତାଙ୍କ ଡେସ୍କକୁ ଚା’ ଆସୁଥିଲା। କିନ୍ତୁ ତାହାର ସ୍ୱାଦ କିଛି ଖାସ୍ ନ ଥିଲା। ତେଣୁ ସେ ଓ ତାଙ୍କର ସହକର୍ମୀମାନେ ମିଶି ଗୋଟେ କଡ଼ା ଓ ମସ୍ତ ଚା’ ସନ୍ଧାନରେ ଟିକେ ଦୂରକୁ ବାହାରି ଯାଉଥିଲେ। ଯେଉଁଠି ଭଲ ଚା’ ମିଳୁଥିଲା, ସେଠି ଚା’ପ୍ରେମୀଙ୍କ ବହୁ ଭିଡ଼ ଲାଗୁଥିବା ଦେଖିଥିଲେ ଅଙ୍କିତ। ସେଇଠୁ ଶାନଦାର ଚା’ ପ୍ରସ୍ତୁତ କରି ପରଶିବାର ପ୍ରେରଣା ମନକୁ ଆସିଥିଲା।

ସେ ସେତେବେଳକୁ କିଛି ଗୋଟେ ଫୁଡ୍ ବିଜିନେସ୍ କରିବା ପାଇଁ ଚାହୁଁଥିଲେ। ଅନ୍ୟପକ୍ଷରେ କମ୍ପାନି ଚାକିରି ତାଙ୍କୁ ଆତ୍ମସନ୍ତୋଷ ଦେଇପାରୁ ନ ଥିଲା। ଘରଲୋକ ବାରମ୍ବାର ମନା କରିବା ସତ୍ତ୍ୱେ ୨୦୧୯ ଅଗଷ୍ଟରେ ସେ ଆଇଟି ଚାକିରି ଛାଡ଼ି ନିଜ ଘର ଛିନ୍ଦୱାଡ଼ାକୁ ଫେରିଆସିଲେ।

ଚା’ ପାଇଁ ବଡ଼ ବଡ଼ ସହରର ଚାଏୱାଲାଙ୍କୁ ଭେଟୁଥିଲେ ଅଙ୍କିତ

କିଛିବର୍ଷ ତଳେ ସେ ନିଜ ବାପା ମା’ଙ୍କୁ ହରାଇଥିଲେ। ତିନିଜଣିଆ ପରିବାରର ସେ ବଡ଼ ଥିଲେ। ତେଣୁ ଘରର ସବୁ ଦାୟିତ୍ୱ ତାଙ୍କ ଉପରେ ଥିବାବେଳେ ନିର୍ଭରଯୋଗ୍ୟ ଚାକିରି ଛାଡ଼ି ଚା’ ବିକିବା ନିଷ୍ପତ୍ତି କିଛି ଛୋଟ କଥା ନ ଥିଲା। କିନ୍ତୁ ଅଙ୍କିତ ସାହସର ସହ ଦୋକାନ ଖୋଲିଲେ।

ଠେଲା ଦୋକାନ ଖୋଲି ଚା’ ବିକିବା ଦେଖିବାକୁ ସହଜ ଲାଗିପାରେ। କିନ୍ତୁ ଏହା ପଛରେ ବ୍ୟବସାୟରେ ଅନେକ କିଛି ଶିଖିବାର ଅଛି। ଅଙ୍କିତ ସେଥିଲାଗି ଜୟପୁର, ଅମ୍ରିତସର, ବେଙ୍ଗାଲୁରୁ ପରି ସହରକୁ ଯାଇ ସେଠାକାର ଚାଏୱାଲାଙ୍କ ସହ ମିଶି ଅନେକ କିଛି ଶିଖିଛନ୍ତି।

ଦୋକାନ ନାଁ ରହିଲା ‘ଇଞ୍ଜିନିୟର ଚାଏୱାଲା’

ଅଙ୍କିତ ଚା’ ଦୋକାନ ଖୋଲିବା ପରେ ତାର ନାଁ ରଖିଲେ ’ଇଞ୍ଜିନିୟର ଚାଏୱାଲା’। ସେଠାରେ ଏବେ ତାଙ୍କ ହାତ ତିଆରି ମସାଲା ଚା’ର ଚାହିଦା ଖୁବ୍ ବେଶୀ। ବିଶେଷ କରି ଯୁବପିଢ଼ିରୁ ବେଶୀ ତାଙ୍କର ଗ୍ରାହକ ପାଲଟି ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜର ଆଦ୍ୟ ଜୀବନରେ ଷ୍ଟେସନରେ ଚା’ ବିକୁଥିଲେ। ଅଙ୍କିତଙ୍କ ପରି ଉଚ୍ଚଶିକ୍ଷିତ ଯୁବକ ଚା’ ଦୋକାନ କରି ଭବିଷ୍ୟତରେ ଏହାକୁ ଏକ ବଡ଼ ବ୍ୟବସାୟ ଓ ବ୍ରାଣ୍ଡରେ ପରିଣତ କରିବାର ସ୍ୱପ୍ନ ରଖିଛନ୍ତି।

Comment