ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପାଲ ହସ୍ପିଟାଲ ପକ୍ଷରୁ ଭୁବନେଶ୍ଵରରେ ଅତ୍ୟାଧୁନିକ ରୋଡ୍ ଆମ୍ବୁଲାନ୍ସ, ଏୟାର ଆମ୍ବୁଲାନ୍ସ ଏବଂ ବାଇକ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ଏହାସହ ମଣିପାଲ ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଡର (ଏମଇଏଚସି) ମଧ୍ୟ ଆରମ୍ଭ କରାଯାଇଛି। ସୋମବାର ମଣିପାଲ ହସ୍ପିଟାଲ ପରିସରରେ ହୋଇଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏହାର ଉଦଘାଟନ କରିଛନ୍ତି।

ତେବେ ଏହି ଆମ୍ବୁଲାନ୍ସ ସେବାଗୁଡ଼ିକୁ ‘ମଣିପାଲ ଆଡଭାନ୍ସଡ ରେସପନ୍ସ ସିଷ୍ଟମ’ (ମାର୍ସ) ମାଧ୍ୟମରେ ଆରମ୍ଭ କରାଯାଇଛି। ଏଥିରେ ଜରୁରୀକାଳୀନ ପରିସ୍ଥିତି ପାଇଁ ହେଲ୍ପଲାଇନ ନମ୍ବର ୦୬୭୪- ୬୬୬୬୬୬୬ ଜାରି କରାଯାଇଛି। ଏହା ୨୪ ଘଣ୍ଟା କାର୍ଯ୍ୟକାରୀ ରହିବ। ଷ୍ଟ୍ରୋକ୍, ଦୁର୍ଘଟଣା, ହୃଦଘାତ ତଥା ଟ୍ରମା ସମେତ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଲୋକେ ଏହି ନମ୍ବରରେ କଲ୍ କରି ପାରିବେ।

ଏହି ରୋଡ୍ ଆମ୍ବୁଲାନ୍ସରେ ଭେଣ୍ଟିଲେଟର, ଡେଫିବ୍ରିଲେଟର, ମନିଟର, ବିଲ୍ଟ-ଇନ୍ ଇସିଜି ମେସିନ୍, ସିରିଞ୍ଜ ପମ୍ପ ଆଦି ଜୀବନ ରକ୍ଷାକାରୀ ଉପକରଣ ରହିଛି। ଏହାଦ୍ଵାରା ରୋଗୀଙ୍କୁ ପରିବହନ ସମୟରେ ନିରନ୍ତର ଚିକିତ୍ସା କରାଯାଇପାରିବ।

ସେହିପରି ବାଇକ୍ ଆମ୍ବୁଲାନ୍ସ ଦ୍ୱାରା ସମୟ ପୂର୍ବରୁ ଉତ୍ତମ ଚିକିତ୍ସା ଯୋଗାଇ ପାରିବ। ଏୟାର ଆମ୍ବୁଲାନ୍ସ ଦୀର୍ଘ ଦୂରତାରେ ଜରୁରୀକାଳୀନ ପରିସ୍ଥିତି ପାଇଁ କ୍ରିଟିକାଲ କେୟାର ଏୟାର ଟ୍ରାନ୍ସପୋର୍ଟ ଯୋଗାଇବ।

“ମଣିପାଲ ହସ୍ପିଟାଲ ପକ୍ଷରୁ ଅମ୍ବୁଲାନ୍ସ ଓ ମଣିପାଲ ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଡର ଶୁଭାରମ୍ଭ ଭୁବନେଶ୍ଵରରେ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ ବଢ଼ାଇବ। ଏହା ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆହୁରି ବଳ ଯୋଗାଇବ”, କହିଛନ୍ତି ପ୍ରତୀକ ସିଂହ।

ଅନ୍ୟପଟେ ମଣିପାଲ ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଡ ଦ୍ଵାରା ରୋଗୀମାନେ ଜରୁରୀକାଳୀନ ଓ ବ୍ୟକ୍ତିଗତ ଚିକିତ୍ସା ସୁବିଧା ପାଇପାରିବେ। ତୁରନ୍ତ ଚିକିତ୍ସା ପାଇଁ ଏହି କାର୍ଡର ଉପଯୋଗ କରିପାରିବେ ରୋଗୀ। ଏହାର ବାର୍ଷିକ ଫି’ ୪,୯୯୯ ଟଙ୍କା ରହିଛି।  

ମଣିପାଲ ହସ୍ପିଟାଲ ସାରା ଭାରତରେ ପ୍ରତିବର୍ଷ ୭ ନିୟୁତ ରୋଗୀଙ୍କର ଚିକିତ୍ସା କରି ଆସୁଛି। ଦେଶର ୧୭ଟି ସହରରେ ହସ୍ପିଟାଲର ୩୩ଟି ଶାଖା ରହିଛି, ଯେଉଁଥିରେ ୯,୫୦୦ ଶଯ୍ୟା ଉପଲବ୍ଧ। ଏଠାରେ ୫ ହଜାର ଅଭିଜ୍ଞ ଡାକ୍ତର ଓ ୧୫ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି।

Tags: #ManipalHospital #AmbulanceService #Healthcare #Bhubaneswar

LEAVE A REPLY

Please enter your comment!
Please enter your name here