ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ବୁଧବାର ରାଜଭବନ ନିକଟ ପେଟ୍ରୋଲ ପମ୍ପ୍‌ରେ ବିସ୍ଫୋରଣ ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଆରମ୍ଭ ହୋଇଛି। ପେଟ୍ରୋଲ ପମ୍ପ୍‌ରେ ଥିବା ଏଲ୍‌ପିଜି ଟାଙ୍କିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା କିମ୍ବା ସେହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସରକାର ତେଲ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ଓ କଟକ ସହରରେ ଏକାଧିକ ପେଟ୍ରୋଲ ପମ୍ପ୍‌ରେ ଏଲ୍‌ପିଜି ଭରିବା ବ୍ୟବସ୍ଥା ରହିଛି। ତେବେ ଏଗୁଡ଼ିକ ଗଳି କନ୍ଦିରେ ରହିଥିବାରୁ ଓ ଜନଗହଳି ଯୋଗୁଁ ଯେ କୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ ଏଲ୍‌ପିଜି ଟାଙ୍କି ଥିବା ସ୍ଥାନରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା କିମ୍ୱା ସେଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ତେଲ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।ସରକାରଙ୍କ ପକ୍ଷରୁ ତିନୋଟିଯାକ ତୈଳ କମ୍ପାନି ଯଥା- ଇଣ୍ଡିଆନ୍ ଅଏଲ୍, ବିପିସିଏଲ୍ ଓ ଏଚ୍‌ପିସିଏଲ୍‌ର ଆଞ୍ଚଳିକ ମୁଖ୍ୟମାନଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ କୁହାଯାଇଛି। ବିନା ବିଳମ୍ବରେ ଏହି ଟାଙ୍କିଗୁଡ଼ିକୁ ସହର ବାହାରକୁ ଉଠାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏନେଇ ସମବାୟ ବିଭାଗର ସଚିବ ଭିଭି ଯାଦବ ତିନୋଟି ତୈଳ କମ୍ପାନି ଅଧିକାରୀଙ୍କ ସହ ଘନ ଘନ ବିଚାର ବିମର୍ଶ କରିଥିଲେ। ଯଥାଶୀଘ୍ର ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ଏହି ଆଲୋଚନାରେ ଅଧିକାରୀମାନଙ୍କୁ କୁହାଯାଇଥିଲା। ସ୍ୱତନ୍ତ୍ର ରିଲିଫ କମିସନର ପିକେ ଜେନା ମଧ୍ୟ ଏହି ଆଲୋଚନା ବେଳେ ଉପସ୍ଥିତ ଥିଲେ। ପେଟ୍ରୋଲ ପମ୍ପ୍ ଓ ଏଲ୍‌ପିଜି  ଗ୍ୟାସ୍ ଭରଣ ବ୍ୟବସ୍ଥା ପାଇଁ ଯାହା ସୁଵିଧା ଦରକାର ତାହା ଯୋଗାଇ ଦିଆଯିବ ବୋଲି ସମବାୟ ସଚିବ ପ୍ରତିଶ୍ରୁତି ଦେଇଥିଲେ।ତେବେ ପେଟ୍ରୋଲ/ଏଲ୍‌ପିଜି ପମ୍ପ୍‌ ହଟାଇବା ପାଇଁ ସବା ଉପରେ ନିଷ୍ପତ୍ତି ନିଆଯିବା ଦରକାର ବୋଲି ଆଞ୍ଚଳିକ ମୁଖ୍ୟମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏ ବିଷୟରେ ତୁଙ୍ଗ ଅଧିକାରୀଙ୍କୁ ତୁରନ୍ତ ଜଣାଇବେ ବୋଲି କହିଥିଲେ।

ଇତି ମଧ୍ୟରେ ଇଣ୍ଡିଆନ ଅଏଲ୍ ପକ୍ଷରୁ କୁହାଯାଇଛି ଯେ ଦୁର୍ଘଟଣାର ତଦନ୍ତ ପାଇଁ  ମୁମ୍ବାଇର ପେଟ୍ରୋଲିୟମ ଓ ଏକ୍ସପ୍ଲସିଭ ନିରାପତ୍ତା ସଂସ୍ଥାର ୪ ବିଶେଷଜ୍ଞ ଭୁବନେଶ୍ୱର ପହଞ୍ଚିଛନ୍ତି। ତେବେ ଏହିଭଳି ଏକ ଦୁର୍ଘଟଣା ଅତ୍ୟନ୍ତ ବିରଳ ଓ ଅନ୍ୟ କେଉଁଠି ଏହା ଘଟିନାହିଁ ବୋଲି ଇଣ୍ଡିଆନ ଅଏଲ୍‌ର ଜଣେ ଅଧିକାରୀ କହିଛନ୍ତି।

Comment